ସଂସଦ ଖବର : ପୋଲାଭରମ୍, ମହିଳା ସଂରକ୍ଷଣ ବିଲ୍‌, ଡେରାଡ଼ୁନ ଓ ଶିରିଡ଼ିକୁ ବିମାନ ସେବା

ପୋଲାଭରମ ଡ୍ୟାମ୍‌: ଅତିରିକ୍ତ ସ୍ପିଲୱେ ନିର୍ମାଣ ଦାବିକଲେ ଭର୍ତ୍ତୃହରି
ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ଶୁକ୍ରବାର ଦିନ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ପୋଲାଭରମ ପ୍ରସଙ୍ଗ ଉଠାଇଥିଲେ। ସାଂସଦ ଶ୍ରୀ ମହତାବ କହିଲେ, ଆନ୍ଧ୍ର ପ୍ରଦେଶ ଦ୍ବାରା ପୋଲାଭରମ ଡ୍ୟାମର ଉଚ୍ଚତା ବୃଦ୍ଧି କରାଯାଇଥିବାରୁ ଓଡ଼ିଶାର ବଡ଼ ଭାଗ ତଥା ତେ‌ଲେଙ୍ଗାନାର କିଛି ଅଂଚଳକୁ ବନ୍ୟା ଜଳ ପ୍ରବେଶ କରୁଛି। ନିକଟରେ ପ୍ରବଳ ବର୍ଷା ଯୋଗୁ ସିଲେରୁ ଓ ସାବେରୀ ନଦୀରେ ବାତ୍ୟାର ଭୟାବହ ସ୍ଥିତି ସୃଷ୍ଟି ହୋଇଛି। ଆନ୍ଧ୍ର ସରକାରଙ୍କ ପକ୍ଷରୁ ଦୁଇ ନଦୀର ପାର୍ଶ୍ବରେ ଆଡ଼ିବନ୍ଧ ନିର୍ମାଣ କରାଯିବା ପାଇଁ କୁହାଯାଉଥିବା ବେଳେ ଓଡ଼ିଶାର ଏଥିରେ ଆପତ୍ତି ରହିଛି। ମାମଲା ବର୍ତ୍ତମାନ ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରାଧୀନ ରହିଛି।

ଶ୍ରୀ ମହତାବ କହିଥିଲେ ୧୯୮୦ ପୋଲାଭରମ ପ୍ରକଳ୍ପ ନିର୍ମାଣ ପାଇଁ ଆନ୍ଧ୍ରପ୍ରଦେଶ, ଓଡ଼ିଶା ଓ ମଧ୍ୟପ୍ରଦେଶ ରାଜି ହୋଇଥିଲେ। ସମୁଦାୟ ଜଳାଶୟ ଅଞ୍ଚଳ ୩୬ ଲକ୍ଷ କ୍ୟୁସେକ୍‌ ନିର୍ଦ୍ଧାରିତ ହୋଇଥିଲା। ହେଲେ ଆନ୍ଧ୍ରପ୍ରଦେଶ ପକ୍ଷରୁ ପୋଲାଭରମ ଡ୍ୟାମର ଉଚ୍ଚତା ବୃଦ୍ଧି କରାଯାଉଥିବାରୁ ଓଡ଼ିଶା ପ୍ରଭାବିତ ହେଉଛି। ବନ୍ୟାଜଳ ଯେ ଭଳି ଓଡ଼ିଶା ଅଂଚଳରେ ପ୍ରବେଶ ନ କରେ ସେ ନେଇ କେନ୍ଦ୍ର ସରକାର ଆନ୍ଧ୍ର ସରକାରଙ୍କୁ ଅତିରିକ୍ତ ସ୍ପିଲ‌୍‌ୱେ ନିର୍ମାଣ କରିବା ପାଇଁ ଅନୁରୋଧ କରନ୍ତୁ ବୋଲି ଶ୍ରୀ ମହତାବ ଦାବି କରିଥିଲେ। ପ୍ରସଙ୍ଗକୁ ଉପସ୍ଥାପନ କରିବା ସମୟରେ ଶ୍ରୀ ମହତାବ ପୁଣି କହିଥିଲେ ମୋଟୁ ଅଞ୍ଚଳ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ତେଣୁ କେନ୍ଦ୍ର ସରକାର ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରନ୍ତୁ ବୋଲି ଶ୍ରୀ ମହତାବ କହିଥିଲେ।

