ପାନାଜୀ : ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ଆମେରିକାରୁ ଚିକିତ୍ସା ହୋଇ ଫେରିବା ପରେ ଆଜି ରାଜଧାନୀ ପାନାଜୀରେ ପହଞ୍ଚିଛନ୍ତି । ପହଞ୍ଚିବା ପରେ ସେ ସିଧା ପାନାଜୀଠାରୁ ୧୫ କିଲୋମିଟର ଦୂର ମାର୍ସେଲ ନାମକ ଛୋଟ ଟାଉନରେ ଥିବା ଦେବକୀକ୍ରିଷ୍ଣା ନାମକ ମନ୍ଦିରରେ ଦର୍ଶନ କରିଥିଲେ । ଏହି ଦେବକୀକ୍ରିଷ୍ଣା ମନ୍ଦିର ହେଉଛି ଗୋଆରେ ଏକ ପ୍ରସିଦ୍ଧ ମନ୍ଦିର ଓ ଭାରତର ଏକମାତ୍ର ମନ୍ଦିର ଯେଉଁଠାରେ ଭଗବାନ କୃଷ୍ଣ ନିଜ ମାତା ଦେବକୀଙ୍କ ସହ ପୂଜା ପାଆନ୍ତି । ଏହି ଦେବକୀକ୍ରିଷ୍ଣା ହେଉଛନ୍ତି ପାରିକର ପରିବାରର ଇଷ୍ଟଦେବ । ପୂର୍ବରୁ ଏହି ବିଗ୍ରହ ଗୋଆର ଚୂଡାମଣି ନାମକ ଦ୍ୱୀପରେ ଥିଲେ । କିନ୍ତୁ ଗୋଆରେ ପର୍ତ୍ତୃଗୀଜ ଆକ୍ରମଣ ସମୟରେ ଏହି ମନ୍ଦିରର ଶ୍ରୀବିଗ୍ରହଙ୍କୁ ଅନ୍ୟ ଏକ ସ୍ଥାନକୁ ସ୍ଥାନାନ୍ତରୀତ କରାଯାଇଥିଲା ଓ ପରେ ଏହାକୁ ବର୍ତ୍ତମାନର ସ୍ଥାନ ମାର୍ସେଲକୁ ଅଣାଯାଇଥିଲା । ମନ୍ଦିର ଦର୍ଶନ ପରେ ସେ ଏକ ଜରୁରୀ କ୍ୟାବିନେଟ ବୈଠକ ଡାକିଥିଲେ ।

Advertisment

publive-image Devaki-Krishna of Mashel (Marcela)

ଗତ ମାର୍ଚ୍ଚରୁ ଆମେରିକାରେ ରହି ଚିକିତ୍ସିତ ହେଉଥିବା ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକର ଗତକାଲି ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଥିଲେ । ପାନକ୍ରିୟାଜରେ କେତେକ ସମସ୍ୟା ଯୋଗୁଁ ସେ ଅସୁସ୍ଥ ହୋଇପଡିଥିଲେ । ଭାରତରେ ତାଙ୍କର ସ୍ୱାସ୍ଥ୍ୟରେ ଅବନତି ଦେଖାଦେବାରୁ ତାଙ୍କୁ ଉଚ୍ଚ ଚିକିତ୍ସା ପାଇଁ ଆମେରିକା ପଠାଯାଇଥିଲା । ସେ ଆମେରିକାରେ ଚିକିତ୍ସିତ ହେଉଥିବାବେଳେ ଶାସନ ପରିଚାଳନା ପାଇଁ ଏକ କ୍ୟାବିନେଟ ପରାମର୍ଶଦାତା କମିଟି ଗଠନ କରିଥିଲେ । ଏହି କମିଟି ହିଁ ମନ୍ତ୍ରୀମାନଙ୍କୁ ବିଭିନ୍ନ କାର୍ଯ୍ୟପାଇଁ ପରାମର୍ଶ ଦେଉଥିଲା । ଏହି କମିଟିର କାର୍ଯ୍ୟ ଉପରେ ସେ ଆମେରିକାରୁ ରହି ତଦାରଖ କରୁଥିଲେ ।