ସଂସଦ କ୍ୟାଣ୍ଟିନ୍‌ରେ ରିହାତିର ଯୁଗ ଶେଷ; ପ୍ରତ୍ୟାହାର ହେଲା ସବ୍‌ସିଡି, ଏଣିକି ବଜାର ଦର ଅନୁଯାୟୀ ପଇସା ଗଣିବେ ସାଂସଦ

ନୂଆଦିଲ୍ଲୀ: ସଂସଦର ଉଭୟ ରାଜ୍ୟସଭା ଓ ଲୋକସଭାର ସାଂସଦମାନଙ୍କ ପାଇଁ ଉଦ୍ଦିଷ୍ଟ ସଂସଦ କ୍ୟାଣ୍ଟିନ୍‌କୁ ପ୍ରଦାନ କରାଯାଉଥିବା ସବ୍‌ସିଡିକୁ କେନ୍ଦ୍ର ସରକାର ଆଜି ଠାରୁ (୫, ଡିସେମ୍ବର) ପ୍ରତ୍ୟାହାର କରି ନେଇଛନ୍ତି। ସମସ୍ତ ସାଂସଦଙ୍କ ସହମତି ଆଧାରରେ କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଥିବା ଆଜି ଘୋଷଣା କରିଛନ୍ତି ଲୋକସଭା ବାଚସ୍ପତି ଓମ୍‌ ବିର୍ଲା। ଉଲ୍ଲେଖଯୋଗ୍ୟ, ସଂସଦର କ୍ୟାଣ୍ଟିନ୍‌କୁ କେନ୍ଦ୍ର ସରକାର ବାର୍ଷିକ ୧୭ କୋଟି ଟଙ୍କାର ସବସିଡି ବା ଅନୁଦାନ ପ୍ରଦାନ କରୁଥିଲେ ଏବଂ ସାଂସଦମାନେ ରିହାତି ଦରରେ ନାମମାତ୍ର ମୂଲ୍ୟ ଦେଇ ଏଠାରେ ସବୁ ପ୍ରକାରର ଖାଦ୍ୟ ଖାଇ ପାରୁଥିଲେ।

News Nation

ଏହି ନିଷ୍ପତ୍ତି ପରେ ସଂସଦର କ୍ୟାଣ୍ଟିନ୍‌ରେ ସାଂସଦମାନେ ଯାହା ବି କିଛି ଖାଇବେ ସେଥିପାଇଁ ବଜାର ଦର ଅନୁଯାୟୀ ପଇସା ଗଣିବେ ଓ ଏଥିପାଇଁ ସେମାନଙ୍କୁ କୌଣସି ପ୍ରକାରର ରିହାତି ମିଳିବ ନାହିଁ। ପୂର୍ବରୁ ଯେତେବେଳେ ରିହାତି ମିିଳୁଥିଲା ସେତେବେଳେ ସାଂସଦମାନେ ଏହି କ୍ୟାଣ୍ଟିନ୍‌ରୁ ରିହାତି ଦରରେ ୫ ଟଙ୍କାରେ ଚା’ ଓ କଫି, ୬୫ ଟଙ୍କାରେ ଚିକେନ୍‌ ବିରିୟାନୀ, ୪୦ ଟଙ୍କାରେ ଖାସୀ ମାଂସ ତରକାରୀ ଓ ୩୦ ଟଙ୍କାରେ ସାଧାଥାଳି ଖାଇ ପାରୁଥିଲେ।

ସମ୍ବନ୍ଧିତ ଖବର