ମୌସୁମୀ ଅଧିବେଶନ ପାଇଁ ପ୍ରସ୍ତୁତ ହେଉଛି ସଂସଦ, ସରକାରଙ୍କ ସ୍ବତନ୍ତ୍ର ପଦକ୍ଷେପ

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ନେଇ ବିଧିବଦ୍ଧ ତାରିଖ ଏପର୍ଯ୍ୟନ୍ତ ଘୋଷଣା ହୋଇନାହିଁ। କିନ୍ତୁ ଅଧିବେଶନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ସରକାର କୋଭିଡ୍‌ -୧୯ ପାଇଁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ଏକ ବିଶେ‌ଷ ସୂତ୍ରରୁ ଜଣାପଡ଼ିଛି। ପ୍ରଥମ ଥର ପାଇଁ ଲୋକସଭା ଓ ରାଜ୍ୟସଭାର ଉଭୟ ଚାମ୍ବର ଏବଂ ଗ୍ୟ‌ାଲେରି ବ୍ୟବହାର ହେବ। ଅଗଷ୍ଟ ଶେଷ ସପ୍ତାହ କିମ୍ବା ସେପ୍ଟେମ୍ବର ପ୍ରଥମ ସପ୍ତାହରେ ମୌସୁମୀ ଅଧିବେଶନ ଆରମ୍ଭ ହେବ ବୋଲି ଆଶା କରାଯାଉଛି। ରାଜ୍ୟସଭା ସଚିବାଳୟ ଅନୁଯାୟୀ ରାଜ୍ୟସଭାର ସଦସ୍ୟମାନେ ଅଧିବେଶନ ସମୟରେ ଉଭୟ ଚାମ୍ବର୍‌ ଏବଂ ଗ୍ୟାଲେରିରେ ବସିବେ।

ଭାରତୀୟ ସଂସଦ ଇତିହାସରେ ୧୯୫୨ ମସିହା ପରେ ପ୍ରଥମ ଥର ପାଇଁ ଏଭଳି ପ୍ରସ୍ତୁତ କରାଯାଇଛି। ୬୦ ଜଣ ସଦସ୍ୟ ରାଜ୍ୟସଭା ଚାମ୍ବର୍‌ରେ, ୫୧ ଜଣ ରାଜ୍ୟସଭା ଗ୍ୟାଲେରିରେ ଏବଂ ୧୩୨ ଜଣ ଲୋକସଭା ଚାମ୍ବର୍‌ରେ ବସିବେ। ଲୋକସଭା ସଚିବାଳୟ ଦ୍ବାରା ମଧ୍ୟ ସମାନ ବ୍ୟବସ୍ଥା କରାଯାଇଛି। ପ୍ରଥମ ଥର ପାଇଁ ଗ୍ୟାଲେରିରେ ବସିଥିବା ସଦସ୍ୟଙ୍କ ପାଇଁ ବଡ଼ ଡିସ୍‌ପ୍ଲେ ସ୍କ୍ରିନ୍‌ ଲାଗିବ। ରାଜ୍ୟସଭା ଅଧ୍ୟକ୍ଷ ଏମ୍‌ ଭେଙ୍କିୟା ନାଇଡ଼ୁ ଏବଂ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା ଗତ ଜୁଲାଇ ୧୭ରେ ବୈଠକ କରି ମୌସୁମୀ ଅଧିବେଶନ ନିମନ୍ତେ ବିଭିନ୍ନ ଆଲୋଚନା କରିଥିଲେ। ଉଭୟ ଗୃହର ଚାମ୍ବର୍‌ ଏବଂ ଗ୍ୟାଲେରି ବ୍ୟବହାର ସମ୍ପର୍କରେ ସେମାନେ ନିଷ୍ପତ୍ତି ନେଇଥିଲେ। ଚାମ୍ବର ଗୁଡ଼ିକରେ ୮୫ ଇଞ୍ଚ୍‌ର ୪ଟି ବଡ଼ ଡିସ୍‌ପ୍ଲେ ସ୍କ୍ରିନ୍‌ ଏବଂ ୪ଟି ଗ୍ୟାଲେରିରେ ୬ଟି ୪୦ ଇଞ୍ଚର ଡିସପ୍ଲେ ସ୍କ୍ରିନ୍‌ ଲାଗିବ। ସେହିପରି ବିତର୍କ ଏବଂ ଆଲୋଚନାରେ ଭାଗ ନେବାପାଇଁ ମଧ୍ୟ ସ୍ବତନ୍ତ୍ର ସୁବିଧା ହୋଇଛି। ଭାଇରସ୍‌ ନିପାତ ପାଇଁ ଏସି ୟୁନିଟ୍‌ରେ ଅଲଟ୍ରାଭାଓଲେଟ୍‌ ସିଷ୍ଟମ୍‌ ଉପଯୋଗର ପ୍ରସ୍ତାବ ରହିଛି।

