ସଂସଦ‌ରେ ଅଚଳାବସ୍ଥା ଜାରି: ବରିଷ୍ଠ ମନ୍ତ୍ରୀଙ୍କ ସହ ବୈଠକ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆଦାନି-ହିଣ୍ଡେନବର୍ଗ ମାମଲାରେ ଜେପିସି ତଦନ୍ତ ଦାବି ଏବଂ ରାହୁଲ ଗାନ୍ଧିଙ୍କ ଗଣତନ୍ତ୍ର ଟିପ୍ପଣୀ ପ୍ରସଙ୍ଗରେ ସଂସଦରେ ଅଚଳାବସ୍ଥା ଜାରି ରହିଛି। ୭ ଦିନ ଧରି କୌଣସି ଗୃହକାର୍ଯ୍ୟ ହୋଇପାରିନି। ଗୃହରେ ହଟ୍ଟଗୋଳ ପାଇଁ ଉଭୟ ଲୋକସଭା ଓରାଜ୍ୟସଭା ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବୀ ରହିଛି। ବିରୋଧୀ ଦଳ ନେତାମାନେ ଆଦାନି ପ୍ରସଙ୍ଗରେ ଜେପିସି ତଦନ୍ତ ଦାବି କରିଥିବା ବେଳେ ବିଜେପି ରାହୁଲଙ୍କ ଗଣତନ୍ତ୍ର ଟିପ୍ପଣୀ ପାଇଁ କ୍ଷମା ଦାବି କରିଛି। ଏହି ପ୍ରସଙ୍ଗକୁ ନେଇ ଲଗାତାର ଗୃହ କାର୍ଯ୍ୟରେ ବାଧା ସୃଷ୍ଟି ହୋଇଛି।

ଇତିମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବରିଷ୍ଠ ମନ୍ତ୍ରୀମାନଙ୍କ ସହ ଏକ ବୈଠକ କରିଛନ୍ତି। ବଜେଟ୍‌ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ପାଇଁ ସଂସଦୀୟ ରଣନୀତି ସଂକ୍ରାନ୍ତରେ ଆଲୋଚନା କରିବାପାଇଁ ମୋଦୀ ଶୀର୍ଷ ମନ୍ତ୍ରୀମାନଙ୍କ ସହ ବୈଠକ କରିଛନ୍ତି। ଅନେକ ବିରୋଧୀ ଦଳ ନେତାମାନେ ଆଜି ସଂସଦ ପରିସରରେ ଆନ୍ଦୋଳନ କରିଛନ୍ତି ଏବଂ ଆଦାନୀ -ହିଣ୍ଡେନବର୍ଗ ପ୍ରସଙ୍ଗରେ ଜପିସି ତଦନ୍ତ ଦାବି କରିଛନ୍ତି। ବିରୋଧୀ ଦଳ ନେତାମାନେ ମଧ୍ୟ ଆଜି ସଂସଦର ପ୍ରଥମ ମହଲା କୋଠାରୁ ଏକ ବ୍ୟାନ୍‌ର ଝୁଲାଇଛନ୍ତି। ଏଥିରେ ଲେଖାଅଛି-ୱି ୱାଣ୍ଟ୍‌ ଜେପିସି (ଆମେ ଜେପିସି ତଦନ୍ତ ଚାହୁ)। ଅନ୍ୟପକ୍ଷେ ୨ ଜଣ ଟିଏମ୍‌ସି ସାଂସଦ ସଂସଦରେ ପୃଥକ୍‌ ଭାବେ ଆନ୍ଦୋଳନ କରିଛନ୍ତି। ଉଲ୍ଲେଖଯୋଗ୍ୟ, ମାର୍ଚ୍ଚ ୧୩ ତାରିଖରେ ସଂସଦର ଦ୍ବିତୀୟ ପର୍ଯ୍ୟାୟ ବଜେଟ୍‌ ଅଧିବେଶନ ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର