ପେଗାସସ୍‌, ନୂଆ କୃଷି ଆଇନ ତାତି: ଚାଲି ପାରୁନି ସଂସଦ

ଉଭୟ ଗୃହ ସୋମବାର ଯାଏଁ ମୁଲତବୀ, ନିଲମ୍ବିତ ହେଲେ ଟିଏମ୍‌ସି ସାଂସଦ

ନୂଆଦିଲ୍ଲୀ : ଲଗାତାର ୪ ଦିନ ହେଲା ସଂସଦର ଉଭୟ ଗୃହ ଚାଲି ପାରୁନାହିଁ। ପେଗାସସ୍ ସ୍ପାଏୱେର ଏବଂ କୃଷି ବିଲ୍ ପ୍ରତ୍ୟାହାର ପ୍ରସଙ୍ଗକୁ ନେଇ ବିରୋଧୀ ସଦସ୍ୟମାନେ ଆଜି ମଧ୍ୟ ସେମାନଙ୍କ ଆନ୍ଦୋଳନ ଜାରି ରଖିବାରୁ ଉଭୟ ଲୋକସଭା ଏବଂ ରାଜ୍ୟସଭାରେ କାର୍ଯ୍ୟ ସଂପାଦନ ହୋଇପାରି ନାହିଁ। ଫଳରେ ଦୁଇ ଗୃହକୁ ଆସନ୍ତା ସୋମବାର ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି।

ଗତକାଲି ଆଇଟି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଠାରୁ ପେଗାସସ୍ ସ୍ପାଏୱେର ସଂପର୍କିତ ବିବୃତି ଲେଖାଥିବା କାଗଜକୁ ଛଡ଼ାଡ଼ ନେଇ ଚିରି ଦେଇଥିବା ତୃଣମୂଳ କଂଗ୍ରେସ ସାଂସଦ ଶାନ୍ତନୁ ସେନ୍‌ଙ୍କୁ ଆଜି ରାଜ୍ୟସଭାରୁ ନିଲମ୍ବିତ କରାଯାଇଛି। ମୌସୁମୀ ଅଧିବେଶନର ଅବଶିଷ୍ଟ ସମୟ ପାଇଁ ତାଙ୍କୁ ନିଲମ୍ବନ କରାଯାଇଛି। ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି ମୁରଲୀଧରନ ସେନ୍‌ଙ୍କ ନିଲମ୍ବନ ପ୍ରସ୍ତାବ ଆଗତ କରିଥିଲେ। ପରେ ତାହା ବାଚନିକ ଭୋଟରେ ଗୃହୀତ ହୋଇଥିଲା।

ତେବେ ସେନ୍‌ଙ୍କ ନିଲମ୍ବନକୁ ବିରୋଧୀ ସଦସ୍ୟମାନେ ପ୍ରବଳ ବିରୋଧ କରିଥିଲେ। ଜବାବ ରଖିବା ପାଇଁ କୌଣସି ସୁଯୋଗ ଦିଆ ନଯାଇ ନିଲମ୍ବନ କରାଯାଇଛି ବୋଲି ବିରୋଧୀ ସଦସ୍ୟମାନେ ଦର୍ଶାଇଛନ୍ତି। ସଂପୃକ୍ତ ସଦସ୍ୟଙ୍କୁ ତାଙ୍କ ପକ୍ଷ ରଖିବାକୁ ସୁଯୋଗ ଦିଆଯିବାର ଆବଶ୍ୟକତା ଥିଲା ବୋଲି ତୃଣମୂଳ କଂଗ୍ରେସ ସାଂସଦ ଡେରେକ୍ ଓବ୍ରେନ ଏବଂ ଶୁଭେନ୍ଦୁ ଶେଖର ରାୟ କହିଥିଲେ। ଏପରିକି ଗୁରୁବାର ଗୃହ ମୁତଲବୀ ପରେ ମଧ୍ୟ ସେନଙ୍କୁ ଖରାପ ବ୍ୟବହାର କରାଯାଇଥିଲା ବୋଲି ଓେବ୍ରେନ୍ ଦର୍ଶାଇଥିଲେ। ‌‌ତେବେ ଏହି ପ୍ରସଙ୍ଗ ତାଙ୍କ ନଜରକୁ ଅଣାଯାଇ ନାହିଁ ବୋଲି ଅଧ୍ୟକ୍ଷ କହିଥିଲେ।

