ଚାଷୀଙ୍କ ସମର୍ଥନରେ ବାହାରିଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ, ‘ପଦ୍ମଭୂଷଣ’ ଫେରସ୍ତ କଲେ

ଚଣ୍ଡିଗଡ଼: ପାଞ୍ଚ ଥର ଧରି ପଞ୍ଜାବର ମୁଖ୍ୟମନ୍ତ୍ରୀ ହୋଇଥିବା ପ୍ରକାଶ ସିଂହ ବାଦଲ ଗୁରୁବାର ଦିନ ସେ ପାଇଥିବା ସମ୍ମାନଜନକ ପଦ୍ମଭୂଷଣ ସମ୍ମାନକୁ ଫେରସ୍ତ କରି ଦେଇଛନ୍ତି। ଭାରତ ସରକାରଙ୍କର କୃଷକଙ୍କ ପ୍ରତି ବିଶ୍ବାସଘାତକତା ଓ  ଅବହେଳାକୁ ବିରୋଧ କରି ସେ ପଦ୍ମଭୂଷଣ ପୁରସ୍କାର ଫେରସ୍ତ କରିଥିବା କହିଛନ୍ତି।

ରା‌ଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଲେଖିଥିବା ଏକ ପତ୍ରରେ ପ୍ରକାଶ ସିଂହ ବାଦଲ ଉଲ୍ଲେଖ କରିଛନ୍ତି, ‘ମୁଁ ଆଜି ଯାହା ବି ହୋଇଛି ଲୋକମାନଙ୍କ ପାଇଁ ହୋଇଛି, ବିଶେଷ କରି ସାଧାରଣ କୃଷକମାନଙ୍କ ପାଇଁ। ଆଜି ଯେତେବେଳେ ସେହି କୃଷକମାନେ ନିଜର ସମ୍ମାନ ହରାଇଛନ୍ତି ସେତେବେଳେ ମୁଁ ପଦ୍ମଭୂଷଣ ସମ୍ମାନକୁ ଧରି ରଖିବାର କୌଣସି ଅର୍ଥ ନାହିଁ।’

ରାଷ୍ଟ୍ରପତିଙ୍କୁ ଇ-ମେଲରେ ଲେଖିଥିବା ଏକ ଚିଠିରେ ବାଦଲ ସରକାରଙ୍କ ମନୋଭାବ ଏବଂ ଚାଷୀଙ୍କ ପ୍ରତି ହୋଇଥିବା ବିଶ୍ବାସଘାତକତା ସଂପର୍କରେ ଉଲ୍ଲେଖ କରିଛନ୍ତି। ଯେତେବେଳେ ଭାରତ ସରକାର ଏହି ନିୟମ ଆଣିଥିଲେ, ସେତେବେଳେ ଆଶ୍ୱାସନା ଦିଆଯାଇଥିଲା ଯେ ସମ୍ପୃକ୍ତ ବିଲ୍ ଏବଂ ପରବର୍ତ୍ତୀ ସମୟରେ ଆକ୍ଟ ଆଣିବା ବେଳେ ଚାଷୀଙ୍କ ଆଶଙ୍କାକୁ ସମାଧାନ କରାଯିବ। ସରକାରଙ୍କ ଏହି ଆଶ୍ବାସନାକୁ ବିଶ୍ବାସ କରି ମୁଁ ଚାଷୀମାନଙ୍କୁ ସରକାରଙ୍କ କଥାକୁ ବିଶ୍ୱାସ କରିବାକୁ ନିବେଦନ କରିଥିଲି ବୋଲି ବାଦଲ କହିଛନ୍ତି।

ସମ୍ବନ୍ଧିତ ଖବର