କସାବ ପାଇଁ ବ୍ୟବହୃତ ଶେଷ ସାଙ୍କେତିକ ଶବ୍ଦ ଥିଲା ‘ପାର୍ସଲ ରିଚ୍‌ଡ୍‌ ଫକ୍ସ’

ମୁମ୍ବାଇ : ୨୬/୧୧ ମୁମ୍ବାଇ ଆକ୍ରମଣ ପରେ ଧରାପଡ଼ିଥିବା ପାକିସ୍ତାନୀ ଆତଙ୍କବାଦୀ ଅଜମଲ କସାବଙ୍କୁ ଫାଶୀ ଦେବା ଲାଗି କେନ୍ଦ୍ରୀୟ ମୁମ୍ବାଇର ଆର୍ଥର ରୋଡ ଜେଲରୁ ପୁନେସ୍ଥିତ ୟେରୱାଡ଼ା କେନ୍ଦ୍ରୀୟ ଜେଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। କଡ଼ା ନିରାପତ୍ତା ବ୍ୟବସ୍ଥା ମଧ୍ୟରେ ତାଙ୍କୁ ମୁମ୍ବାଇରୁ ପୁନେକୁ ନିଆଯାଇଥିଲା। ଏଥିରେ ଅଳ୍ପ କେତେଜଣ ବରିଷ୍ଠ ଅଧିକାରୀ ସାମିଲ ‌ଥିଲେ। କସାବକୁ ସ୍ଥାନାନ୍ତର ବେଳେ ଯେଉଁ ଶେଷ କୋଡ୍‌ ୱାର୍ଡ ବା ସାଙ୍କେତିକ ଶବ୍ଦ ବ୍ୟବହାର କରାଯାଇଥିଲା ତାହା ଥିଲା ‘ପାର୍ସଲ ରିଚ୍‌ଡ୍ ଫକ୍ସ’। ଏହାର ଅର୍ଥ ଥିଲା କସାବକୁ ଆଣି ଆସିଥିବା ଭ୍ୟାନ ପୁନେ ଜେଲରେ ପହଞ୍ଚି ଯାଇଛି। କସାବକୁ ସ୍ଥାନାନ୍ତର ପ୍ରକ୍ରିୟାରେ ୭ଟି କୋଡ୍ ୱାର୍ଡ ବା ଶବ୍ଦ ବ୍ୟବହାର କରାଯାଇଥିଲା। ଦୁଇ ଅଧିକାରୀଙ୍କ ମଧ୍ୟରେ ଏହି ସାଙ୍କେତିକ ଶବ୍ଦ ବିନିମୟ ହୋଇଥିଲା ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ଦୁଇଟି ମୋବାଇଲ ଫୋନ ବ୍ୟତୀତ କସାବକୁ ସ୍ଥାନାନ୍ତର କାର୍ଯ୍ୟରେ ନିୟୋଜିତ ଥିବା ସୁରକ୍ଷା କର୍ମୀଙ୍କ ସମସ୍ତ ଫୋନକୁ ସୁଇଚ୍‌ ଅଫ୍ କରାଯାଇ ଏକ ବ୍ୟାଗ୍‌ରେ ରଖାଯାଇଥିଲା। ୩ ଘଣ୍ଟାର ଯାତ୍ରା ସମୟରେ କସାବ କୌଣସି ଗୋଟିଏ ହେଲେ ଶବ୍ଦ ଉଚ୍ଚାରଣ କରି ନଥିଲା। ୨୦୧୨ ନଭେମ୍ବର ୨୦ ତାରିଖ ରାତିରେ କସାବକୁ ମୁମ୍ବାଇ ଜେଲରୁ ନିଆଯାଇ ପୁନେ ଜେଲ କର୍ତ୍ତୃପକ୍ଷଙ୍କୁ ରାତି ୩ଟାରେ ହସ୍ତାନ୍ତର କରାଯାଇଥିଲା। କସାବର ସ୍ଥାନାନ୍ତର ସମ୍ପର୍କରେ ତତ୍କାଳୀନ ଗୃହମନ୍ତ୍ରୀ ଆର. ଆର. ପାଟିଲ ଓ ଅଳ୍ପ ସଂଖ୍ୟକ ବରିଷ୍ଠ ଅଧିକାରୀ ଜାଣିଥିଲେ।

ସମ୍ବନ୍ଧିତ ଖବର