ନିଲମ୍ବନ ପରେ ସେନ୍‌ଙ୍କୁ ତୁରନ୍ତ ରାଜ୍ୟସଭା ଗୃହ ଛାଡ଼ି ଚାଲିଯିବା ପାଇଁ ଅଧ୍ୟକ୍ଷ ଏମ ଭେଙ୍କୟା ନାଇଡ଼ୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ସେନ୍ ତାଙ୍କ ଆସନରେ ପୂର୍ବବତ୍ ବସି ରହିଥିଲେ। ଇତିମଧ୍ୟରେ ଅଧ୍ୟକ୍ଷ ଗୃହକୁ ଆସନ୍ତା ସୋମବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ। ମଧ୍ୟାହ୍ନ ୧୨ଟାରୁ ୧୨ଟା ୩୦ ମଧ୍ୟରେ ରାଜ୍ୟସଭା ୩ ଥର ମୁତଲବୀ ହୋଇଥିଲା। ଉପାଧ୍ୟକ୍ଷଙ୍କ ବାରମ୍ବାର ଅନୁରୋଧ ସତ୍ତ୍ବେ ‌ ସେନ୍ ଗୃହ ଛାଡ଼ି ନଥିଲେ। ଏଥିସହିତ ଗୃହର ବିଭିନ୍ନ ପ୍ରଦେଶ ଦ୍ବାରକୁ ‌ ସେନ୍‌ଙ୍କ ଫଟୋ ପଠାଯାଇଥିଲା। ତାଙ୍କୁ ଗୃହ ଭିତରକୁ ନଛାଡ଼ିବା ପାଇଁ ଏଥିରେ ନିର୍ଦ୍ଦେଶ ଦିଆଯାଇଥିଲା। ଗୃହରେ ଆରମ୍ଭରୁ ଲାଗି ରହିଥିବା ବିଶୃଙ୍ଖଳା ପାଇଁ ରାଜ୍ୟସଭା ଅଧ୍ୟକ୍ଷ ଆଜି କ୍ଷୋଭ ପ୍ରକାଶ କରିଥିଲେ।

ଲୋକସଭା ମଧ୍ୟ ସୋମବାର ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି। ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବାଚସ୍ପତି ଓମ୍ ବିର୍ଲା ଟୋକିଓ ଅଲିମ୍ପିକ୍ସରେ ଭାଗ ନେଇଥିବା ୧୨୭ ଜଣ ଭାରତୀୟ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଥିଲେ। ପ୍ରଶ୍ନୋତ୍ତର କାଳରେ କେବଳ ଅଳ୍ପ କିଛି ପ୍ରଶ୍ନୋତ୍ତର ହୋଇ ପାରିଥିଲା। ବିରୋଧୀ ସଦସ୍ୟମାନେ ଲଗାତାର ସ୍ଳୋଗାନବାଜି ଏବଂ ପାଟିତୁଣ୍ଡ କରିବା ଫଳରେ ବାଚସ୍ପତି ମଧ୍ୟାହ୍ନ ପର୍ଯ୍ୟନ୍ତ ଗୃହକୁ ମୁତଲବୀ କରିଥିଲେ। ଏହାପରେ ପୁଣି ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ସ୍ଥିତି ନସୁଧୁରିବାରୁ ସୋମବାର ପର୍ଯ୍ୟନ୍ତ ଲୋକସଭାକୁ ମୁଲତବୀ କରି ଦିଆଯାଇଛି।

ସମ୍ବନ୍ଧିତ ଖବର