ଭୂତ ଛଡ଼ାଇବାକୁ ଯାଇ ୫ ବର୍ଷର ପିଲାକୁ ପିଟିପିଟି ମାରିଦେଲେ ବାପାମାଆ

ମୁମ୍ବାଇ: ମହାରାଷ୍ଟ୍ରର ନାଗପୁରରେ ଏକ ଅଭାବନୀୟ ଘଟଣା ଘଟିଛି। ମନ୍ତ୍ରତନ୍ତ୍ର ବଳରେ ନିଜ ଝିଅ ଦେହରୁ ଭୂତ ଛଡ଼ାଇବାକୁ ଯାଇ ବାପାମାଆ ସମତେ ଅନ୍ୟ ଜଣେ ସଂପର୍କୀୟ ଝିଅକୁ ନିଷ୍ଠୁର ଭାବେ ପିଟିପିଟି ମାରି ଦେଇଛନ୍ତି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର-ଶନିବାର ରାତିରେ ଏହି ଘଟଣା ଘଟିଛି। ପୁଲିସ ମୃତ ପିଲାର ବାପା ସିଦ୍ଧାର୍ଥ ଚିମ୍‌ନି (୪୫) ଏବଂ ମାଆ ରଞ୍ଜନା (୪୨) ଏବଂ ସଂପର୍କୀୟା ପ୍ରିୟା ବାନସୁଦ(୩୨)କୁ ଗିରଫ କରିଛି। ସିଦ୍ଧାର୍ଥ ଚିମ୍‌ନି ସୁଭାଷ ନଗରର ବାସିନ୍ଦା ଏବଂ ୟୁଟ୍ୟୁବରେ ସେ ଏକ ନ୍ୟୁଜ ଚ୍ୟାନେଲ ଚଳାଉଛନ୍ତି। ଦୁଇ ଝିଅ ଓ ପତ୍ନୀଙ୍କ ସହିତ ସେ ତକଲଘାଟ ଅଞ୍ଚଳର ଦରଘାକୁ ଗତମାସ ଗୁରୁ ପୂର୍ଣ୍ଣିମା ଦିନ ଯାଇଥିଲେ। ସେବେଠାରୁ ସେ ତାଙ୍କ ୫ ବର୍ଷର ସାନ ଝିଅ ଠାରେ ବ୍ୟବହାରିକ ପରିବର୍ତ୍ତନ ଲକ୍ଷ୍ୟ କରିଥିଲେ। ସେ ବିଶ୍ବାସ କରିଥିଲେ ଭୂତପ୍ରେତ ଝିଅ ଦେହରେ ସବାର ହୋଇଛି। ଫଳରେ ମନ୍ତ୍ରତନ୍ତ୍ର ବଳରେ ସେ ଝିଅଠାରୁ ସେହି ଭୂତପ୍ରେତ ଛଡ଼ାଇବାକୁ ପ୍ରଚେଷ୍ଟା କରିଥିଲେ।

ରାତିରେ ସେମାନେ ଏଥିପାଇଁ ଆୟୋଜନ କରିବା ସହିତ ଏହାର ଭିଡିଓ ଉତ୍ତୋଳନ କରିଥିଲେ। ପୁଲିସ ସେହି ଭିଡିଓକୁ ସେମାନଙ୍କ ଫୋନରୁ ଜବତ କରିଛି। ସେହି ଭିଡିଓରୁ ଜଣାଯାଇଛି ଯେ ଅଭିଯୁକ୍ତମାନେ କାନ୍ଦୁଥିବା ଝିଅକୁ କିଛି ପ୍ରଶ୍ନ କରିଥିଲେ। ଝିଅଟି ସେମାନଙ୍କ ପ୍ରଶ୍ନ କିଛି ବୁଝି ପାରୁ ନଥିଲା ଏବଂ ଉତ୍ତର ମଧ୍ୟ ଦେଉ ନଥିଲା। ଏହି ଭୂତପ୍ରେତ ଛଡ଼ାଇବା ସମୟରେ ତିନିଜଣ ଯାକ ଅଭିଯୁକ୍ତ ଝିଅକୁ ଚାପୁଡ଼ା ସମେତ ଖୁବ୍‌ଜୋରରେ ପିଟିଥିଲେ। ଏହାପରେ ଝିଅ ସଂଜ୍ଞାହୀନ ହୋଇ ତଳେ ପଡ଼ି ଯାଇଥିଲା। ଶନିବାର ଭୋର ସମୟରେ ସେମାନେ ଝିଅକୁ ଦରଘାକୁ ଏବଂ ପରେ ସରକାରୀ ମେଡିକାଲକୁ ନେଇଥିଲେ। ମେଡିକାଲରେ ଝିଅକୁ ଛାଡ଼ି ସେମାନେ ଫେରାର ହୋଇଯାଇଥିଲେ। କିନ୍ତୁ ସନ୍ଦେହ ହେବାରୁ ସେମାନେ ପଳାଇ ଯାଉଥିବା କାରର ଫଟୋ ଡାକ୍ତରଖାନାରେ କାର୍ଯ୍ୟରତ ସୁରକ୍ଷାକର୍ମୀ ମୋବାଇଲ ଫୋନରେ ଉଠାଇଥିଲେ। ପରେ ଡାକ୍ତରମାନେ ଝିଅକୁ ମୃତ ଘୋଷଣା କରିବା ସହିତ ପୁଲିସକୁ ସୂଚନା ଦେଇଥିଲେ। ଗାଡ଼ି ନମ୍ବରକୁ ଦେଖି ଅଭିଯୁକ୍ତମାନଙ୍କୁ ଚିହ୍ନଟ କରାଯାଇଛି। ରାଣା ପ୍ରତାପ ନଗର ଥାନାର ପୁଲିସ ଅଭିଯୁକ୍ତର ଘରେ ପହଞ୍ଚି ସେମାନଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର