ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ‘ପରୀକ୍ଷା ପେ ଚର୍ଚ୍ଚା’ର ୯ମ ସଂସ୍କରଣରେ ଦେଶର ‌କୋଟି କୋଟି ଛାତ୍ରଛାତ୍ରୀଙ୍କୁ ବ୍ୟକ୍ତିଗତ ବିକାଶ, ଦକ୍ଷତା ବୃଦ୍ଧି, ଚାପମୁକ୍ତ ଶିକ୍ଷା ଗ୍ରହଣ, ବୈଷୟିକ ଜ୍ଞାନର ଉପଯୋଗ ତଥା ରାଷ୍ଟ୍ରଗଠନ ଦିଗରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଛନ୍ତି। ପରୀକ୍ଷାକୁ ନେଇ ରହିଥିବା ଚାପ ଓ ଭୟ ଉପରେ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ। ଛାତ୍ରଛାତ୍ରୀଙ୍କୁ ଆତ୍ମବିଶ୍ବାସର ସହିତ ଆଗକୁ ବଢ଼ିବାକୁ ପରାମର୍ଶ ଦେଇଥିଲେ।

Advertisment

ପରୀକ୍ଷାର୍ଥୀଙ୍କ ମନୋବଳ ବୃଦ୍ଧି କରିବା ପାଇଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ

ବୋର୍ଡ଼ ପାରୀକ୍ଷା ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ଆଜି ଦେଶର ୪.୫୦ କୋଟିରୁ ଅଧିକ ଛାତ୍ରଛାତ୍ରୀ, ଅଭିଭାବକ ତଥା ଶିକ୍ଷକଶିକ୍ଷୟିତ୍ରୀଙ୍କ ସହିତ ପରୀକ୍ଷା ପେ ଚର୍ଚ୍ଚା ୨୦୨୬ରେ ଅଂଶଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ସହିତ ଏହି ବାର୍ଷିକ କାର୍ଯ୍ୟକ୍ରମ ଶୁକ୍ରବାର ସକାଳ ୧୦.୧୫ରେ ଆରମ୍ଭ ହୋଇଥିଲା। ପରୀକ୍ଷାର୍ଥୀଙ୍କ ମନୋବଳ ବୃଦ୍ଧି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ଚଳିତ ବର୍ଷ ଗୁଜରାଟର ଦେବମୋଗ୍ରା, ତାମିଲନାଡୁର କୋଏମ୍ବାଟୁର, ଛତିଶଗଡ଼ର ରାୟପୁର, ଆସାମର ଗୌହାଟୀ ଛାତ୍ରଛାତ୍ରୀଙ୍କୁ ନେଇ ଦିଲ୍ଲୀର ୭, ଲୋକ କଲ୍ୟାଣ ମାର୍ଗସ୍ଥିତ ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନରେ ଆଲୋଚନା ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମକୁ ଟିଭି ଓ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ଦେଖିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ଶିକ୍ଷାଗତ ସଫଳତାରେ ଅନ୍ତର୍ନିହିତ ବିକାଶ ଏବଂ ଆତ୍ମ-ସଚେତନତା ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ କହିଥିଲେ, ତୁମେମାନେ ପ୍ରଥମେ ନିଜ ମନକୁ ବିକଶିତ କର ଓ ଏହାକୁ ତୁମର ଅନ୍ତର୍ନିହିତ ସ୍ୱଭାବ ସହିତ ସଂଯୋଗ କର। ତା’ପରେ ତୁମେ ଯେଉଁ ବିଷୟ ପଢ଼ିବାକୁ ଚାହୁଛ ତାହା ବାଛ। ତେବେ ଯାଇ ତୁମେ ସଫଳତା ପାଇବ।

ପରୀକ୍ଷାକୁ ବୋଝ ଭାବନାହିଁ

ପରୀକ୍ଷାକୁ ବୋଝ ନ ମାନିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ। ଏହା କେବଳ ନିଜକୁ ପରଖିବାକୁ ଏକ ମାଧ୍ୟମ, କିନ୍ତୁ ଯେତେବେଳେ ଏହାକୁ ଆମେ ଆମ ଜୀବନର ସବୁଠୁ ବଡ଼ ବିଷୟ ମାନନିଅନ୍ତି ସେତେବେଳେ ଭୟ ଆସିଥାଏ ବୋଲି ଜଣେ ଛାତ୍ରଙ୍କ ପ୍ରଶ୍ନର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଥିଲେ। ଶିକ୍ଷା ଜୀବନକୁ ଗଢ଼ିବାର ଏକ ମାଧ୍ୟମ ଅଟେ ବୋଲି ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ। ସେହିପରି ଆଉ ଜଣେ ଛାତ୍ରଙ୍କ ପ୍ରଶ୍ନର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଥିଲେ , ଗେମିଂ କେବଳ ଏକ ଦକ୍ଷତା ଓ ଛାତ୍ରଛାତ୍ରୀ ଏହାକୁ ଶିଖିବା ଉଚିତ। ଏହାଦ୍ବାରା ମସ୍ତିଷ୍କ ବିକାଶ ମଧ୍ୟ ହୋଇଥାଏ। କିନ୍ତୁ ଜୁଆ ଖେଳିବାରୁ ନିଜକୁ ଦୂରେଇ ରଖିବା ଉଚିତ। ଯିଏ ଜୁଆ ଖେଳନ୍ତି ସେ ସମୟ ନଷ୍ଟ କରନ୍ତି। ‘ପରୀକ୍ଷା ପେ ଚର୍ଚ୍ଚା’ ର ୯ମ ସଂସ୍କରଣର ପରବର୍ତ୍ତୀ ଏପିସୋଡ୍ ଫେବୃଆରି ୯ ତାରିଖ ସକାଳ ୧୦ଟାରେ ମୁକ୍ତିଲାଭ କରିବ।

ଆହୁରି ପଢ଼ନ୍ତୁ: India Aircraft Mechanical Faults : ୫୦% ବିମାନରେ ବାରମ୍ବାର ଖରାପ ହେବା ପରି ତ୍ରୁଟି ,ଏୟାର ଇଣ୍ଡିଆ ଓ ଇଣ୍ଡିଗୋ ଏୟରେଲାଇନ୍ସ ତାଲିକା ଶୀର୍ଷରେ