ପରୀ ମାମଲାରେ ନୂଆ ମୋଡ଼ : ରାଜ୍ୟ ସରକାର, ସିବିଆଇକୁ ସୁପ୍ରିମ କୋର୍ଟ ନୋଟିସ

୪ ସପ୍ତାହ ଭିତରେ ଜବାବ ଦାଖଲ ପାଇଁ ନିର୍ଦେଶ

ଏସ୍‌ଆଇଟି ତଦନ୍ତରେ ଅସନ୍ତୋଷ ପ୍ରକାଶ କରି ପରୀର ମା’ଙ୍କ ଆବେଦନ

ନୂଆଦିଲ୍ଲୀ : ବହୁଚର୍ଚ୍ଚିତ ନୟାଗଡ଼ ପରୀ ହତ୍ୟା ମାମଲାରେ ଏସ୍‌ଆଇଟିକୁ ଆଶ୍ବସ୍ତିର ୨୪ ଘଣ୍ଟା ପୂରିନି, ମାମଲାଟି ନୂଆ ମୋଡ଼ ନେଇଛି। ସର୍ବୋଚ୍ଚ ନ୍ୟାୟାଳୟ ଆଜି ଏହି ସମ୍ବେଦନଶୀଳ ମାମଲାକୁ ବିଚାର ପାଇଁ ଗ୍ରହଣ କରି ଉଭୟ ସିବିଆଇ ଏବଂ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରିଛନ୍ତି।

ସରକାରଙ୍କ ଏସ୍‌ଆଇଟି ତଦନ୍ତରେ ଅସନ୍ତୋଷ ପ୍ରକାଶ କରି ପରୀର ମାଆ ସୌଦାମିନୀ ସାହୁ ଗତ ଡିସେମ୍ବରରେ ସୁପ୍ରିମକୋର୍ଟରେ ପିଟିସନ୍ ଦାଖଲ କରିଥିଲେ। ସର୍ବୋଚ୍ଚ ନ୍ୟାୟାଳୟର ବିଚାରପତି ଏ ଏମ୍ ଖାନଵିଲକର୍, ବିଚାରପତି ବି ଆର୍ ଗଭାଇ ଏବଂ ବିଚାରପତି କୃଷ୍ଣମୂର୍ତ୍ତି ମୁରାରୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ରିଟ୍ ପିଟିସନ୍‌କୁ ଶୁଣାଣି ପାଇଁ ଗ୍ରହଣ କରିବା ସହିତ ଚାରି ସପ୍ତାହ ମଧ୍ୟରେ ଜବାବ ଦାଖଲ ପାଇଁ ରାଜ୍ୟ ସରକାର ଓ ସିବିଆଇକୁ କହିଥିଲେ। ଜବାବ ଦାଖଲ ପରେ ପରବର୍ତ୍ତୀ ଶୁଣାଣି ତାରିଖ ଧାର୍ଯ୍ୟ ହେବ।

ଭିଡ଼ିଓ କନଫରେନ୍ସିଂ ଯୋଗେ ଆଜି ଏହି ମାମଲାର ଶୁଣାଣି ହୋଇଥିଲା। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମହେଶ ଜେଠମାଳିନୀ ପକ୍ଷ ରହିବା ସହିତ ମାମଲାର ନିରପେକ୍ଷ ତଦନ୍ତ ପାଇଁ ସିବିଆଇକୁ ଦିଆଯିବା ସପକ୍ଷରେ ଯୁକ୍ତି ରଖିଥିଲେ। କହିଥିଲେ ଯେ ବର୍ତ୍ତମାନ ଯେଉଁଭଳି ଏହି ମାମଲାର ତଦନ୍ତ ଚାଲିଛି, ତାହା ଆଦୌ ନିରପେକ୍ଷ ନୁହେଁ। ୫ବର୍ଷର ପରୀକୁ ଯେଉଁଭଳି ଭାବେ ହତ୍ୟା କରାଗଲା, ତାର ପ୍ରକୃତ ସତ୍ୟାସତ୍ୟ କେବଳ ସିବିଆଇ ହିଁ ଉନ୍ମୋଚନ କରିପାରିବ ବୋଲି ମହେଶ ଖଣ୍ଡପୀଠଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେ ଆହୁରି କହିଥିଲେ ଯେ ପରୀର ବାପା ଓ ମାଆଙ୍କ ଜୀବନ ଅସୁରକ୍ଷିତ ଅବସ୍ଥାରେ ରହିଛି। ଏସ୍‌ଆଇଟି ତଦନ୍ତକୁ ସ୍ଥାନୀୟ ନେତାମାନଙ୍କ ଦ୍ବାରା ପ୍ରଭାବିତ କରାଯାଉଛି। ପୁଲିସର ଭୂମିକା ଉପରେ ମଧ୍ୟ ପ୍ରଶ୍ନଚିହ୍ନ ଲାଗିଛି। ଏଣୁ କେବଳ ସିବିଆଇ ଦ୍ବାରା ହିଁ ଏହାର ନିରପେକ୍ଷ ତଦନ୍ତ ହୋଇପାରିବ।

