ହଟ୍ଟଗୋଳ ଭିତରେ ସଂସଦ ସୋମବାର ପର୍ଯ୍ୟନ୍ତ ମୁଲତବୀ

ନୂଆଦିଲ୍ଲୀ: ସଂସଦରେ ମୌସୁମୀ ଅଧିବେଶନର ଆଜି ଦଶମ ଦିବସ ମଧ୍ୟ ହଟ୍ଟଗୋଳରେ ବଳି ପଡ଼ିଯାଇଛି। ପ୍ରଥମେ ବିରୋଧୀଙ୍କ ଦର ବୃଦ୍ଧି ବିରୋଧରେ ପ୍ରବଳ ହଙ୍ଗାମା ଯୋଗୁଁ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଥିଲା ଏବଂ ଗତକାଲିଠାରୁ କଂଗ୍ରେସ ନେତା ଅଧୀର ରଂଜନ ଚୌଧୁରୀଙ୍କ ‘ରାଷ୍ଟ୍ରପତ୍ନୀ’ ଟିପ୍ପଣୀକୁ ବିରୋଧ କରି ସଂସଦରେ ଅଚଳାବସ୍ଥା ଜାରି ରହିଛି। ଆଜି ସଂସଦର ଉଭୟ ଗୃହରେ ରାଷ୍ଟ୍ରପତ୍ନୀ ଟିପ୍ପଣୀକୁ ବିରୋଧ କରି ହୋହଲ୍ଲା ଏବଂ ହଟ୍ଟଗୋଳ ଯୋଗୁଁ କୌଣସି କାର୍ଯ୍ୟ ହୋଇପାରି ନଥିବା ବେଳେ ସୋମବାର ପର୍ଯ୍ୟନ୍ତ ଗୃହ ମୁଲତବୀ ରହିଛି। ଗୁରୁବାର ଦିନ ସୋନିଆ-ସ୍ମୃତି ମୁହାଁମୁହିଁ ହେବା ପ୍ରସଙ୍ଗ ଏବଂ ସୋନିଆଙ୍କୁ ଦୁର୍ବ୍ୟବହାର ହୋଇଥିବା ଅଭିଯୋଗରେ କଂଗ୍ରେସ ସାଂସଦମାନେ ଆଜି ବିଜେପି ମନ୍ତ୍ରୀଙ୍କଠାରୁ କ୍ଷମା ଦାବି କରିଛନ୍ତି।

ପୂର୍ବାହ୍ନ ୧୧ଟାରେ ଲୋକସଭା କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ସାଂସଦ ଏବଂ ଅନ୍ୟ କିଛି ବିରୋଧୀ ସଦସ୍ୟ ଗୃହର ମଧ୍ୟଭାଗକୁ ଆସି ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ସେମାନେ ଏହି ପ୍ରସଙ୍ଗରେ ବିଜେପିଠାରୁ କ୍ଷମା ଦାବି କରିଥିଲେ। ଏହାପରେ ବିଜେପି ମହିଳା ସଦସ୍ୟମାନେ ମଧ୍ୟ ନିଜ ଆସନରୁ ଉଠି ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ପ୍ରବଳ ବିଶୃଙ୍ଖଳା ହେବାରୁ ଅଧ୍ୟକ୍ଷ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ। ରାଜ୍ୟସଭାରେ ମଧ୍ୟ ସମାନ ଅଚଳାବସ୍ଥା ଦେଖା ଦେଇଥିଲା। ଗୃହ କାର୍ଯ୍ୟ ଆରମ୍ଭ ହେବାର ମାତ୍ର କିଛି ସମୟ ମଧ୍ୟରେ ଅପରାହ୍ନ ୧୨ଟା ପର୍ଯ୍ୟନ୍ତ ଗୃହ ମୁଲତବୀ ରହିଥିଲା। ଆଜି ରାଜ୍ୟସଭାରେ ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହ କହିଥିଲେ, ବିରୋଧୀ ସାଂସଦ ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ଦୀପେନ୍ଦ୍ର ସିଂହ ହୁଦାଙ୍କଠାରୁ ବିଭିନ୍ନ ପ୍ରସଙ୍ଗରେ ୫ଟି ନୋଟିସ୍‌ ଗ୍ରହଣ କରିଛୁ। ଆସନ୍ତା ସପ୍ତାହରେ ଦର ବୃଦ୍ଧି ସଂକ୍ରାନ୍ତରେ ଆଲୋଚନା ପାଇଁ କେନ୍ଦ୍ର ସରକାର ପ୍ରସ୍ତୁତ ଅଛନ୍ତି ବୋଲି ହରିବଂଶ କହିଛନ୍ତି। ଇତି ମଧ୍ୟରେ ବିରୋଧୀ ସାଂସଦମାନେ ଗୃହର ମଧ୍ୟଭାଗକୁ ଯାଇ ଦରବୃଦ୍ଧି ପ୍ରସଙ୍ଗରେ ସ୍ଲୋଗାନ ଦେଇଥିଲେ। ଅନୁରୋଧ ସତ୍ତ୍ବେ ସଦସ୍ୟମାନେ ହଟ୍ଟଗୋଳ ଜାରି ରଖିବାରୁ ଉପାଧ୍ୟକ୍ଷ ଗୃହକାର୍ଯ୍ୟ ମୁଲତବୀ ରଖିଥିଲେ।

ମଧ୍ୟାହ୍ନ ୧୨ଟାରେ ପୁଣି ଗୃହକାର୍ଯ୍ୟ ଆରମ୍ଭ ହେବାପରେ ଉଭୟ ଗୃହରେ ସମାନ ଅବସ୍ଥା ଲାଗି ରହିଥିଲା। ଫଳରେ ସୋମବାର ପର୍ଯ୍ୟନ୍ତ ଗୃହ ମୁଲତବୀ ରଖାଯାଇଛି। ଆଜି ସକାଳେ କିଛି ବିଜେପି ସାଂସଦ ଦାବି କରି କହିଥିଲେ ଯେ ଅଧୀର ରଂଜନ ଚୌଧୁରୀଙ୍କ ଟିପ୍ପଣୀ ପାଇଁ ସୋନିଆ କ୍ଷମା ନମାଗିବା ପର୍ଯ୍ୟନ୍ତ ଗୃହକାର୍ଯ୍ୟ ସ୍ବାଭାବିକ ହୋଇପାରିବ ନାହିଁ।

ସମ୍ବନ୍ଧିତ ଖବର