ନୂଆଦିଲ୍ଲୀ: ରାଜ୍ୟସଭାରେ ଝାଡ଼ଖଣ୍ଡରୁ ସ୍ବାଧୀନ ସଦସ୍ୟ ଥିବା ପରିମଲ ନଥଵାନୀ ଏଥର ରାଜ୍ୟସଭାକୁ ପୁନଃନିର୍ବାଚିତ ହେବା ପାଇଁ ଓଡ଼ିଶାରୁ ସ୍ବାଧୀନପ୍ରାର୍ଥୀ ହେବେ ବୋଲି ଦିଲ୍ଲୀର ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି। ଏପ୍ରିଲ ୧୦, ୨୦୧୪ରେ ଝାଡ଼ଖଣ୍ଡରୁ ରାଜ୍ୟସଭାର ସ୍ବାଧୀନ ସଦସ୍ୟ ରୂପେ ନିର୍ବାଚିତ ହୋଇଥିବା ପରିମଲ ନଥଵାନୀଙ୍କ କର୍ଯ୍ୟକାଳ ଏପ୍ରିଲ ୯, ୨୦୨୦ରେ ଶେଷ ହେବ। ଏଥର ଝାଡ଼ଖଣ୍ଡରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚ୍ଚାର ଅଧ୍ୟକ୍ଷ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶିବୁ ସୋରେନ ରାଜ୍ୟସଭାକୁ ଝାଡ଼ଖଣ୍ଡ କୋଟାରୁ ନିର୍ବାଚିତ ହେବାର ସମ୍ଭାବନା ଥିବାରୁ ପରିମଲ ନଥଵାନୀ ଆନ୍ଧ୍ରପ୍ରଦେଶ, ଓଡ଼ିଶା, ବିହାର ଓ ଆସାମରୁ ପ୍ରାର୍ଥୀ ହେବା ନେଇ ପ୍ରୟାସ ଆରମ୍ଭ କରିଥିବା ଜଣାପଡ଼ିଛି। ହେଲେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଵାଇଏସ୍ ଜଗନମୋହନ ରେଡ୍ଡି ପରିମଲ ନଥଵାନୀଙ୍କୁ ଆନ୍ଧ୍ରପ୍ରଦେଶରୁ ସ୍ବାଧୀନ ପ୍ରାର୍ଥୀ ରୂପେ ମନୋନୀତ କରାଯିବାର ସମ୍ଭାବନାକୁ ଏଡ଼ାଇ ଦେଇଥିବା ଜଣାପଡ଼ିଛି। ସୂତ୍ର ଅନୁସାରେ ଶନିବାର ଦିନ ରିଲାଏନ୍ସ ଇଣ୍ଡଷ୍ଟ୍ରିର ମୁଖ୍ୟ ମୁକେଶ ଅମ୍ବାନୀଙ୍କ ସହ ପରିମଲ ନଥଵାନୀ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଵାଇଏସ ଜଗନମୋହନ ରେଡ୍ଡିଙ୍କର ତାଡ଼େପଲ୍ଲୀ ସ୍ଥିତ କ୍ୟାମ୍ପ ଅଫିସରେ ସାକ୍ଷାତ କରିଥିଲେ। ଏହି ସାକ୍ଷାତ ଅବସରରେ ମୁକେଶ ଆମ୍ବାନୀ ତାଙ୍କର ଘନିଷ୍ଠ ବନ୍ଧୁ ତଥା ଉଦ୍ୟୋଗପତି ପରିମଲ ନଥଵାନୀଙ୍କୁ ଆନ୍ଧ୍ରପ୍ରଦେଶରୁ ରାଜ୍ୟସଭା ପାଇଁ ସ୍ବାଧୀନ ପ୍ରାର୍ଥୀ ରୂପେ ମନୋନୀତ କରିବା ପାଇଁ ଅନୁରୋଧ କରିଥିଲେ। ହେଲେ ଅନ୍ୟ କୌଣସି ରାଜ୍ୟରୁ ନେତାମାନଙ୍କୁ ଆନ୍ଧ୍ରପ୍ରଦେଶରୁ ରାଜ୍ୟସଭା ପ୍ରାର୍ଥୀ ପାଇଁ ମନୋନୀତ କରାଯିବା ପରମ୍ପରା ନଥିବା ଜଗନମୋହନ ମୁକେଶ ଆମ୍ବାନୀଙ୍କୁ କହିଥିବା ସୂତ୍ରରୁ ଜଣାପଡ଼ିଛି। ଦିଲ୍ଲୀରେ ପରିମଲ ନଥଵାନୀ ସଂସଦ ଭବନର କେନ୍ଦ୍ରୀୟ କକ୍ଷରେ କିଛି ସାମ୍ବାଦିକ ମାନଙ୍କ ସହିତ ଅଣଔପଚାରିକ କଥାବାର୍ତ୍ତାରେ ଜଗନ ମୋହନ ରେଡ୍ଡୀଙ୍କ ସହିତ ତାଙ୍କର କଥାବାର୍ତ୍ତା ହୋଇଥିବା ସମ୍ପର୍କରେ ସ୍ପଷ୍ଟ କରିଥିଲେ। ତାଙ୍କ ଦ୍ବାରା ଓଡ଼ିଶା, ବିହାର ଓ ଆସାମରୁ ରାଜ୍ୟସଭା ପାଇଁ ସ୍ବାଧୀନ ପ୍ରାର୍ଥୀ ରୂପେ ପ୍ରତିଦ୍ବନ୍ଦ୍ବିତା ପାଇଁ ବିଚାରବିମର୍ଷ କରାଯିବ ବୋଲି ସେ ଇଙ୍ଗିତ କରିଥିଲେ। ଖୁବ୍ଶୀଘ୍ର ଏ ସମ୍ପର୍କରେ ସେ ସମ୍ପୃକ୍ତ ରାଜ୍ୟର ନେତାମାନଙ୍କୁ ମଧ୍ୟ ସାକ୍ଷାତ କରିବେ ବୋଲି ସଙ୍କେତ ଦେଇଥିଲେ।
ଉଲ୍ଲେଖଯୋଗ୍ୟ, ମାର୍ଚ୍ଚ ୨୦୦୮ରେ ପ୍ରଥମଥର ପାଇଁ ରାଜ୍ୟସଭାକୁ ଝାଡ଼ଖଣ୍ଡରୁ ପରିମଲ ନଥଵାନୀ ନିର୍ବାଚିତ ହୋଇଥିଲେ। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ କର୍ପୋରେଟ୍ ବ୍ୟାପାରର ସେ ହେଉଛନ୍ତି ଗ୍ରୁପ ପ୍ରେସିଡେଣ୍ଟ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/parliament-kTNE-621x414@LiveMint.jpg)