୩୩ % ମହିଳା ସଂରକ୍ଷଣ ବିଲ୍‌ ଆଗତ ପାଇଁ ସସ୍ମିତଙ୍କ ଦାବି
ନୂଆଦିଲ୍ଲୀ : ୩୩ % ମହିଳା ସଂରକ୍ଷଣ ବିଲ୍‌କୁ ସଂସଦରେ ପାରିତ କରିବା ପାଇଁ ବିଜେଡି ସାଂସଦ ସସ୍ମିତ ପାତ୍ର ଦାବି କରିଛନ୍ତି। ରାଜ୍ୟସଭାରେ ଶୁକ୍ରବାର ଦିନ ସ୍ବତନ୍ତ୍ର ଆଲେଖ୍ୟ ଜରିଆରେ ଡ. ପାତ୍ର ଏହି ପ୍ରସଙ୍ଗ ଉପସ୍ଥାପନ କରିଥିଲେ। ସେ କହିଲେ, ମହିଳାଙ୍କ ପାଇଁ ସଂସଦ ଏବଂ ବିଧାନସଭାରେ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ପାଇଁ ନଭେମ୍ବର ୨୦୧୮ରେ ଓଡ଼ିଶା ବିଧାନସଭାରେ ସର୍ବସମ୍ମତି ପ୍ରସ୍ତାବ ପାରିତ ହୋଇଥିଲା। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଦ୍ବାରା ମହିଳା ସଂରକ୍ଷଣ ବିଲକୁ ସଂସଦରେ ପାରିତ କରିବା ପାଇଁ ବିଜେଡି ୨୨ଟି ପ୍ରତିନିଧି ମଣ୍ଡଳୀକୁ ୨୨ଟି ଜାତୀୟ ଓ ଆଚଂଳିକ ଦଳମାନଙ୍କ ନିକଟକୁ ପଠାଇ ସେମାନଙ୍କର ସମର୍ଥନ ଓ ସହଯୋଗ ଲୋଡ଼ାଯାଇଥିଲା।

୨୦୧୯ ଲୋକସଭା ନିର୍ବାଚନରେ ବିଜେଡି ୩୩ ପ୍ରତିଶତ ମହିଳାଙ୍କୁ ଟିକଟ ଦେଇଥିଲା। ଭାରତର ସମସ୍ତ ସାଂସଦ ଏବଂ ରାଜନୈତିକ ଦଳ ମହିଳା ସଶକ୍ତିକରଣ ପାଇଁ ନିଜର ଦୃଢ଼ ସଂକଳ୍ପ ପ୍ରକାଶ କରୁଛନ୍ତି। ହେଲେ ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ୩୩ ପ୍ରତିଶତ ମହିଳା ସଂରକ୍ଷଣ ବିଲ୍‌ ସଂସଦରେ ପାରିତ ହୋଇପାରିନାହିଁ। ଯଦି ଭାରତ ବର୍ଷର ଅମୃତ କାଳରେ ଏହି ପ୍ରସ୍ତାବିତ ସଂରକ୍ଷଣ ବିଲ୍‌ କରାନଯାଏ, ଇତିହାସ ଆମକୁ କେବେ କ୍ଷମା କରିବେ ନାହିଁ ବୋଲି ଡ. ପାତ୍ର ଉପସ୍ଥାପନରେ କହିଥିଲେ।

