ସୁପ୍ରିମକୋର୍ଟରେ ପରୀ ହତ୍ୟାକାଣ୍ଡ ତଦନ୍ତ ପ୍ରସଙ୍ଗ, ପ୍ରମାଣ ନଷ୍ଟ ପାଇଁ ସମୟ ମାଗିଛନ୍ତି ରାଜ୍ୟ ସରକାର : ବିଜେପି

ମାନସିକ ଭାରସାମ୍ୟ ହରାଇଛନ୍ତି ଲେଖାଶ୍ରୀ: ବିଜେଡି

ଭୁବନେଶ୍ୱର: ନୟାଗଡ଼ର ବହୁଚର୍ଚ୍ଚିତ ୫ ବର୍ଷର ଶିଶୁ ପରୀ ହତ୍ୟାକାଣ୍ଡ ଓ ଅଙ୍ଗତସ୍କରୀ ମାମଲାରେ ରାଜ୍ୟ ସରକାର ଅସଲି ଅପରାଧୀକୁ ଧରିବା ଜାଗାରେ ବିଭିନ୍ନ ସମୟରେ ନ୍ୟାୟକୁ ବାଟବଣା କରିବା ପାଇଁ ଅପଚେଷ୍ଟା କରିଛନ୍ତି। ଜାନୁଆରି ୧୪ ତାରିଖରେ ପରୀର ମା’ ସୌଦାମିନୀ ସାହୁ ପରୀ ସମେତ ୫୫୦୦ ନିଖୋଜ ଶିଶୁଙ୍କୁ ନ୍ୟାୟ ଦେବା ପାଇଁ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ସେହିଦିନ ସୁପ୍ରିମକୋର୍ଟ ଉଭୟ ରାଜ୍ୟ ସରକାର ଓ ସିବିଆଇକୁ ନୋଟିସ କରି ଫେବ୍ରୁଆରି ୨୨ ସୁଦ୍ଧା ପକ୍ଷ ରଖିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଇତିମଧ୍ୟରେ ଏହି ମାମଲାର ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ଦ୍ୱାରା ଗଠିତ ଏସ୍‌ଆଇଟି ନୟାଗଡ଼ ଚିଲ୍‌ଡ୍ରେନ କୋର୍ଟରେ ଚାର୍ଜସିଟ ମଧ୍ୟ ଦାଖଲ କରିସାରିଛି। ହେଲେ ରାଜ୍ୟ ସରକାର ଫେବ୍ରୁଆରି ୨୨ ତାରିଖରେ ସୁପ୍ରିମକୋର୍ଟରେ କୌଣସି ପକ୍ଷ ନ ରଖି ଓଲଟା ଆହୁରି ୪ ସପ୍ତାହ ମହଲତ ମାଗିଥିଲେ। ଯେତେବେଳେ ରାଜ୍ୟ ସରକାର ଚିଲଡ୍ରେନ୍‌ କୋର୍ଟରେ ନାବାଳକ ଅଭିଯୁକ୍ତ ସରୋଜ ସେଠୀକୁ ଦୋଷୀ ସାବ୍ୟସ୍ତ କରିବା ପାଇଁ ଚାର୍ଜସିଟ ଦାଖଲ କରିଛନ୍ତି ଏବଂ ତଥ୍ୟ ପ୍ରମାଣ ଦେଇ ତାକୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ପର୍ଯ୍ୟାପ୍ତ ବୋଲି କହୁଛନ୍ତି ସେତେବେଳେ ଏହି ପ୍ରମାଣ ସୁପ୍ରିମକୋର୍ଟରେ ରଖିବା ପାଇଁ କାହିଁକି ଡରିଲେ ବୋଲି ବିଜେପି ପକ୍ଷରୁ ପ୍ରଶ୍ନ କରାଯାଇଛି।

ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ଯେ ପରୀ ହତ୍ୟାକାଣ୍ଡ ଓ ଅଙ୍ଗ ତସ୍କରୀ ଘଟଣାରେ ରାଜ୍ୟ ସରକାର ସିବିଆଇ ତଦନ୍ତ ଅଟକାଇବା ପାଇଁ ଦେଶର ସବୁଠୁ ଦାମିକିଆ ଓକିଲ ଇ.ସି. ଅଗ୍ରୱାଲଙ୍କୁ ନିଯୁକ୍ତ କରିଛନ୍ତି। ରାଜ୍ୟ ସରକାର ପରୀ ହତ୍ୟା ଓ ଅଙ୍ଗ ତସ୍କରୀ ଘଟଣାରେ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଦେଇ ସିବିଆଇକୁ ଅଟକାଇବା ପାଇଁ ଶ୍ରୀ ଅଗ୍ରୱାଲଙ୍କୁ ନିଯୁକ୍ତ କରିଛନ୍ତି କି ? ସିବିଆଇ ଆସିଲେ ସତ୍ୟର ଖୁଲାସା ହେବ ବୋଲି ରାଜ୍ୟ ସରକାର ଭୟଭୀତ ହୋଇପଡ଼ିଛନ୍ତି। ରାଜ୍ୟର ମନ୍ତ୍ରୀ ଅରୁଣ ସାହୁଙ୍କର ସିଧାସଳଖ ପରୀ ଘଟଣାରେ ସଂପୃକ୍ତି ଆସିବା ପରେ ସରକାର ତାଙ୍କୁ ବଞ୍ଚାଇବା ପାଇଁ ଏଭଳି କରୁଛନ୍ତି। ଏହି ୪ ସପ୍ତାହରେ ସବୁ ପ୍ରକାର ତଥ୍ୟ ପ୍ରମାଣ ନଷ୍ଟ କରିବା ପାଇଁ ସରକାର ମହଲତ ନେଇଛନ୍ତି । ୫ ବର୍ଷର ଶିଶୁ କନ୍ୟା ପରୀକୁ ନ୍ୟାୟ ନ ଦେବା ପାଇଁ ସରକାର ଅଣ୍ଟା ଭିଡ଼ିଛନ୍ତି ବୋଲି ଶ୍ରୀମତୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି।

ମାନସିକ ଭାରସାମ୍ୟ ହରାଇଛନ୍ତି ଲେଖାଶ୍ରୀ: ବିଜେଡି
ଭୁବନେଶ୍ବର: ବିଜେପି ମୁଖପାତ୍ର ଲେଖାଶ୍ରୀ ସାମନ୍ତସିଂହାର ତାଙ୍କର ମାନସିକ ଭାରସାମ୍ୟ ହରାଇବା ଭଳି ଲକ୍ଷ୍ୟ କରାଯାଉଛି। ଆମେ ବାରମ୍ବାର କହୁଛୁ ଯେ ଯଦି ତାଙ୍କ ପାଖରେ କିଛି ତଥ୍ୟ ପ୍ରମାଣ ରହିଛି ତେବେ ସେ ତାକୁ ଅଦାଲତରେ ଦାଖଲ କରନ୍ତୁ। ହେଲେ ସେ କୌଣସି ପ୍ରମାଣ ଦାଖଲ କରିପାରୁ ନାହାନ୍ତି ବୋଲି ଗଣମାଧ୍ୟମ ସାମ୍ନାରେ ଅଭିଯୋଗ କରିଛନ୍ତି ବିଜେଡି ମୁଖପାତ୍ର ଇସ୍ପିତା ସାହୁ। ଏକ ପ୍ରେସ ଇସ୍ତାହାରରେ ଇସ୍ପିତା କହିଛନ୍ତି ଯେ ରାଜ୍ୟ ସରକାର କେଉଁ ଆଇନଜୀବୀଙ୍କୁ ନିୟୋଜିତ କରିବେ ଲେଖାଶ୍ରୀଙ୍କୁ ପଚାରି କରିଥାଆନ୍ତେ କି? ଯେଭଳିକି ଏହାର ତଦନ୍ତ କିଭଳି ହେବ ତାହା ସ୍ଥିର କରିବା ଲେଖାଶ୍ରୀ ଚାହୁଁଥିଲେ। ଏହା ଦ୍ୱାରା ସେ ତଦନ୍ତକୁ ଦିଗହରା ଓ ବାଟବଣା କରିବାକୁ ଚାହୁଁଛନ୍ତି। ଏଭଳି କାର୍ଯ୍ୟପାଇଁ ସେ ଲଜ୍ଜିତ ହେବା ସହିତ ଓଡିଶାବାସୀଙ୍କ ନିକଟରୁ ଏଥିପାଇଁ କ୍ଷମା ମାଗିନେବା ଉଚିତ୍‍। ଗତ ୨୧ବର୍ଷ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ପିପିଲି ଅଞ୍ଚଳରେ ବ୍ୟାପକ ବିକାଶ କାର୍ଯ୍ୟ ହୋଇଥିବା ବେଳେ ଲେଖାଶ୍ରୀଙ୍କ ମନଗଢା କାହାଣୀ ଲୋକଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ। ଲେଖାଶ୍ରୀଙ୍କ ଉପରେ ଏବେ ଦୟା ଆସୁଛି। ବିଗତ ଦୁଇଟି ନିର୍ବାଚନରେ ବିଜେପି ତାଙ୍କୁ ଟିକେଟ ଦେଇନଥିବାରୁ କାଳେ ଟିକେଟ ମିଳିଯିବ ସେହି ଆଶାରେ ସେ ଏବେ ପିପିଲିରେ ନାକ ପୂରାଉଛନ୍ତି। ଜଣେ ମହିଳା ହିସାବରେ ମୁଁ ତାଙ୍କ ପ୍ରତି ସମବେଦନା ଜଣାଉଛି ବୋଲି କହିଛନ୍ତି ସୁଶ୍ରୀ ସାହୁ।

 

ସମ୍ବନ୍ଧିତ ଖବର