ରାଷ୍ଟ୍ରପତିଙ୍କୁ ବିହାରୀ ବାଳକର ପତ୍ର: ବାପାମାଆ କଜିଆ ଲାଗୁଛନ୍ତି, ମତେ ମରିବାକୁ ଅନୁମତି ଦିଅନ୍ତୁ

ଭାଗଲପୁର: ବାପାମାଆଙ୍କ ମଧ୍ୟରେ ସୁସମ୍ପର୍କ ରହୁ ନ ଥିବାରୁ ଜୀବନ ହାରିବାକୁ ଅନୁମତି ଲୋଡ଼ି ଜଣେ ୧୫ ବର୍ଷିୟ ବାଳକ ରାଷ୍ଟ୍ରପତିଙ୍କୁ ଚିଠି ଲେଖିବା ପରେ ଏ ବିଷୟରେ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ବିହାରର ଭାଗଲପୁର ଜିଲ୍ଲା ଅଧିକାରୀଙ୍କୁ ନିର୍ଦେଶ ଦେଇଛି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ।

ବିହାରର ମୂଳ ବାସିନ୍ଦା ସେ ବାଳକ ଏବେ ଝାଡ଼ଖଣ୍ଡରେ ରହୁଛି। ସେଠାରେ ତାଙ୍କର ବାପା ସରକାରୀ ଚାକିରି କରନ୍ତି। ତାଙ୍କର ମାଆ ମଧ୍ୟ ପାଟନାର ଗୋଟାଏ ବ୍ୟାଙ୍କ୍‌ରେ କାମ କରନ୍ତି।

ଭାଗଲପୁର ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ କହିବା ଅନୁସାରେ, ନିକଟରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଚିଠି ମିଳିବା ପରେ ସେମାନେ ଏ ସଂକ୍ରାନ୍ତରେ ଜାଣିଲେ।

ପ୍ରାୟ ଦୁଇ ମାସ ତଳେ ସେ ବାଳକ ରାଷ୍ଟ୍ରପତିଙ୍କ ପାଖକୁ ଚିଠି ପଠାଇ ଥିଲେ ଓ ସେଠାରୁ ତାହା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ପଠାଯାଇଥିଲା।
ରାଷ୍ଟ୍ରପତିଙ୍କୁ ବାଳକଜଣକ ଲେଖିଛନ୍ତି ଯେ ବାପା ଓ ମାଆଙ୍କ କଳହ ତାଙ୍କ ପାଠପଢ଼ା ଉପରେ କୁପ୍ରଭାବ ପକାଉଛି।

ସେ ଆହୁରି ମଧ୍ୟ ଲେଖିଛନ୍ତି କି, କର୍କଟ ରୋଗାକ୍ରାନ୍ତ ତାଙ୍କ ବାପାଙ୍କୁ ମାଆଙ୍କ ତରଫରୁ ଅସାମାଜିକ ତତ୍ତ୍ୱମାନେ ଧମକ ଦେଉଛନ୍ତି।

ଏସବୁ ଘଟଣାରେ ବିବ୍ରତ ହୋଇ ବାଳକଜଣକ ଜୀବନ ହାରିବାକୁ ଚାହୁଁଛି ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି। ତଦନ୍ତ ଚାଲିଛି ଏବଂ ଆଇନ୍‌ ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ।

ବାଳକର ଜେଜେ ଏବଂ ଦାଦିମାନେ ଏଥିପାଇଁ ତା’ର ମାଆକୁ ଦାୟୀ କରୁଛନ୍ତି। ପରକୀୟ ସମ୍ପର୍କରେ ଅଛନ୍ତି ବୋଲି ବାଳକର ବାପା ଓ ମାଆ ପରସ୍ପର ବିରୋଧରେ ମାମଲା ରୁଜୁ କରିଛନ୍ତି।

ସମ୍ବନ୍ଧିତ ଖବର