ନୂଆଦିଲ୍ଲୀ : ସଂସଦର ପ୍ରଥମ ପର୍ଯ୍ୟାୟ ବଜେଟ୍‌ ଅଧିବେଶନ ଆଜିଠାରୁ ଆରମ୍ଭ ହେବ। ସ୍ୱଳ୍ପ ଅବଧିର ଏହି ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମିଳିତ ଭାବେ ଉଭୟ ଗୃହର ସଦସ୍ୟଙ୍କୁ ସମ୍ବୋଧନ କରିବେ। କେନ୍ଦ୍ରୀୟ ହଲ୍‌ରେ ରାଷ୍ଟ୍ରପତିଙ୍କ ସମ୍ବୋଧନ ପରେ ଅର୍ଥନୈତିକ ସର୍ଭେ ଉପସ୍ଥାପନ ହୋଇ ଗୃହ କାର୍ଯ୍ୟକୁ ମୁଲତବୀ କରିଦିଆଯିବ। ଫେବ୍ରୁଆରି ୧ ତାରିଖରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲି ସାଧାରଣ ବଜେଟ୍‌ ଉପସ୍ଥାପନ କରିବେ। ଏହି ଅଧିବେଶନ ଫେବ୍ରୁଆରି ୯ ତାରିଖରେ ଶେଷ ହେବ।

Advertisment

ଏହି ବଜେଟ୍‌ ଅଧିବେଶନରେ ଉଭୟ ଗୃହର କାର୍ଯ୍ୟକୁ ସୂଚାରୁ ରୂପେ ପରିଚାଳନା କରିବା ପାଇଁ ସରକାର ସର୍ବଦଳୀୟ ବୈଠକ ଡାକିଥିଲେ। ଆଜି ଅପରାହ୍ନ ୪ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏହି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ଅଧିବେଶନକୁ ସୁରୁଖୁରୁରେ ସଂପନ୍ନ କରାଇବାକୁ ସରକାର ଏହି ବୈଠକରେ ବିରୋଧୀ ଦଳଗୁଡ଼ିକୁ ଅନୁରୋଧ କରିଛନ୍ତି।

ବଜେଟ୍‌ ଅଧିବେଶନରେ ୩ ତଲାକ୍‌ ବିଲ୍‌କୁ ଗୃହୀତ କରାଇବାକୁ ସରକାର ସମସ୍ତ ପ୍ରୟାସ କରିବେ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ ଅନନ୍ତ କୁମାର ବୈଠକ ପରେ ଗଣମାଧ୍ୟମକୁ କହିଛନ୍ତି।