ଦିଲ୍ଲୀରେ ‘ପରୀ’ ତାତି, ଆବାସିକ କମିସନର୍‌ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ରାଜ୍ୟ ସରକାରଙ୍କଠାରୁ ଏନ୍‌ସିପିସିଆର୍‌ର ଜବାବ ତଲବ
କଂଗ୍ରେସର ୯ ବିଧାୟକ ବିଜେଡିରୁ ଟଙ୍କା ନେଇଛନ୍ତି: ସମ୍ବିତ

ନୂଆଦିଲ୍ଲୀ : ପରୀ ହତ୍ୟା ପ୍ରସଙ୍ଗରେ ରାଜ୍ୟରେ ତମ୍ବିତୋଫାନ ଲାଗି ରହିଥିବା ବେଳେ ଦିଲ୍ଲୀରେ ବି ଏହାର ତାତି ଦେଖିବାକୁ ମିଳିଛି। ଜାତୀୟ ଶିଶୁ ସୁରକ୍ଷା ଅଧିକାର କମିଶନ (ଏନ୍‌ସିପିସିଆର୍‌) ଏନେଇ ଓଡ଼ିଶା ସରକାରଙ୍କୁ ନୋଟିସ୍‌ ଦେବା ସହିତ ରିପୋର୍ଟ ତଲବ କରିଛନ୍ତି। ସେପଟେ ବିଜେପି ପକ୍ଷରୁ ଦିଲ୍ଲୀସ୍ଥିତ ଆବାସିକ କମିସନରଙ୍କ କାର୍ଯ୍ୟାଳୟ ସମ୍ମୁଖ‌ରେ ବିକ୍ଷୋଭ କରାଯାଇଛି। କେବଳ ଏତିକି ନୁହେଁ ଦଳ ଅଭିଯୋଗ କରିଛି ଯେ ବିଜେଡି ଠାରୁ ପଇସା ନେଇ କଂଗ୍ରେସ ରାଜ୍ୟ ସରକାର ଆଗରେ ମୁଣ୍ଡ ନୁଆଁଇଛି।

ମିଳିଥିବା ସୂଚନା ଅନୁସାରେ, ଏନ୍‌ସିପିସିଆର୍‌ ପକ୍ଷରୁ ପରୀ ହତ୍ୟା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ କରାଯାଇଛି। କମିସନ ନିଜ ଆଡୁ ମାମଲା ରୁଜୁ କରିବା ସହ ରାଜ୍ୟ ସରକାରଙ୍କୁ ନୋଟିସ୍ କରିଥିବା ଜଣାପଡ଼ିଛି। ନୋଟିସ୍‌ରେ ୧୦ ଦିନ ମଧ୍ୟରେ ରିପୋର୍ଟ ସହ ଆବଶ୍ୟକ ଦସ୍ତାବିଜ୍‌ ଦାଖଲ ପାଇଁ କୁହାଯାଇଛି। ଏଥିସହିତ ଏହି ମାମଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି, ସେ ସମ୍ପର୍କରେ ଅବଗତ କରିବା ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ପରୀ ପ୍ରସଙ୍ଗରେ ବିଜେପି ତା’ର ଆନ୍ଦୋଳନକୁ ଜୋର୍‌ଦାର୍‌ କରିବା ସହିତ ଦିଲ୍ଲୀ ନେଇ ଆସିଛି। ଘଟଣାର ତଦନ୍ତ ପାଇଁ ରାଜ୍ୟ ସରକାର ଏସ୍‌ଆଇଟି ଗଠନ କରିଥିଲେ ବି ଏହା ଦଳକୁ ସନ୍ତୁଷ୍ଟ କରିନାହିଁ। ବରଂ ଏହି ଘଟଣାରେ ରାଜ୍ୟ କୃଷି ମନ୍ତ୍ରୀ ଡ. ଅରୁଣ ସାହୁଙ୍କ ଇସ୍ତଫା ଦାବି‌ରେ ଅଟଳ ରହିଛି। ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ନେତୃତ୍ବରେ କିଛି ପ୍ରବାସୀ ଓଡ଼ିଆ ଦିଲ୍ଲୀସ୍ଥିତ ଆବାସିକ କମିସନରଙ୍କ କାର୍ଯ୍ୟାଳୟ ସମ୍ମୁଖ‌ରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଶ୍ରୀ ପାତ୍ର କହିଛନ୍ତି, ‘ରାଜ୍ୟ ସରକାର ଯେଉଁ ଏସ୍‌ଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ତ‌ାହା କେବଳ ଆଖି ଦେଖାଣିଆ। ଏହାଦ୍ବାରା ପ୍ରକୃତ ତଥ୍ୟ ଉନ୍ମୋଚନ ହୋଇପାରିବ ନାହିଁ। ଆମକୁ ଜଷ୍ଟିସ୍-ଫର୍‌-ପରୀ ଦରକାର। ଏଥିସହିତ କହିଛନ୍ତି ଯେ ଅଭିଯୁକ୍ତକୁ ମନ୍ତ୍ରୀ ସୁରକ୍ଷା ଦେଉଛନ୍ତି। ପରୀକୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଏ ଲଢେଇ ଜାରି ରହିବ। କଂଗ୍ରେସର ୯ଜଣ ବିଧାୟକ ବିଜେଡିଠାରୁ ଟଙ୍କା ନେଇ ରାଜ୍ୟ ସରକାରଙ୍କ ନିକଟରେ ମୁଣ୍ଡ ନୁଆଁଇଛନ୍ତି ବୋଲି ସେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି।

ଏଥିସହିତ ଡା. ପାତ୍ର ସ୍ବତନ୍ତ୍ର ଟିମ୍‌ ଗଠନ କରି ପରୀ ଘଟଣାର ତଦନ୍ତ କରିବା ପାଇଁ ଏନ୍‌ସିପିସିଆର୍‌ କମିସନଙ୍କୁ ଅନୁରୋଧ ଜଣାଇବା ସହିତ ଏକ ସ୍ମାରକପତ୍ର ଦେଇଛନ୍ତି। ଏନ୍‌ସିପିସିଆର୍‌ ପକ୍ଷରୁ ରାଜ୍ୟ ସରକାରଙ୍କୁ ମଧ୍ୟ ରିପୋର୍ଟ ତଲବ କରାଯାଇଛି।

ସମ୍ବନ୍ଧିତ ଖବର