ପରୀ ମାମଲାର ଅନ୍ତ ଘଟାଇଲେ ସୁପ୍ରିମକୋର୍ଟ

ହାଇକୋର୍ଟଙ୍କ ଦ୍ବାରସ୍ଥ ହେବାକୁ ମାତାପିତାଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ : ବହୁଚର୍ଚ୍ଚିତ ନୟାଗଡ଼ ପରୀ ଅପହରଣ ଏବଂ ହତ୍ୟା ଘଟଣାରେ ରୁଜୁ ଦୁଇଟି ମାମଲାର ଶୁଣାଣିର ଅନ୍ତ ଘଟାଇଛନ୍ତି ସୁପ୍ରିମକୋର୍ଟ। ମ‌ାମଲାର ସିବିଆଇ ତଦନ୍ତ ପ୍ରାର୍ଥନା କରି ପରୀ ମାଆଙ୍କ ଦ୍ବାରା ଦାଖଲ କରାଯାଇଥିବା ରିଟ୍‌ ପିଟିସନ୍‌ ଏବଂ ବାପାଙ୍କ ଦ୍ବାରା ଓଡ଼ିଶା ହାଇକୋର୍ଟଙ୍କ ‌ଆଦେଶକୁ ଚାଲେଞ୍ଜ୍‌ କରାଯାଇ ଦାଖଲ କରାଯାଇଥିବା ଏସ୍‌ଏଲ୍‌ପିର ଆଜି ଶୁଣାଣି ହୋଇଥିଲା। ସୁପ୍ରିମକୋର୍ଟ ବିଚାରପତି ଏଏମ୍‌ ଖାନୱିଲକର ଓ ବିଚାରପତି ସଂଜୀବ ଖାନ୍ନାଙ୍କ ଖଣ୍ଡପିଠ ଏହାର ଏକତ୍ର ଶୁଣାଣି କରି ଏହି ମାମଲାରେ ପୁଣିଥରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେବା ପାଇଁ ପରୀ ମାତାପିତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ପରୀ ମାମଲାରେ ଓଡ଼ିଶା ହାଇକୋର୍ଟଙ୍କ ସେପ୍ଟେମ୍ବର ୧୧, ୨୦୨୦ ରାୟକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି । ସେପ୍ଟେମ୍ବର ୧୧ ଆଦେଶରେ ହାଇକୋର୍ଟ ପରୀଙ୍କ ବାପାଙ୍କ ଦ୍ବାରା ଦାଖଲ କରାଯାଇଥିବା ରିଟ୍‌ ପିଟିସନ୍‌ର ବିଚାର କରି ତଦନ୍ତ ପ୍ରକ୍ରିୟା ସମ୍ବନ୍ଧିତ ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ଦ୍ବାରସ୍ଥ ହେବା ପାଇଁ କହି ମାମଲାର ଅନ୍ତ ଘଟାଇଛନ୍ତି। ହାଇକୋର୍ଟରେ ଅନ୍ତ ଘଟାଯାଇଥିବା ରିଟ୍‌ ପିଟିସନ୍‌କୁ ଆଜି ସୁପ୍ରିମକୋର୍ଟ ରେଷ୍ଟୋରେସନ୍‌ କରିବା ସହିତ ପରୀ ମାମଲାରେ ଯେଉଁ ସବୁ ପରବର୍ତ୍ତୀ ତଥ୍ୟ ଆସିଛି ସେଥିରେ ସଂଶୋଧନ ଅନ୍ତର୍ଗତ ଆବେଦନକାରୀ ବିସ୍ତୃତ ରିଟ୍‌ ପିଟିସନରେ ଉଲ୍ଲେଖ କରିପାରିବେ ବୋଲି ଖଣ୍ଡପୀଠ କହିଛନ୍ତି। ମାମଲାର ସମସ୍ତ ଦିଗକୁ ନିରପେକ୍ଷ ଭାବରେ ବିଚାର କରିବାକୁ ସୁପ୍ରିମକୋର୍ଟ ହାଇକୋର୍ଟଙ୍କୁ କହିଛନ୍ତି।

ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମହେଶ ଜେଠମାଲିନୀ ଶୁଣାଣି ସମୟରେ ଖଣ୍ଡପୀଠଙ୍କୁ କହିଥିଲେ, ହାଇକୋର୍ଟ ପ୍ରଥମେ ସେମାନଙ୍କୁ ମାଜିଷ୍ଟ୍ରେଟ୍‌ଙ୍କ ପାଖକୁ ପଠାଇ ଦେଇଥିଲେ ଏବଂ ତା ପରେ ନୟାଗଡ଼ ଜିଲ୍ଲାପାଳ ଓ ଏସ୍‌ପି ଏହି ଘଟଣାରେ ଜାତୀୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଏନ୍‌ସିପିସିଆର୍‌)କୁ ବିଭ୍ରାନ୍ତ କରିଥିଲେ। ଖଣ୍ଡପୀଠ କହିଥିଲେ, ଏହି ମାମଲାରେ ପ୍ରଥମେ ପରୀଙ୍କ ବାପାଙ୍କ ଦ୍ବାରା ହାଇକୋର୍ଟରେ ରିଟ୍‌ ପିଟିସନ୍‌ ଦାଖଲ କରାଯାଇଥିଲା, ତା ପରେ ପରୀଙ୍କ ମାଆଙ୍କ ଦ୍ବାରା ସୁପ୍ରିମକୋର୍ଟରେ ରିଟ୍‌ ପିଟିସନ୍‌ ଦାଖଲ କରାଯାଇଥିଲା। ହାଇକୋର୍ଟରେ ମାମଲାର ତଦନ୍ତ ପାଇଁ ଏସ୍‌ଆଇଟି ଗଠନ ପାଇଁ ଦାବି ରହିଥିଲା ଯାହା ଗ୍ରହଣ କରାଯାଇଛି।

