ନୂଆଦିଲ୍ଲୀ : ଦିଲ୍ଲୀର ତାଲକଟୋରା ଇନଡୋର୍ ଷ୍ଟାଡିୟମ୍ରେ ଆଜି ଥିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମର ଷଷ୍ଠ ସଂସ୍କରଣ। ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମ ଜରିଆରେ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକମାନଙ୍କ ସହିତ ଆଲୋଚନା କରିବା ସହିତ ଗୁରୁତ୍ବପୂର୍ଣ୍ଣ ପରାମର୍ଶ ଦେଇଛନ୍ତି। କାର୍ଯ୍ୟକ୍ରମରେ କୋଣାର୍କରୁ ଓଡ଼ିଆ ଛାତ୍ର ତନ୍ମୟ ବିଶ୍ବାଳ ଓ କଟକରୁ ଶିକ୍ଷୟିତ୍ରୀ ସୁନନ୍ୟା ତ୍ରିପାଠୀଙ୍କ ପ୍ରଶ୍ନର ଉତ୍ତର ପ୍ରଧାନମନ୍ତ୍ରୀ ମୋଦୀ। ତନ୍ମୟ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ପରୀକ୍ଷାରେ କପି ସମସ୍ୟାର କି ଭଳି ମୂଳୋତ୍ପାଟନ କରାଯାଇପାରିବ ସେ ନେଇ ପ୍ରଶ୍ନ କରିଥିଲେ।
କୋଣାର୍କରୁ ଛାତ୍ର ତନ୍ମୟ ବିଶ୍ବାଳ ଓ କଟକରୁ ଶିକ୍ଷୟିତ୍ରୀ ସୁନନ୍ୟା ତ୍ରିପାଠୀଙ୍କ ଉତ୍ତର ରଖିଲେ ପ୍ରଧାନମନ୍ତ୍ରୀ
ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଲେ ଯେ ଏହା ଏକ ବିପଜ୍ଜନକ ଧାରା। ସମଗ୍ର ସମାଜକୁ ଏହା ଉପରେ ବିଚାର କରିବାକୁ ପଡ଼ିବ। ଏସବୁ ପ୍ରୟାସରୁ ଛାତ୍ରଛାତ୍ରୀମାନେ ନିବୃତ୍ତ ରହିବା ଉଚିତ। ଠକିବା ସାମଗ୍ରୀ ପ୍ରସ୍ତୁତ କରିବାରେ ସମୟ ବରବାଦ ନକରି ଅଧ୍ୟୟନରେ ସମୟ ଦେବା ଉଚିତ। ସମୟର ପରିବର୍ତ୍ତନ ସହ ଯେତେବେଳେ ଆମର ଆଖପାଖରେ ଜୀବନ ବଦଳୁଛି, ସେତେବେଳେ ଆପଣଙ୍କୁ ପ୍ରତ୍ୟେକ ପାହାଚରେ ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିବ। ଅସଦାଚାରଣ କରି ଯେଉଁ ଲୋକମାନେ କିଛି ସ୍ବଳ୍ପ ପରୀକ୍ଷାରେ ପାସ୍ କରିଯା’ନ୍ତି, ଅନ୍ତତଃ ସେମାନେ ଜୀବନରେ ଅସଫଳ ହୋଇଥାନ୍ତି। ଠକିବା ଦ୍ବାରା ଜୀବନ ସଫଳ ହୋଇପାରିବ ନାହିଁ। ତୁମେ ଜୀବନରେ ଗୋଟିଏ କିମ୍ବା ଦୁଇଟି ପରୀକ୍ଷାରେ କୃତକାର୍ଯ୍ୟ ହୋଇପାର, କିନ୍ତୁ ଏହା ଜୀବନରେ ପ୍ରଶ୍ନବାଚୀ ହୋଇ ରହିଯାଇଥାଏ। ପରୀକ୍ଷା ଆସିବ ଓ ଯିବ। କିନ୍ତୁ ଜୀବନକୁ ସଂପୂର୍ଣ୍ଣ ରୂପେ ବଂଚିବାକୁ ପଡ଼ିବ। ସର୍ଟକଟ୍ ଆପଣଙ୍କୁ ଜଲଦି କଟ୍ କରିଦେବ। ଛାତ୍ରଛାତ୍ରୀମାନେ କିଭଳି ପରୀକ୍ଷାରେ ଭଲ କରିବେ ସେଥି ପାଇଁ କିଛି ସ୍କୁଲ ଓ ଶିକ୍ଷକ ଟ୍ୟୁସନ୍ କରିବା ସହ ଅନୁଚିତ ଉପାୟ ବାଛିଥାନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ।
