ନୂଆଦିଲ୍ଲୀ: ବିଳମ୍ବରେ ପହଞ୍ଚିବା ଓ କୋଳଛୁଆ ପାଇଁ ପୃଥକ୍ ଟିକେଟ୍ କିଣିବା କଥାରେ ବିବାଦ କରି ଇଜ୍ରାଏଲ୍ ବିମାନ ବନ୍ଦରର ଗୋଟାଏ ଚେକ୍-ଇନ୍ କାଉଣ୍ଟର୍ରେ ସନ୍ତାନକୁ ଛାଡ଼ିଦେଇ ବିମାନଯାତ୍ରା କରିବାକୁ ଏକ ଦମ୍ପତି ନିଷ୍ପତ୍ତି ନେଇଥିଲେ ବୋଲି ‘ସିଏନ୍ଏନ୍’ ରିପୋର୍ଟ କରିଛି।
ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଜାନୁଆରି ୩୧ ତାରିଖ ଦିନ ଘଟଣାଟି ତେଲ୍ ଆଭିଭ୍ ବେନ୍-ଗୁରିଅନ୍ ବିମାନ ବନ୍ଦରର ରିୟାନ୍ଏୟାର୍ ଡେସ୍କ୍ରେ ଘଟିଛି। ବେଲ୍ଜିୟମ୍ ପାସ୍ପୋର୍ଟରେ ବ୍ରୁସେଲ୍ଜ୍ ଯିବାକୁ ବାହାରିଥିବା ଉକ୍ତ ଦମ୍ପତି ଖୁବ୍ ବିଳମ୍ବରେ ବିମାନ ବନ୍ଦରରେ ପହଞ୍ଚିଥିଲେ। ସେତେବେଳକୁ ସେମାନଙ୍କ ବିମାନ ଛାଡ଼ିବା ଉପରେ। ପୁଣି, କୋଳଛୁଆ ପାଇଁ ଟିକେଟ୍ ସେମାନେ ଆଗୁଆ ଟିକେଟ୍ କରି ନ ଥିଲେ। ଛୁଆ ପାଇଁ ଟିକେଟ୍ କିଣା ଯାଇ ନ ଥିବାରୁ ତାକୁ ବିମାନ ବନ୍ଦରରେ ଛାଡ଼ି ଦେଇ ତରବର ହୋଇ ସେମାନେ ବିମାନ ଚଢ଼ିବାକୁ ଧାଇଁଯାଇଥିଲେ। କିନ୍ତୁ, ପିଲାର ଟିକେଟ ପାଇଁ ଆହୁରି ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ ବୋଲି ଜାଣିବା ପରେ ସେମାନେ ଏଭଳି କାମ କରିଥିଲେ ବୋଲି କୁହାଯାଉଛି।
ରିୟାନ୍ଏୟାର୍ କହିଛି ଯେ, ସେ ଦମ୍ପତି ତାଙ୍କ କୋଳଛୁଆ ପାଇଁ ଅଗ୍ରୀମ ଟିକେଟ୍ ଖରିଦ କରି ନ ଥିଲେ। ବିମାନ ବନ୍ଦର କର୍ମଚାରୀମାନଙ୍କ କହିବା ଅନୁସାରେ, ସେମାନେ ଷ୍ଟ୍ରୋଲର୍ରେ ଥିବା କୋଳଛୁଆଟିକୁ ନିଶ୍ଚିନ୍ତରେ ଚେକ୍-ଇନ୍ ଡେସ୍କ୍ ନିକଟରେ ଛାଡ଼ି ପାସ୍ପୋର୍ଟ କଣ୍ଟ୍ରୋଲ୍ ଆଡ଼କୁ ଧାଇଁ ଯାଇଥିଲେ।
ସେଠାକାର ଚେକ୍-ଇନ୍ ଏଜେଣ୍ଟ୍ ଏୟାର୍ପୋର୍ଟ ସିକ୍ୟୁରିଟି ସହିତ ଯୋଗାଯୋଗ କରିବାରୁ ସେମାନେ ଉକ୍ତ ଦମ୍ପତିଙ୍କୁ ବିମାନରୁ ଫେରାଇ ଆଣିଥିଲେ। ଏ ମାମଲା ସ୍ଥାନୀୟ ଥାନାରେ ଜଣାଇ ଦିଆଯିବା ପରେ ପୁଲିସ ଘଟଣାସ୍ଥଳକୁ ଆସି ସମସ୍ୟାର ସମାଧାନ କରିଥିଲା।
ପିଲାଟିକୁ ତା’ର ବାପାମାଆଙ୍କୁ ହସ୍ତାନ୍ତର କରାଯାଇଥିବାରୁ ତଦନ୍ତ ଅନାବଶ୍ୟକ ବୋଲି ପୁଲିସ କହିଛି।