ନୂଆଦିଲ୍ଲୀ: ଦିଲ୍ଲୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଅପରାହ୍ନ ପ୍ରାୟ ୨ଟାରେ ଉଡ଼ାଣ ଆରମ୍ଭ କରିଥିବା ଦିଲ୍ଲୀ-ପ୍ୟାରିସ୍ ଏୟାର ଇଣ୍ଡିଆ ବିମାନ ଏଆଇ୧୪୩ ଉଡ଼ାଣ ଭରିବାର ମାତ୍ର ୨୦ ମିନିଟ୍ ପରେ ରନୱେରେ ବିମାନର ଟାୟାରରେ ଭଗ୍ନାବଶେଷ ଦେଖିବାକୁ ମିଳିବା ପରେ ବିମାନଟି ଦିଲ୍ଲୀ ଫେରି ଜରୁରୀ ଅବତରଣ କରିଛି।
ରିପୋର୍ଟରୁ ପ୍ରକାଶ, ବିମାନଟି ଉଡ଼ାଣ ଭରିବା ପରେ ଏଟିସି ରନୱେରେ ପଡ଼ିଥିବା ବିମାନ ଟାୟାରର ଭଗ୍ନାବଶେଷ ବିଷୟରେ କର୍ମଚାରୀମାନଙ୍କୁ ସତର୍କ କରାଇଥିଲା। କର୍ମଚାରୀମାନେ ଜରୁରୀକାଳୀନ ଅବତରଣ କରିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ବିମାନଟି ସୁରକ୍ଷିତ ଭାବେ ଅବତରଣ କରିଥିଲା। ସମସ୍ତ ଯାତ୍ରୀ ସୁରକ୍ଷିତ ଭାବେ ବିମାନରୁ ଓହ୍ଲାଇଥିଲେ। ଡିଜିସିଏର ଜଣେ ଅଧିକାରୀଙ୍କ କହିବାନୁସାରେ, ଜରୁରୀ ଅବତରଣ ବିଷୟରେ ଏୟାରଲାଇନ୍ସ ବେସାମରିକ ବିମାନ ଚଳାଚଳ ନିୟାମକଙ୍କୁ ଅବଗତ କରିଥିଲା ଏବଂ ଯାତ୍ରୀମାନଙ୍କୁ ସ୍ଥାନାନ୍ତର କରିବା ପାଇଁ ଉପଯୁକ୍ତ ପ୍ରକ୍ରିୟା ଅନୁସରଣ କରାଯାଇଛି।
ଗ୍ରାଉଣ୍ଡ ଷ୍ଟାଫଙ୍କ ସହାୟତାରେ ଟାୟାର ଓ ରନୱେକୁ ଭଲ ଭାବେ ଯାଞ୍ଚ କରାଯିବା ସହ ଆଜି ହିଁ ଦିଲ୍ଲୀରୁ ପ୍ୟାରିସ୍ ଯିବା ପାଇଁ ଯାତ୍ରୀମାନଙ୍କ ପାଇଁ ଅନ୍ୟ ବ୍ୟବସ୍ଥା କରାଯାଉଛି।
ଏକ ବିବୃତିରେ ଏୟାରଲାଇନ୍ସ କହିଛି ଯେ ବିମାନଟି ଅପରାହ୍ନ ୨ଟା ୧୮ ମିନିଟରେ ଦିଲ୍ଲୀ ବିମାନବନ୍ଦରରେ ସୁରକ୍ଷିତ ଅବତରଣ କରିଥିଲା। ୨୮ ଜୁଲାଇରେ ଦିଲ୍ଲୀରୁ ପ୍ୟାରିସ ଅଭିମୁଖେ ଏୟାର ଇଣ୍ଡିଆର ବିମାନ ଏଆଇ୧୪୩ ଉଡ଼ାଣ ଭରିବାର କିଛି ସମୟ ପରେ ଏହି ତ୍ରୁଟି ଜଣାପଡ଼ିବାରୁ ବିମାନ କିଛି ସମୟ ପରେ ଫେରିଥିଲା। ଉଡାଣ ପରେ ରନୱେରେ ସନ୍ଦେହଜନକ ଟାୟାରର ଭଗ୍ନାବଶେଷ ଦେଖିବାକୁ ମିଳିଥିଲା ବୋଲି ଦିଲ୍ଲୀ ଏଟିସି ବିମାନ କର୍ମଚାରୀଙ୍କୁ ସୂଚନା ଦେବା ପରେ ବିମାନର ଆବଶ୍ୟକ ଯାଞ୍ଚ ଚାଲିଛି।