ବିଭିନ୍ନ ଦଳର ସଦସ୍ୟଙ୍କୁ‌ ସେମାନଙ୍କ ସଂଖ୍ୟା ଅନୁଯାୟୀ ରାଜ୍ୟସଭା ଗ୍ୟାଲେରି କିମ୍ବା ଚାମ୍ବର ଏବଂ ଅନ୍ୟମାନଙ୍କୁ ଲୋକସଭା ଚାମ୍ବର୍‌ର ୨ଟି ବିଭାଗରେ ବସିବା ବ୍ୟବସ୍ଥା କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କେନ୍ଦ୍ର ମନ୍ତ୍ରୀ, ବିରୋଧୀ ଦଳ ନେତାମାନଙ୍କ ପାଇଁ ରାଜ୍ୟସଭା ଚାମ୍ବର୍‌ରେ ଆସନ ସଂରକ୍ଷିତ ରହିବ। ଡ. ମନମୋହନ ସିଂହ, ଏଚ୍‌ଡି ଦେବଗୌଡ଼ାଙ୍କ ପାଇଁ ମଧ୍ୟ ଚାମ୍ବର୍‌ରେ ୨ଟି ଆସନ ସଂରକ୍ଷିତ ରହିବ। ମିଳିଥିବା ସୂଚନାନୁଯାୟୀ ଗୃହକାର୍ଯ୍ୟର ସମୟକୁ କମାଇ ଦେବାପାଇଁ ନିଷ୍ପତ୍ତି ହୋଇଛି। ଅତିବେଶୀରେ ୪ ଘଣ୍ଟା ଗୃହକାର୍ଯ୍ୟ ଚାଲିବ। ପ୍ରଥମେ ଲୋକସଭା ଅଧିବେଶନ ଚାଲିବ ଏବଂ ପରେ ରାଜ୍ୟସଭା ଅଧିବେଶନ ହେବ। ପଲିକାର୍ବୋନେଟ୍‌ ସିଟ୍‌ ବ୍ୟବସ୍ଥା କରାଯାଇଛି। ସାମାଜିକ ଦୂରତା ଉପରେ ଯଥେଷ୍ଟ୍‌ ଗୁରୁତ୍ବ ଦିଆଯାଇଛି। ପ୍ରେସ୍‌ ଗ୍ୟାଲେରି ପାଇଁ ମଧ୍ୟ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ରାଜ୍ୟସଭା ଅଧିବେଶନବେଳେ ପ୍ରେସ୍‌ ଗ୍ୟାଲେରିରେ ୭ ସାମ୍ବାଦିକ ଏବଂ ଲୋକସଭା ଅଧିବେଶନ ଚାଲିଥିବାବେଳେ ୧୫ ସାମ୍ବାଦିକ ଉପସ୍ଥିତ ରହିବା ପାଇଁ ନିଷ୍ପତ୍ତି ହେଇଛି। ଅଧିବେଶନ ଚାଲିଥିବାବେଳେ କୌଣସି ସାମ୍ବାଦିକ ଏବଂ ପୂର୍ବତନ ସାଂସଦଙ୍କୁ କେନ୍ଦ୍ରୀୟ ହଲ୍‌ ମଧ୍ୟକୁ ପ୍ରବେଶ ଅନୁମତି ମିଳିବନି। ଉଲ୍ଲେଖ‌ଯୋଗ୍ୟ ଯେ, ସେପ୍ଟେମ୍ବର ୨୩ ପୂର୍ବରୁ ମୌସୁମୀ ଅଧିବେଶନ ଆରମ୍ଭ ହେବା ଆବଶ୍ୟକ। କାରଣ ୨ଟି ଅଧିବେଶନ ମଧ୍ୟରେ ୬ ମାସରୁ ଅଧିକ ସମୟ ବ୍ୟବଧାନ ରହିପାରିବ ନାହିଁ। ମାର୍ଚ୍ଚ ୨୩ରେ ବଜେଟ୍‌ ଅଧିବେଶନ ମୁଲତବୀ ରହିଥିଲା।

ସମ୍ବନ୍ଧିତ ଖବର