ନୂଆଦିଲ୍ଲୀ: ଆଜି ରାଜ୍ୟସଭାରେ କୃଷି ବିଲ୍ ଉପସ୍ଥାପିତ ହେବା ପରେ ଏ ନେଇ ବିରୋଧୀମାନେ ହଙ୍ଗାମା କରିଥିଲେ। ରାଜ୍ୟସଭାରେ ବିଲ୍ କୁ ନେଇ ଆଲୋଚନା ଚାଲୁଥିବା ବେଳେ ବିରୋଧୀ କୃଷି ବିଲ୍ ସହ ଜଡିତ କାଗଜପତ୍ର ଛଡ଼ାଇ ନେବାକୁ ଉଦ୍ୟମ କରିଥିବା ସାମ୍ନାକୁ ଆସିଥିଲା। ତେବେ ବିରୋଧୀଙ୍କ ହଙ୍ଗମା ମଧ୍ୟରେ ରାଜ୍ୟସଭାରେ ୨ଟି କୃଷି ବିଲ୍(କୃଷି ଉତ୍ପାଦ ବ୍ୟାପାର ଏବଂ ବାଣିଜ୍ୟ (ସଂବର୍ଦ୍ଧନ ଏବଂ ସୁବିଧା) ବିଧେୟକ, ୨୦୨୦, କୃଷକ (ସଶକ୍ତିକରଣ ଏବଂ ସଂରକ୍ଷଣ)ଙ୍କ ମୂଲ୍ୟ ଆଶ୍ୱାସନ ଅନୁବନ୍ଧ) ପାସ୍ ହୋଇଛି। ଏହା ପୂର୍ବରୁ ଲୋକସଭାରେ କୃଷି ବିଲ୍ ପାସ ହୋଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଦେଶର କୃଷି କ୍ଷେତ୍ରରେ ପରିବର୍ତ୍ତନ ଏବଂ କୃଷକମାନଙ୍କ ଉପାର୍ଜନ ବୃଦ୍ଧି ଉଦ୍ଦେଶ୍ୟରେ ଲୋକସଭା ପରେ ଆଜି ରାଜ୍ୟସଭାରେ ୩ଟି ପୃଥକ୍ କୃଷି ବିଲ୍ ଉପସ୍ଥାପନ କରାଯାଇଥିଲା । ଲୋକସଭାରେ କୃଷି ବିଲ୍ ପାସ୍ ହୋଇ ସାରିଥିବା ବେଳେ ଆଜି ରାଜ୍ୟସଭାରେ ଏହି ୩ଟି ବିଲକୁ ଉପସ୍ଥାପନ କରାଯାଇଥିଲା। ଏହି ବିଲ୍ ଗତ ଜୁନ୍ ୫ ତାରିଖ ଦିନ ଜାରି ଅଧ୍ୟାଦେଶକୁ ବିଧିବଦ୍ଧ ଆଇନରେ ପରିଣତ କରିବ । ଏହି ୩ଟି ବିଲ୍ ହେଉଛି: କୃଷି ଉତ୍ପାଦ ବ୍ୟାପାର ଏବଂ ବାଣିଜ୍ୟ (ସଂବର୍ଦ୍ଧନ ଏବଂ ସୁବିଧା) ବିଧେୟକ, ୨୦୨୦, କୃଷକ (ସଶକ୍ତିକରଣ ଏବଂ ସଂରକ୍ଷଣ)ଙ୍କ ମୂଲ୍ୟ ଆଶ୍ୱାସନ ଅନୁବନ୍ଧ ଏବଂ କୃଷି ସେବା ବିଧେୟକ ଓ ଆବଶ୍ୟକ ସାମଗ୍ରୀ (ସଂଶୋଧନ) ବିଧେୟକ)।
ବିଲ୍କୁ ନେଇ ବିବାଦ କାହିଁକି?
