ଏମ୍ସରେ ଭର୍ତ୍ତି ହେଲେ ପାରିକର୍‌

ପାଣାଜି: ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ଆଜି ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି। ଆଜି ଅପରାହ୍ନରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ନିକଟରେ ଆମେରିକାରେ ଚିକିତ୍ସିତ ହୋଇ ସେ ସ୍ୱଦେଶ ଫେରିଥିଲେ। କିନ୍ତୁ ତାଙ୍କ ସ୍ୱାସ୍ୱ୍ୟାବସ୍ଥାରେ ଆଶାଜନକ ସୁଧାର ଦେଖିବାକୁ ମିଳିନଥିବାରୁ ତାଙ୍କୁ ଚେକ୍‌ ଅପ୍‌ ନିମନ୍ତେ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି। ୬୨ ବର୍ଷୀୟ ପାରିକରଙ୍କ ଅଗ୍ନାଶୟରେ ସମସ୍ୟା ରହିଛି। ତେଣୁ ଚଳିତବର୍ଷ ପ୍ରାରମ୍ଭରେ ସେ ଆମେରିକା ଯାଇ ସେଠାରେ ୩ ମାସ ଧରି ଚିକିତ୍ସିତ ହୋଇଥିଲେ। ଏହାପରେ ସେ ଭାରତ ଫେରିବା ପରେ ପୁଣି ଅସୁସ୍ଥ ହୋଇପଡ଼ିଥିଲେ। ପରେ ତାଙ୍କୁ ପୁନର୍ବାର ଆମେରିକା ପଠାଯାଇଥିଲା। ଦୁଇଥର ଚିକିତ୍ସିତ ହେବା ପରେ ସେ ନିକଟରେ ଭାରତ ଫେରିଛନ୍ତି। ଅପରପକ୍ଷରେ ରାଜ୍ୟର ଦାୟିତ୍ୱ ତଦାରଖ କରିବା ସକାଶେ ପାରିକର ଜଣେ ବରିଷ୍ଠ ମନ୍ତ୍ରୀଙ୍କୁ ଦାୟିତ୍ୱ ପ୍ରଦାନ କରିଥିବା ଜଣାପଡ଼ିଛି। ଏ ପ୍ରସଙ୍ଗରେ ମେଣ୍ଟ ସରକାରର ଏକ ସହଯୋଗୀ ଦଳ ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟି (ଏମ୍‌ଜିପି) ସଭାପତି ଦୀପକ ଧବଲିକର ଶନିବାର ସାମ୍ବାଦିକଙ୍କୁ ସୂଚନା ଦେଇ କହିଛନ୍ତି, ସରକାର ପରିଚାଳନା ନିମନ୍ତେ ପାରିକର ଜଣେ ବରିଷ୍ଠ ମନ୍ତ୍ରୀଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି। ଗତ ୮ ମାସ ହେଲା ସରକାର ଠିକ୍‌ ଭାବେ ଚାଲିନାହିଁ। ତେଣୁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି। ପାରିକରଙ୍କ ଅନୁପସ୍ଥିତିରେ ସମ୍ପୃକ୍ତ ବରିଷ୍ଠ ମନ୍ତ୍ରୀ ଦାୟିତ୍ୱ ନିର୍ବାହ କରିବେ। ତେବେ କାହାକୁ ପ୍ରକୃତରେ ଏହି ଦାୟିତ୍ୱ ଦିଆଯାଇଛି ସେ ବାବଦରେ କିଛି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। କିନ୍ତୁ ଏହାକୁ ଅନ୍ୟ ମନ୍ତ୍ରୀମାନେ ସହଜରେ ଗ୍ରହଣ କରିପାରିନାହାନ୍ତି।

ସମ୍ବନ୍ଧିତ ଖବର