ଭୁବନେଶ୍ବରରୁ ଡେରାଡ଼ୁନ ଓ ଶିରିଡ଼ିକୁ ବିମାନ ସେବା ଦାବି
ନୂଆଦିଲ୍ଲୀ : ଭୁବନେଶ୍ବରରୁ ଡେରାଡ଼ୁନ ଓ ଶିରିଡ଼ି ପାଇଁ ସିଧାସଳଖ ବିମାନ ସେବା ଆରମ୍ଭ କରିବା ପାଇଁ ଶୁକ୍ରବାର ଦିନ ଲୋକସଭାର ଶୂନ୍ୟ କାଳରେ ବିଜେଡି ସାଂସଦ ଚନ୍ଦ୍ରଶେଖର ସାହୁ ଦାବି କରିଛନ୍ତି। ଏହି ପ୍ରସଙ୍ଗରେ ଶ୍ରୀ ସାହୁ କହିଲେ, ଉତ୍ତରାଖଣ୍ଡ ଓ ମହାରାଷ୍ଟ୍ରରୁ ପର୍ଯ୍ୟଟକ ଓ ଭକ୍ତମାନେ ଜଗନ୍ନାଥ ପୁରୀ, କୋଣାର୍କ ଓ ଲିଙ୍ଗରାଜ ମନ୍ଦିର ଭଳି ସ୍ଥାନମାନଙ୍କ ଭ୍ରମଣ ପାଇଁ ଓଡ଼ିଶା ଆସିଥାନ୍ତି। ଓଡ଼ିଶାର ପର୍ଯ୍ୟଟକ ଓ ଭକ୍ତମାନେ ଉତ୍ତରାଖଣ୍ଡର ଚାରିଧାମ ଯାତ୍ରା ତଥା ମହାରାଷ୍ଟ୍ରର ଶିରିଡ଼ିକୁ ଯାତ୍ରା କରିଥାନ୍ତି।

ଭୁବନେଶ୍ବରରୁ ଡେରାଡ଼ୁନ ଓ ଶିରିଡ଼ି ଯିବା ପାଇଁ କୌଣସି ସିଧାସଳଖ ବିମାନ ସେବା ନଥିବାରୁ ଯାତ୍ରୀମାନଙ୍କୁ ଟ୍ରେନ ଓ ସଡ଼କ ଯୋ‌ଗେ ଯାତ୍ରା କରିବାକୁ ପଡ଼ିଥାଏ। ଯାହାକି ବ୍ୟୟବହୁଳ ଓ ଅଧିକ ସମୟ ନେଇଥାଏ। ପ୍ରସ୍ତାବ ଉପରେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ବିଚାର କରନ୍ତୁ ବୋଲି ସାଂସଦ ଶ୍ରୀ ସାହୁ ଲୋକସଭାରେ ପ୍ରସଙ୍ଗ ଉପସ୍ଥାପନ ବେଳେ କହିଥିଲେ।

ସସ୍ମିତଙ୍କ ଦ୍ବାରା ତିନି ପ୍ରାଇଭେଟ ମେମ୍ବର ବିଲ୍‌ ଆଗତ
ନୂଆଦିଲ୍ଲୀ : ବିଜେଡି ସାଂସଦ ସସ୍ମିତ ପାତ୍ରଙ୍କ ଦ୍ବାରା ଶୁକ୍ରବାର ଦିନ ରାଜ୍ୟସଭାରେ ତିନିଟି ପ୍ରାଇଭେଟ ମେମ୍ବର ବିଲ ଆଗତ କରାଯାଇଛି। ଡ. ପାତ୍ରଙ୍କ ଦ୍ବାରା ଆଗତ କରାଯାଇଥିବା ଏହି ବିଲ୍‌ଗୁଡ଼ିକ ହେଲା, ଶାଳ ପତ୍ର ସଂଗ୍ରହକାରୀ ଓ ବ୍ୟବସାୟୀ କଲ୍ୟାଣ ବିଲ୍‌,୨୦୨୨, ମାନବ ଚାଲାଣ (ନିବାରଣ, ସୁରକ୍ଷା ଓ ଥଇଥାନ) ବିଲ୍‌, ୨୦୨୨ ଏବଂ ରାଜ୍ୟ ପୁନର୍ଗଠନ କମିସନ ବିଲ୍‌,୨୦୨୨।

ସମ୍ବନ୍ଧିତ ଖବର