କାର୍ଯ୍ୟକ୍ରମରେ କଟକରୁ ଶିକ୍ଷୟିତ୍ରୀ ସୁନନ୍ୟା ତ୍ରିପାଠୀ ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣା ଦେବା, ଶ୍ରେଣୀଗୁଡ଼ିକୁ ଅଧିକ ଶୃଙ୍ଖଳିତ କରିବା ଓ ରୋଚକ କରିବା ସଂପର୍କିତ ଏକ ପ୍ରଶ୍ନ ପ୍ରଧାନମନ୍ତ୍ରୀଙ୍କୁ କରିଥିଲେ। ପ୍ରଧାନମନ୍ତ୍ରୀ ଏହି ପ୍ରଶ୍ନର ଉତ୍ତର ରଖି କହିଲେ ଯେ ଶିକ୍ଷକମାନଙ୍କୁ ବିଷୟବସ୍ତୁ ଓ ପାଠ୍ୟକ୍ରମକୁ ନେଇ କଠୋର ନ ହୋଇ ହାଲୁକା ମନୋଭାବ ପୋଷଣ କରିବାକୁ ପଡ଼ିବ। ଶିକ୍ଷକମାନଙ୍କୁ ଛାତ୍ରଛାତ୍ରୀମାନଙ୍କ ସହିତ ଉତ୍ତମ ସଂପର୍କ ରଖିବା ସହ ସେମାନଙ୍କ ମଧ୍ୟରେ ବ୍ୟାପକ ଉତ୍କଣ୍ଠା ସୃଷ୍ଟି କରିବାକୁ ପଡ଼ିବ। ଶିକ୍ଷକମାନେ ଦୁର୍ବଳ ଛାତ୍ରଛାତ୍ରୀମାନଙ୍କୁ ଅପମାନ ନ କରି ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ପ୍ରଶ୍ନ ପଚାରି ସେମାନଙ୍କୁ ପୁରସ୍କୃତ କରନ୍ତୁ। ଛାତ୍ରଛାତ୍ରୀମାନଙ୍କୁ ଶୃଙ୍ଖଳିତ କରିବା ପାଇଁ ଶାରୀରିକ ଦଣ୍ଡ ବଦଳରେ ସେମାନଙ୍କ ସହିତ ଶିକ୍ଷକମାନେ ଆଲୋଚନା ଓ ସମ୍ପର୍କ ପ୍ରତିଷ୍ଠା କରିବା ଉଚିତ। ଆଜିର ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଦିଲ୍ଲୀରେ ବିଭିନ୍ନ ରାଜ୍ୟରୁ ପ୍ରତିନିଧି ଭାବେ ୧୦୨ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ସେମାନଙ୍କ ମଧ୍ୟରେ ଓଡ଼ିଶାର ଗଞ୍ଜାମ ଜିଲ୍ଲା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଦୁଇ ଜଣ ଛାତ୍ର ଶ୍ରେୟସ କୁମାର ଦାସ ଓ ଆୟୁଷ ଦାସ ଉପସ୍ଥତି ଥିଲେ। ଚଳିତ ବର୍ଷର ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ପାଇଁ ୩୮.୮ ଲକ୍ଷ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିଲେ।