ଆଗୁଆ ସରିପାରେ ସଂସଦର ବଜେଟ୍ ଅଧିବେଶନ

ନୂଆଦିଲ୍ଲୀ : କରୋନା ପାଇଁ ନିର୍ଦ୍ଧାରିତ ସମୟ ପୂର୍ବରୁ ସଂସଦର ବଜେଟ୍‌ ଅଧିବେଶନ ଶେଷ ହେବ। ଏହିଭଳି ଏକ ସମ୍ଭାବନା ପ୍ରକାଶ ପାଇଛି। ବଜେଟ୍‌ ଅଧିବେଶନର ଶେଷ ଦିବସ ହେଉଛି ଅପ୍ରେଲ ୩ ତାରିଖ।

ମିଳିଥିବା ସୂତ୍ର ଅନୁସାରେ, କେନ୍ଦ୍ର ସରକାର ମାର୍ଚ୍ଚ ୧୬ ତାରିଖ ସୁଦ୍ଧା ସମସ୍ତ ବ୍ୟୟମଞ୍ଜୁରି ଦାବିକୁ ଗିଲୋଟିନ୍‌ ଜରିଆରେ ଗୃହୀତ କରାଇବା ସହିତ ୧୭ ତାରିଖରେ ଅର୍ଥ ବିଲ୍‌କୁ ପାରିତ କରିବା ପାଇଁ ଉଦ୍ୟମ କରିବେ। ଏହାପରେ ବଜେଟ୍‌ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟକୁ ମୁଲତବୀ କରାଯିବ ବୋଲି ଚର୍ଚ୍ଚା ହେଉଛି।

ଅଧିବେଶନ କାଳରେ ସାଂସଦ, ସୁରକ୍ଷା କର୍ମୀ, କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧ ତଥା ଦର୍ଶକମାନେ ସଂସଦ ପରିସରରେ ବହୁ ସଂଖ୍ୟାରେ ସମ୍ମିଳିତ ହୋଇଥା’ନ୍ତି। ଏବେ କରୋନା ପାଇଁ ଲୋକସଭା ସଚିବାଳୟ ପକ୍ଷରୁ କଟକଣା ଜାରି କରାଯାଇଛି। ଦର୍ଶକ ଗ୍ୟାଲେରିରେ ପରିଦର୍ଶନ କରିବା ପାଇଁ ପାସ୍ ସଂଖ୍ୟାକୁ ସୀମିତ କରି ଦିଆଯାଇଛି। ତେବେ, ୧୭ ତାରିଖ ପରେ ଆଉ ଗୁରୁତ୍ବପୂର୍ଣ୍ଣ ଆଲୋଚନା ରହିବାର ସମ୍ଭାବନା ନଥିବାରୁ ଅଧିବେଶନ କାଳକୁ କାଣ୍ଟଛାଣ୍ଟ କରିବା ପାଇଁ ସରକାର ଚିନ୍ତା କରୁଥିବା ବିଶେଷସୂତ୍ରରୁ ଜଣାପଡ଼ିଛି। ପ୍ରକାଶଥାଉକି, ଗତକାଲି ରାତି ୧୨ଟା ପର୍ଯ୍ୟନ୍ତ ସଂସଦରରେ ଆଲୋଚନା ଜାରି ରହିଥିଲା।

ସମ୍ବନ୍ଧିତ ଖବର