ଏହାପରେ ଏହି ମାମଲାକୁ ନେଇ ଅନ୍ୟ କିଛି ତଥ୍ୟ ଆସିଛି ଯାହାକୁ ହାଇକୋର୍ଟରେ ସଂଶୋଧନ ରିଟ୍‌ ପିଟିସନ୍‌ରେ ଉପସ୍ଥାପନ କରାଯାଇପାରିଥାନ୍ତା। ଆବେଦନକାରୀଙ୍କ ଦ୍ବାରା ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ରିଟ୍‌ ପିଟିସନ୍‌ରେ ଏନ୍‌ସିପିସିଆରର ଡିସେମ୍ବର ୧୯, ୨୦୨୦ ରିପୋର୍ଟ ସମେତ ଯେଉଁ ସବୁ ତଥ୍ୟ ଉପସ୍ଥାପନ କରାଯାଇଛି ତାହାକୁ ହାଇକୋର୍ଟରେ ଉଲ୍ଲେଖ କରାଯାଇ ନଥିଲା। ତେଣୁ ସଂଶୋଧନ ରିଟ୍‌ ପିଟିସନ୍‌ ଅନ୍ତର୍ଗତ ଆବେଦନକାରୀ ତଥ୍ୟକୁ ଉପସ୍ଥାପନ କରିପାରିବେ ବୋଲି ଖଣ୍ଡପୀଠ କହିଥିଲେ।

ମାମଲାକୁ ହାଇକୋର୍ଟକୁ ନପଠାଇବା ପାଇଁ ଆବେଦନକାରୀଙ୍କ ଓକିଲ ଖଣ୍ଡପୀଠଙ୍କୁ ଅନୁରୋଧ କରିଥି‌ଲେ। ହେଲେ ଖଣ୍ଡପୀଠ ଏହି ପ୍ରସଙ୍ଗକୁ ହାଇକୋର୍ଟଙ୍କ ଦୃଷ୍ଟିକୁ ଆଣିବା ପାଇଁ ଆବେଦନକାରୀଙ୍କ ଓକିଲ ମହେଶ ଜେଠମାଲିନୀଙ୍କୁ କହିଥିଲେ। ଯଦି ହାଇକୋର୍ଟ ମନାକରନ୍ତି ତାହା ହେଲେ ଆବେଦନକାରୀ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇପାରିବେ ବୋଲି ଖଣ୍ଡପୀଠ କହିଥିଲେ। ଗୋଟିଏ ମାମଲା ଏକ ସମୟରେ ଦୁଇଟି କୋର୍ଟରେ ଚାଲିପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ମତ ପ୍ରକାଶ କରିଥିଲେ। ମାମଲାରେ ରାଜ୍ୟ ସରକାରଙ୍କ ଓକିଲ କପିଲ ସିବଲ କହିଥିଲେ, ପରୀ ମାମଲ‌ାରେ ମୁଖ୍ୟ ଅଭିଯୁକ୍ତର ଚାର୍ଜସିଟ୍‌ ହୋଇସାରିଛି ଏବଂ ଟ୍ରାଏଲ ସେପ୍ଟେମ୍ବର ୨୦ରୁ ଆରମ୍ଭ ହେବ। ଆବେଦନକାରୀ ପ୍ରତିବାଦ ପିଟିସନ ଦାଖଲ କରିପାରିଥାନ୍ତେ କିନ୍ତୁ ସେମାନେ ଦାଖଲ କରିନାହାନ୍ତି। ଆବେଦନକାରୀଙ୍କ ପକ୍ଷରୁ ସୁପ୍ରିମକୋର୍ଟଙ୍କ ନିକଟରେ ଯେଉଁ ଅଙ୍ଗ ଚୋରାଚାଲାଣ କଥା କୁହାଯାଉଛି, ତାହା ହାଇକୋର୍ଟଙ୍କ ନିକଟରେ କାହିଁକି କୁହାଯାଇନଥିଲା ବୋଲି ‌ କପିଲ ସିବଲ ପ୍ରଶ୍ନ କରିଥିଲେ।

ସମ୍ବନ୍ଧିତ ଖବର