ଦେଶର ମୋଟ ଚାଷୀଙ୍କ ମଧ୍ୟରୁ ୮୬ ପ୍ରତିଶତ ହେଉଛନ୍ତି କ୍ଷୁଦ୍ର ଓ ନାମମାତ୍ର ଚାଷୀ। ସେମାନେ ନିଜ ଉତ୍ପାଦିତ ସାମଗ୍ରୀକୁ ଉଚିତ ଦାମ୍ରେ ବିକିବା ପାଇଁ ମୂଲଚାଲ କରିବାର ସୁଯୋଗ ପାଉନାହାନ୍ତି। ଉତ୍ପାଦନ ବଢ଼ାଇବା ଲାଗି ପ୍ରଯୁକ୍ତିରେ ମଧ୍ୟ ନିବେଶ କରିପାରୁନାହାନ୍ତି। ସେମାନଙ୍କ ଲାଭ ପାଇଁ ସରକାର ଆଣିଥିବା ବିଲ୍ରେ ଅନେକ ବ୍ୟବସ୍ଥା ରହିଛି। କୃଷି ବଜାର ସମ୍ପର୍କିତ ବିଲ୍ରେ ଚାଷୀମାନଙ୍କୁ ଏପିଏମ୍ସି ମଣ୍ଡି ବାହାରେ ନିଜ ସାମଗ୍ରୀ ବିକ୍ରି କରିବାର ଅନୁମତି ଦିଆଯାଇଛି। ଏହା ଦ୍ବାରା କମିସନ ଏଜେଣ୍ଡ୍ମାନେ କମିସନ ଓ ମଣ୍ଡି ଫି’ ହରାଇବେ। ଏହା ବିରୋଧର ଏକ ପ୍ରମୁଖ କାରଣ। ଚାଷୀମାନେ ନିଜ କ୍ଷେତରୁ ଯାହାକୁ ଚାହିଁବେ ସାମଗ୍ରୀ ବିକିପାରିବେ। ପରିବହନରେ ହେଉଥିବା ସେମାନଙ୍କ ଖର୍ଚ୍ଚ ମଧ୍ୟ କମିବ। କଣ୍ଟ୍ରାକ୍ଟ ଫାର୍ମିଂକୁୂ ନେଇ ରହିଥିବା ବ୍ୟବସ୍ଥାରେ ଚାଷୀମାନେ ବଡ଼ ରିଟେଲ୍ ସଂସ୍ଥା ସହ ଚୁକ୍ତି କରିପାରିବେ। ସେମାନେ ଉତ୍ପାଦିତ ସାମଗ୍ରୀର କ’ଣ ମୂଲ୍ୟ ଚାହୁଛନ୍ତି ତାହା ଚୁକ୍ତି ସ୍ବାକ୍ଷର ବେଳେ ନିର୍ଧାରିତ ହେବ। ତେଣୁ ବଜାରରେ ବିଭିନ୍ନ ସମୟରେ ମୂଲ୍ୟକୁ ନେଇ ଦେଖାଦେଉଥିବା ଅସ୍ଥିରତାକୁ ନେଇ ଚାଷୀଙ୍କୁ ଚିନ୍ତା କରିବାକୁ ପଡ଼ିବ ନାହିଁ। ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ବିଲ୍ରେ ଦାନାଯୁକ୍ତ ଶସ୍ୟ, ଡାଲି, ତୈଳବୀଜ, ଖାଇବା ତେଲ, ପିଆଜ ଓ ଆଳୁକୁ ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରୁ ବାଦ ଦିଆଯାଇଛି। ଅର୍ଥାତ ଏହି ସାମଗ୍ରୀଗୁଡ଼ିକର ଷ୍ଟକ ସୀମା ନିର୍ଧାରଣ କରାଯାଇପାରିବ ନାହିଁ। କେବଳ ଯୁଦ୍ଧ କିମ୍ବା ପ୍ରାକୃତିକ ବିପର୍ଯ୍ୟୟ ଭଳି ବିରଳ ପରିସ୍ଥିତିରେ ସରକାର ଷ୍ଟକ ସୀମା ଧାର୍ଯ୍ୟ କରିପାରିବେ। ଏହା ଦ୍ବାରା କୃଷି କ୍ଷେତ୍ରକୁ ଉଭୟ ଘରୋଇ କ୍ଷେତ୍ରର ଓ ବିଦେଶୀ ପୁଞ୍ଜି ଆସିପାରିବ।