ଏସ୍‌ଆଇଟିର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇ ଶ୍ରୀ ଜେଠମାଳିନୀ ଯୁକ୍ତି ରଖିଥିଲେ ଯେ ବର୍ତ୍ତମାନ ସୁଦ୍ଧା ଏହି ତଦନ୍ତକାରୀ ଅଧିକାରୀମାନେ ସ୍ଥାନୀୟ ଆଇଆଇସିଙ୍କୁ ତଦନ୍ତ ପରିସରଭୁକ୍ତ କରିନାହାନ୍ତି। ପ୍ରକୃତ ଅଭିଯୁକ୍ତକୁ ସାମ୍ନାକୁ ଆଣିପାରିନାହାନ୍ତି। ବାବୁଲି ନାୟକ କିମ୍ବା ସ୍ଥାନୀୟ ବିଧାୟକଙ୍କୁ ପ୍ରଶ୍ନ କରାଯାଇନାହିଁ। ଏସବୁ କେବଳ ସିବିଆଇ ହିଁ କରିପାରିବ। ଖଣ୍ଡପୀଠ ଏସବୁ ଯୁକ୍ତି ଶୁଣିବା ପରେ ଉଭୟ ସିବିଆଇ ଓ ରାଜ୍ୟ ସରକାରଙ୍କୁ ନୋଟିସ୍ କରିଥିଲେ।

ଉଲ୍ଲେଖଯୋଗ୍ୟ ଯେ ଗତ ଡିସେମ୍ବର ୨୯ ତାରିଖରେ ପରୀର ମାଆ ସୌଦାମିନୀ ସାହୁ ମାମଲାର ନିରପେକ୍ଷ ତଦନ୍ତ ଦାବି କରି ୫୫ ପୃଷ୍ଠାର ଏକ ରିଟ୍ ପିଟିସନ୍ ସର୍ବୋଚ୍ଚ ଅଦାଲତରେ ଦାୟର କରିଥିଲେ। ଏଥିରେ ଏକଥା ବି କୁହାଯାଇଛି ଯେ ହାଇକୋର୍ଟରେ ଦୁଇଟି ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। କିନ୍ତୁ ଘଟଣା ଓ ସ୍ଥିତି ସଂପର୍କରେ ବିସ୍ତୃତ ଭାବେ ବୁଝାଯାଇପାରିନାହିଁ। ଏହା ସହିତ ପୀଡ଼ିତା କିମ୍ବା ତାଙ୍କ ପରିବାରର କୌଣସି ସଂପର୍କ ନାହିଁ। ପୁଣି ଏଥିରେ ସିବିଆଇକୁ ମଧ୍ୟ ଏଯାଏ ପକ୍ଷଭୁକ୍ତ କରାଯାଇନାହିଁ।

ସୂଚନାଯୋଗ୍ୟ ଯେ ଗତକାଲି ଓଡ଼ିଶା ହାଇକୋର୍ଟ ଏହି ମାମଲାରେ ଏସଆଇଟି ତଦନ୍ତ ନେଇ ସନ୍ତୋଷ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର