ନୂଆଦିଲ୍ଲୀ : ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ କେନ୍ଦ୍ର ସରକାର ଅର୍ଦ୍ଧ ସାମରିକ ବଳରେ କାର୍ଯ୍ୟ କରୁଥିବା ଯବାନମାନଙ୍କ ‘ରିସ୍କ ଆଣ୍ଡ ହାର୍ଡସିପ୍’ (ବିପଦ ଓ କଠିନ ପରିସ୍ଥିତିରେ କାର୍ଯ୍ୟ କରିବା) ଭତ୍ତା ବୃଦ୍ଧି କରିଛନ୍ତି। ଜମ୍ମୁ କଶ୍ମୀର ଓ ମାଓ ଉପଦ୍ରୁତ ଅଞ୍ଚଳରେ ନିୟୋଜିତ ହୋଇଥିବା ଯବାନମାନଙ୍କ ପାଇଁ ଏହି ଭତ୍ତା ବୃଦ୍ଧି କରାଯାଇଛି। ଦେଶରେ ଥିବା ସମସ୍ତ ୬ଟି ଅର୍ଦ୍ଧ ସାମରିକ ବଳ ଯଥା ବିଏସଏଫ, ସିଆଇଏସଏଫ, ସିଆରପିଏଫ, ଆଇଟିବିପି, ସଶସ୍ତ୍ର ସୀମା ବଳ ଏବଂ ଆସାମ ରାଇଫଲର ଯବାନଙ୍କ ପାଇଁ ଏହି ପଦକ୍ଷେପ ନିଆଯାଇଛି। ଇନ୍ସପେକ୍ଟର ରୢାଙ୍କ ପର୍ଯ୍ୟନ୍ତ କାମ କରୁଥିବା ଯବାନଙ୍କ ମାସିକ ଭତ୍ତା ପରିମାଣ ୯୭୦୦ ଟଙ୍କାରୁ ବଢ଼ାଇ ୧୭,୩୦୦ ଟଙ୍କା କରାଯାଇଛି। ଅଫିସର ରୢାଙ୍କ ପାଇଁ ଭତ୍ତା ପରିମାଣ ୧୬,୯୦୦ ଟଙ୍କାରୁ ବଢ଼ାଇ ୨୫୦୦୦ ଟଙ୍କା କରାଯାଇଛି। ଓଡ଼ିଶାର ମାଲକାନଗିରି ଜିଲ୍ଲା ସମେତ ଦେଶର ୪ଟି ରାଜ୍ୟର ମାଓ ଉପଦ୍ରୁତ ଜିଲ୍ଲାରେ କାମ କରୁଥିବା ଯବାନମାନେ ଉପକୃତ ହେବେ।