ପାଟଣାଗଡ଼ ପାର୍ସଲକାଣ୍ଡର ପୁନରାବୃତ୍ତି ଗୁଜୁରାଟରେ, ପ୍ରଚଣ୍ଡ ବିସ୍ଫୋରଣରେ ୨ ମୃତ

ସାବରକାଣ୍ଠା: ଓଡ଼ିଶାର ପାଟଣାଗଡ଼ ପାର୍ସଲକାଣ୍ଡର ପୁନରାବୃତ୍ତି ହୋଇଛି ଗୁଜରାଟରେ । ଗୁଜରାଟର ସାବରକାଣ୍ଠାରେ ଏକ ପାର୍ସଲ ବିସ୍ଫୋରଣ ଘଟି ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ମାନେ ବାପ-ଝିଅ ବୋଲି ଜଣାପଡ଼ିଛି। କୁହାଯାଉଛି ଯେ ଅନଲାଇନ୍ ମାଧ୍ୟମରେ ଆସିଥିବା ପାର୍ସଲ ଖୋଲିବା ସମୟରେ ବିସ୍ଫୋରଣ ହୋଇଥିଲା। ଏହି ଘଟଣା ପରେ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମିଳିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି।

ସୂଚନା ଅନୁସାରେ ସାବରକାଣ୍ଠାର ବେଦା ଛାବନି ଗାଁର ଜିତେନ୍ଦ୍ରଭାଇ ହୀରାଭାଇ ବଞ୍ଜାରା ଅନଲାଇନରେ ଏକ ହୋମ ଥିଏଟର ସିଷ୍ଟମ ମଗାଇଥିଲେ । ଏହି ପାର୍ସଲ ଆସିବା ପରେ ଜିତେନ୍ଦ୍ର ଓ ତାଙ୍କ ୧୧ ବର୍ଷୀୟା ଝିଅ ତାହାକୁ ଖୋଲିବା ମାତ୍ରେ ପ୍ରବଳ ବିସ୍ଫୋରଣ ହୋଇଥିଲା । ଘଟଣାସ୍ଥ​ଳରେ ହିଁ ଜିତେନ୍ଦ୍ର ଓ ତାଙ୍କ ଝିଅ ମୃତ୍ୟୁବରଣ କରିଥିଲେ । ନିକଟରେ ଥିବା ତାଙ୍କର ଆଉ ଦୁଇଜଣ ଝିଅ ( ୯ ବର୍ଷ, ୧୦ ବର୍ଷ ) ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ସେମାନଙ୍କ ଅବସ୍ଥା ସଂକଟାପନ୍ନ ଅଛି ।  ଘଟଣା ସମ୍ପର୍କରେ ଖବର ପାଇ ଡିୱାଇଏସପି ଓ ଜିଲ୍ଲା ଏଲସିବି ସମେତ ୱାଡାଲି ପୁଲିସର ଏକ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛି।

ତେବେ ଗୁଜରାଟରେ ଏହା ପ୍ରଥମ ପାର୍ସଲ ବିସ୍ଫୋରଣ କାଣ୍ଡ ନୁହେଁ । ପୂର୍ବରୁ ୧୯୮୭ ମସିହାରେ ଏକ ପାର୍ସଲ ବିସ୍ଫୋରଣ ହୋଇ ୪ ଜଣ ମୃତ୍ୟୁବରଣ କରିଥିଲେ । ଏହି ମାମଲାର ସମାଧାନ ଏପର୍ଯ୍ୟନ୍ତ ହୋଇପାରିନାହିଁ ।

 

ସମ୍ବନ୍ଧିତ ଖବର