ପରାକ୍ରମ ଦିବସ: ନେତାଜୀଙ୍କ ନିକଟରେ ଦେଶ ଋଣୀ

ମତେ ଆମନ୍ତ୍ରଣ କରି ଅପମାନିତ କରାଯାଇଛି: ମମତା

କୋଲାକାତା: ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ଆଜି ଦେଶବ୍ୟାପୀ ‘ପରାକ୍ରମ ଦିବସ’ ଭାବେ ପାଳିତ ହୋଇଛି। ଏହି ଅବସରରେ କୋଲକାତାରେ ଅନୁଷ୍ଠିତ ଜାତୀୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ନ୍ୟାସନାଲ ଲାଇବ୍ରେରିରେ ଏକ ମ୍ୟୁଜିୟମକୁ ମଧ୍ୟ ଉଦ୍‌ଘାଟନ କରିଛନ୍ତି। ଭିକ୍ଟୋରିଆ ମେମୋରିଆଲରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତର ପ୍ରତ୍ୟେକ ବ୍ୟକ୍ତି ନେତାଜୀଙ୍କ ନିକଟରେ ଋଣୀ। ଏତେ ବିଶାଳ ବ୍ୟକ୍ତିତ୍ବର ଅଧିକାରୀ ଏବଂ ବୀର ସୁପୁତ୍ର ମା’ ଭାରତୀଙ୍କ କୋଳରେ ଜନ୍ମ ନେଇଥିଲେ, ଯିଏ କି ଭାରତର ସ୍ବପ୍ନକୁ ନୂଆ ମାର୍ଗ ଦେଖାଇଛନ୍ତି।

ପରାଧୀନତାର ଅନ୍ଧକାରକୁ ନେତାଜୀ ଚ୍ୟାଲେଂଜ କରିଥିଲେ ଏବଂ ବିଶ୍ବର ସବୁଠାରୁ ବଡ଼ ଶକ୍ତି ସମ୍ମୁଖରେ ଛିଡ଼ା ହୋଇ କହିଥିଲେ- ମୁଁ ତୁମକୁ ସ୍ବାଧୀନତା ମାଗିବି ନାହିଁ, ଛଡ଼ାଇ ନେବି। ନେତାଜୀଙ୍କ ପ୍ରେରଣାକୁ ନେଇ ଦେଶ ଆଗକୁ ବଢ଼ିଛି ଏବଂ ଏବେ ଏଲ୍‌ଏସିରୁ ଏଲ୍‌ଓସି ପର୍ଯ୍ୟନ୍ତ ଏକ ଶକ୍ତିଶାଳୀ ଭାରତର ପରାକ୍ରମକୁ ବିଶ୍ବ ଦେଖୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶ ଚଳିତ ବର୍ଷ ସ୍ବାଧୀନତାର ୭୫ ବର୍ଷରେ ପ୍ରବେଶ କରିବାକୁ ଯାଉଥିବା ବେଳେ ଆତ୍ମନିର୍ଭର ଭାରତର ସଂକଳ୍ପ ନେଇ ୧୩୦ କୋଟି ଜନତା ଆଗକୁ ବଢ଼ୁଛନ୍ତି। ଆତ୍ମନିର୍ଭର ହେବାପାଇଁ ଆମର ସଂଘର୍ଷ ଓ ନିଷ୍ଠା ଶତ ପ୍ରତିଶତ ଫଳବତୀ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଦେଶରେ ଦାରିଦ୍ରୢ, ଅଶିକ୍ଷା, ନୂଆ ବୈଜ୍ଞାନିକ ଉଦ୍ଭାବନର ଅଭାବ ଆମ ପାଇଁ ବଡ଼ ସମସ୍ୟା ଭାବେ ରହିଛି। ଦେଶବାସୀ ମିଳିତ ପ୍ରୟାସରେ ଏସବୁ ସମସ୍ୟାର ଦୂରୀକରଣ କରିପାରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ନେତାଜୀଙ୍କ ଜୀବନ, ତାଙ୍କର ପ୍ରତ୍ୟେକଟି କାର୍ଯ୍ୟ, ପ୍ରତ୍ୟେକ ନିଷ୍ପତ୍ତି ସମସ୍ତଙ୍କ ପାଇଁ ବହୁତ ବଡ଼ ପ୍ରେରଣା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ୨୦୧୮ରେ ଦେଶ ଆଜାଦ୍‌ ହିନ୍ଦ୍ ସରକାରର ୭୫ ବର୍ଷ ପାଳନ କରିଥିଲା। ନେତାଜୀ ଏକ ସ୍ବାଧୀନ ଓ ସଶକ୍ତ ଭାରତର ସ୍ବପ୍ନ ଦେଖିଥିଲେ ଏବଂ ଏହି ସ୍ବପ୍ନକୁ ଦେଶ ପୂରଣ କରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ ‘ପରାକ୍ରମ’ ଦିବସ କାର୍ଯ୍ୟକ୍ରମକୁ ସମାଲୋଚନା କରି କହିଛନ୍ତି ଯେ ଆମେ ପ୍ରତ୍ୟେକ ବର୍ଷ ନେତାଜୀ ଜୟନ୍ତୀକୁ ‘ଦେଶନାୟକ ଦିବସ’ ଭାବେ ପାଳନ କରିଆସୁଛୁ।

ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଭାଷଣ ଦେବାକୁ ମନା କଲେ

ନେତାଜୀ ଜୟନ୍ତୀ ଅବସରରେ କୋଲକାତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଆଜି ଉଦ୍‌ବୋଧନ ଦେବାକୁ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପସ୍ଥିତିରେ ମନା କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ମମତାଙ୍କ ଭାଷଣ ପୂର୍ବରୁ କି‌ଛି ଲୋକ ସଭାସ୍ଥଳରେ ‘ଜୟ ଶ୍ରୀ ରାମ’ ଏବଂ ମୋଦୀ-ମୋଦୀ ସ୍ଲୋଗାନ ଦେବାରୁ ଏଥିରେ କ୍ଷୁବ୍ଧ ମମତା କହିଥିଲେ ଯେ ତାଙ୍କୁ ଏକ ସରକାରୀ କାର୍ଯ୍ୟକ୍ରମକୁ ଆମନ୍ତ୍ରଣ କରି ଅପମାନିତ କରାଯାଇଛି ଏବଂ କାର୍ଯ୍ୟକ୍ରମର ଗରିମାକୁ ନଷ୍ଟ କରାଯାଇଛି। କେନ୍ଦ୍ର ସରକାର କୋଲକାତାରେ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ମୁଁ ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି। କିନ୍ତୁ ମତେ ଅପମାନିତ କରାଯାଇଥିବାରୁ ଏହାର ପ୍ରତିବାଦରେ ମୁଁ ଭାଷଣ ଦେବିନାହିଁ ବୋଲି ମମତା କହିଥିଲେ।

ସମ୍ବନ୍ଧିତ ଖବର