ମାର୍ଚ୍ଚ ୧୩ ପର୍ଯ୍ୟନ୍ତ ମୁଲତବୀ ହେଲା ସଂସଦ

ନୂଆଦିଲ୍ଲୀ : ସଂସଦରେ ଚାଲିଥିବା ବଜେଟ୍ ଅଧିବେଶନକୁ ଆସନ୍ତା ମାର୍ଚ୍ଚ ୧୩ ତାରିଖ ପର୍ଯ୍ୟନ୍ତ ମୁଲତବୀ କରିଦିଆଯାଇଛି ।

ସୋମବାର ପୂର୍ବାହ୍ନ ୧୧ଟାରୁ ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ଆଦାନୀ-ହିଣ୍ଡେନବର୍ଗ ପ୍ରସଙ୍ଗରେ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳମାନେ ପୁଣି ଥରେ ସରକାରଙ୍କୁ ଟାର୍ଗେଟ କରିଥି୍ଲେ । ଯାହା ପରେ ଲୋକସଭାକୁ ମାର୍ଚ୍ଚ ୧୩, ରାତି ୧୧ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା । ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନ ମାର୍ଚ୍ଚ ୧୩ରୁ ଆରମ୍ଭ ହେବ।

ବଜେଟ ଅଧିବେଶନ ଗତ ଜାନୁଆରି ୩୧ ତାରିଖରେ ଆରମ୍ଭ ହୋଇଥିଲା । ପ୍ରଥମଦିନରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ ହୋଇଥିଲା । ୨ୟ ଦିନ ଅର୍ଥାତ ଫେବ୍ରୁଆରି ୧ରେ କେନ୍ଦ୍ର ବଜେଟ ଉପସ୍ଥାପନ ହୋଇଥିଲା । ତେବେ ତାପରଠାରୁ ଆଦାନୀ ପ୍ରସଙ୍ଗକୁ ନେଇ ସଂସଦରେ ବେଶ ଗରମାଗରମ ବିତର୍କ ହୋଇଥିଲା । ଏହି ପ୍ରସଙ୍ଗରେ ବିରୋଧୀ ପ୍ରାୟ ପ୍ରତିଦିନ ସରକାରଙ୍କୁ ଟାର୍ଗେଟ କରିଥିଲେ ।

ଗତ ଫେବ୍ରୁଆରି ୭ ତାରିଖରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଲୋକସଭାରେ ଆଦାନୀ-ହିଣ୍ଡେନବର୍ଗ ପ୍ରସଙ୍ଗରେ ମତ ରଖିଥିଲେ। ଅପରପକ୍ଷରେ ପ୍ରଧାନମନ୍ତ୍ରୀ ମୋଦୀ ଫେବ୍ରୁଆରି ୮ରେ ଲୋକସଭାରେ ଏବଂ ଏହାର ଗୋଟିଏ ଦିନ ପରେ ରାଜ୍ୟସଭାରେ ଉତ୍ତର ରଖିଥିଲେ। ତେବେ ଉଭୟ ସମୟରେ ସେ ଆଦାନୀ ପ୍ରସଙ୍ଗରେ କିଛି କହିନଥିଲେ  ଏବଂ କହିଥିଲେ ଯେ ବିରୋଧୀଙ୍କ ମିଛ ବିରୋଧରେ ୧୪୦ କୋଟି ଭାରତୀୟ ତାଙ୍କ ଢାଲ ।

ସମ୍ବନ୍ଧିତ ଖବର