ସଂସଦ ଅଚଳ, ଆଲୋଚନାକୁ ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ: ଗୁଜରାଟ ବିଧାନସଭା ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟକୁ ନେଇ ସଂସଦରେ ଲାଗି ରହିଥିବା ଅଚଳାବସ୍ଥାର ସମାଧାନ ହେବାର କୌଣସି ବାଟ ବାହାରି ପାରୁନାହିଁ। ଗୁଜରାଟରେ ବିଜେପିକୁ ହରାଇବାକୁ ପାକିସ୍ତାନୀ ଅଧିକାରୀଙ୍କ ସହ କଂଗ୍ରେସ ନେତା ଗୁପ୍ତ ବୈଠକ କରିଥିଲେ ବୋଲି ନିର୍ବାଚନୀ ର‍୍ୟାଲିରେ ପ୍ରଧାନମନ୍ତ୍ରୀ ଦେଇଥିବା ବୟାନ ପାଇଁ ଗୃହରେ କ୍ଷମା ପ୍ରାର୍ଥନା କରିବା ଦାବିରେ ବିରୋଧୀ ଦଳ ଅଟଳ ଅଛନ୍ତି। ଆଜି ଉଭୟ ଗୃହରେ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳ ସଦସ୍ୟମାନେ ପ୍ରବଳ ହଙ୍ଗାମା କରିବାରୁ କୌଣସି କାର୍ଯ୍ୟ ହୋଇପାରି ନଥିଲା ଏବଂ ଗୃହ ବାରମ୍ବାର ମୁଲତବୀ ରହିଥିଲା। ରାଜ୍ୟସଭାରେ ଅଧ୍ୟକ୍ଷ ଭେଙ୍କିୟା ନାଇଡ଼ୁ ବିରୋଧୀ ଦଳର ଆଚରଣରେ କ୍ଷୁବ୍ଧ ହୋଇଥିଲେ ଏବଂ ଏହି ପ୍ରସଙ୍ଗରେ କେହି କ୍ଷମା ପ୍ରାର୍ଥନା କରିବାର ପ୍ରଶ୍ନ ଉଠୁନାହିଁ ବୋଲି କହିଥିଲେ। ପ୍ରଧାନମନ୍ତ୍ରୀ ସଂସଦରେ ଏଭଳି କୌଣସି ବୟାନ ଦେଇନଥିବାରୁ ଏ ବାବଦରେ ଗୃହରେ କ୍ଷମା ପ୍ରାର୍ଥନା କରିବା ପ୍ରଶ୍ନ ଉଠୁନାହିଁ ବୋଲି ନାୟିଡ଼ୁ କହିଥିଲେ। ଅନ୍ୟପକ୍ଷରେ ଆଜି ଲୋକସଭାରେ ମଧ୍ୟ ପ୍ରଶ୍ନକାଳରେ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ବିରୋଧୀ ସଦସ୍ୟମାନେ କ୍ଷମା ପ୍ରାର୍ଥନା କରିବାକୁ ଦାବି କରି ସ୍ନୋଗାନ ଦେଇଥିଲେ। ଶାସକ ଦଳ ସଦସ୍ୟମାନେ ମଧ୍ୟ ଏହାର ତୀବ୍ର ପ୍ରତିବାଦ କରିଥିଲେ । ପ୍ରବଳ ବିଶୃଙ୍ଖଳା ଯୋଗୁଁ ଗୃହକାର୍ଯ୍ୟ ଅଚଳ ହୋଇଯାଇଥିଲା । ଗତ ୧୫ ତାରିଖରୁ ଆରମ୍ଭ ହୋଇଥିବା ସଂସଦର ଶୀତକାଳୀନ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ବୟାନ ନେଇ ଅଚଳାବସ୍ଥା ଜାରି ରହିଥିବା ବେଳେ ଏ ବାବଦରେ ଆଲୋଚନା ପାଇଁ ଶାସକ ଦଳର ପ୍ରସ୍ତାବକୁ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳଗୁଡ଼ିକ ପ୍ରତ୍ୟାଖ୍ୟାନ କରିଥିବାରୁ ମାମଲା ଆହୁରି ଜଟିଳ ହୋଇଛି ।

ଆଜି ରାଜ୍ୟସଭାରେ କଂଗ୍ରେସ ନେତା ଗୁଲାମନବୀ ଆଜାଦ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦି ପୂର୍ବ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କୁ କେବଳ ନିର୍ବାଚନୀ ସ୍ୱାର୍ଥ ପାଇଁ ବଦନାମ କରିଛନ୍ତି। ଏଥିପାଇଁ ମୋଦିଙ୍କ ବିରୋଧରେ ଡ. ସିଂହ ବିଶେଷ ଅଧିକାର ଉଲ୍ଲଂଘନ ପ୍ରସ୍ତାବ ଆଣିପାରିବେ। କିନ୍ତୁ ଜଣେ ପୂର୍ବ ପ୍ରଧାନମନ୍ତ୍ରୀ ବର୍ତ୍ତମାନର ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଏଭଳି ପ୍ରସ୍ତାବ ଆଣିବା ପାଇଁ ଚାହୁନାହାନ୍ତି ବୋଲି ସେ କହିଥିଲେ। ଗୁଲାମନବୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ପାଇଁ ଯଦି କ୍ଷମା ପ୍ରାର୍ଥନା କରିବା କଷ୍ଟକର ହେଉଛି ତା’ହେଲେ ସେ କେବଳ ଏହାକୁ ଏକ ନିର୍ବାଚନୀ ବୟାନବାଜି ଥିଲା ବୋଲି ସ୍ୱୀକାର କରିବାକୁ ପଡ଼ିବ ବୋଲି କହିଥିଲେ। ଲୋକସଭାରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖାଡ଼ଗେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦି କ୍ଷମା ପ୍ରାର୍ଥନା ନକଲେ ତାଙ୍କ ବୟାନ ସଂପର୍କରେ ତଥ୍ୟ ପ୍ରମାଣ ଦେବାକୁ ହେବ। ଅନ୍ୟଥା ଗୃହକୁ ଚଳାଇ ଦେବୁନାହିଁ ବୋଲି ସେ କହିଛନ୍ତି।

ଶୀତ ଅଧିବେଶନ ଆରମ୍ଭ ଦିନରୁ ହିଁ ପ୍ରଧାନମନ୍ତ୍ରୀଙ୍କ ପାକ୍‌ ଷଡ଼ଯନ୍ତ୍ର ବୟାନକୁ ବିରୋଧୀ ଦଳ ଏକମାତ୍ର ପ୍ରସଙ୍ଗ କରି ଗୃହକୁ ଅଚଳ କରିଦେଉଥିବାରୁ କୌଣସି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ବାବଦରେ ଚର୍ଚ୍ଚା ହୋଇପାରୁ ନାହିଁ। ତେବେ ଏ ବାବଦ ଅଚଳାବସ୍ଥା ଦୂର କରିବା ପାଇଁଁ ସରକାର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌୍‌ଲିଙ୍କୁ ଦାୟିତ୍ୱ ଦେଇଥିଲେ ମଧ୍ୟ ଏ ବାବଦରେ କିଛି ଅଗ୍ରଗତି ହୋଇପାରିନାହିଁ।

ସମ୍ବନ୍ଧିତ ଖବର