ଅଦାନୀ ଗ୍ରୁପ୍‌ ଉପରେ ‘ହିଣ୍ଡେନ୍‌ବର୍ଗ ରିପୋର୍ଟ’ ପାଇଁ ହଟ୍ଟଗୋଳ ଯୋଗୁଁ ସଂସଦ ମୁଲତବୀ

ନୂଆଦିଲ୍ଲୀ: ଆଜି ପୂର୍ବାହ୍ନରେ ଅଧିବେଶନ ଆରମ୍ଭ ହେବା ଅଳ୍ପ କେତେ ମୁହୂର୍ତ୍ତ ପରେ ବିରୋଧୀମାନଙ୍କ ହଟ୍ଟଗୋଳ ଯୋଗୁଁ ସଂସଦର ଉଭୟ ଗୃହକୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି।

‘ହି‌ଣ୍ଡେନ୍‌ବର୍ଗ’ ରିପୋର୍ଟ ଏବଂ ସେଥିଯୋଗୁଁ ‘ଅଦାନୀ ଗ୍ରୁପ୍‌’ ସେୟାର୍‌ର ମୂଲ୍ୟ ହ୍ରାସ ବିଷୟରେ ଆଲୋଚନା କରିବାକୁ ବିରୋଧୀ ଦଳ ସବୁ ଦାବି କରିବାରୁ ସଂସଦରେ ହଟ୍ଟଗୋଳ ଆରମ୍ଭ ହୋଇଥିଲା। ଏହାଛଡ଼ା, ସୀମାନ୍ତରେ ଚୀନ୍‌ର ଅନୁପ୍ରବେଶ ପ୍ରସଙ୍ଗ ମଧ୍ୟ ଉଠାଇବାକୁ ବିରୋଧୀମାନେ ଚାହିଁଥିଲେ।

ସଂଗୃହୀତ ସୂଚନା ଅନୁସାରେ, ‘ଅଦାନୀ ଗ୍ରୁପ୍‌’ ଉପରେ ‘ହିଣ୍ଡେନ୍‌ବର୍ଗ’ ରିପୋର୍ଟ ବିଷୟରେ ଆଲୋଚନା କରିବା ଲାଗି ରାଜ୍ୟସଭାର ବିରୋଧୀ ଦଳର ନେତା ତଥା କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ୍‌ ଖଡ଼ଗେ ଏବଂ  ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଦଳ ‘ଭାରତ ରାଷ୍ଟ୍ର ସମିତି’ ସଂସଦର ଉଭୟ ଗୃହରେ ପ୍ରସ୍ତାବ ଆଗତ କରିଥିଲା।

Image Courtesy of NDTV

ଆଜି ସକାଳେ ସଂସଦରେ ଥିବା କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ୍‌ ଖଡ଼ଗେଙ୍କ କାର୍ଯ୍ୟାଳୟରେ ଆୟୋଜିତ ବୈଠକରେ ଯୋଗ ଦେଇ ରାଷ୍ଟ୍ରପତିଙ୍କ ଅଭିଭାଷଣ ଓ ବଜେଟ୍‌ ବିଷୟରେ ସରକାରଙ୍କୁ ମୁକାବିଲା କରିବା ଲାଗି ମିଳିତ ରଣକୌଶଳ ପ୍ରସ୍ତୁତି ପାଇଁ ଉପାୟ କରିଥିଲେ।  ‘ଡିଏମ୍‌କେ’, ‘ତୃଣମୂଳ କଂଗ୍ରେସ’, ‘ସମାଜବାଦୀ ପାର୍ଟି’, ‘ଜନତା ଦଳ (ୟୁ)’, ‘ଶିବସେନା’, ‘ସିପିଏମ୍‌’, ‘ସିପିଆଇ’, ‘ନ୍ୟାସ୍‌ନାଲିଷ୍ଟ୍‌ କଂଗ୍ରେସ ପାର୍ଟି’, ‘ଆଇୟୁଏମ୍‌ଏଲ୍‌’, ‘ଆପ୍‌’, ‘ନ୍ୟାସ୍‌ନାଲ୍‌ କନ୍‌ଫରେନ୍‌ସ୍‌’ ଏବଂ ‘କେରଳ କଂଗ୍ରସ’ ପ୍ରଭୃତି ଦଳର ସଦସ୍ୟମାନେ ଏହି ବୈଠକରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର