ନୂଆଦିଲ୍ଲୀ: ସଂପ୍ରତି ରାଜଧାନୀ ଦିଲ୍ଲୀରେ ମହାମାରୀ କରୋନା ବା କୋଭିଡ୍-୧୯ର ତୃତୀୟ ଲହର କାୟାବିସ୍ତାର କରିବାକୁ ଆରମ୍ଭ କରିଛି। ଫଳରେ ଦିଲ୍ଲୀରେ ପ୍ରତ୍ୟେକ ଦିନ ନୂତନ ସଂକ୍ରମଣ ମାମଲାରେ ବୃଦ୍ଧି ଘଟିବାରେ ଲାଗିଛି। ଏବଂ ଆସନ୍ତା ମାସରେ ଥଣ୍ଡା ବଢ଼ିବା ସହ କରୋନାର ପ୍ରକୋପ ଆହୁରି ଅଧିକ ବୃଦ୍ଧି ପାଇବାର ପୂର୍ବାନୁମାନ କରାଯାଉଛି। ଏପରିସ୍ଥିତିକୁ ଦୃଷ୍ଟିରେ ରଖି ସଂସଦର ଆଗାମୀ ଶୀତକାଳୀନ ଅଧିବେଶନକୁ ସ୍ଥଗିତ ରଖିବା ପାଇଁ ଯୋଜନା ଚାଲିଥିବା ଜାଣିବାକୁ ମିଳିଛି। ଶୀତ ଅଧିବେଶନକୁ ସ୍ଥଗିତ ରଖିବା ସହ ଏହାକୁ ବଜେଟ୍ ଅଧିବେଶନ ସହ ମିଶାଇ ଏକାଠି କରିବା ପାଇଁ ବିଚାରବିମର୍ଶ ଆରମ୍ଭ ହୋଇଛି।
ବିଶ୍ୱସ୍ତ ସୂତ୍ରକୁ ଆଧାର କରି ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି ଯେ ଲୋକସଭା ବାଚସ୍ପତି ଓମ ବିର୍ଲା ଏବଂ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କୟା ନାଇଡୁଙ୍କ ମଧ୍ୟରେ ଆୟୋଜିତ ହେବାକୁ ଥିବା ଏକ ବୈଠକ ପରେ ଏ ସଂପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ସଂସଦର ଶୀତ ଅଧିବେଶନ ସାଧାରଣତଃ ନଭେମ୍ବର ଶେଷରୁ ଆରମ୍ଭ ହୋଇ ଡିସେମ୍ବର ମଧ୍ୟଭାଗ ପର୍ଯ୍ୟନ୍ତ ଚାଲିଥାଏ। ତେବେ, ଜାନୁଆରି ଶେଷ ସୁଦ୍ଧା ଆରମ୍ଭ ହେବାକୁ ଥିବା ବଜେଟ୍ ଅଧିବେଶନ ସହିତ ଶୀତକାଳୀନ ଅଧିବେଶନକୁ ମିଶ୍ରଣ କରାଯିବ ବୋଲି କୁହାଯାଉଛି। ପ୍ରତିବର୍ଷ ଫେବୃଆରି ୧ରେ କେନ୍ଦ୍ର ବଜେଟ୍ ସଂସଦରେ ଉପସ୍ଥାପିତ ହୁଏ।
ଉଲ୍ଲେଖଯୋଗ୍ୟ, କୋଭିଡ୍-୧୯ ମହାମାରୀର ଆଶଙ୍କା ମଧ୍ୟରେ ଚଳିତ ବର୍ଷ ପ୍ରାରମ୍ଭରେ ବଜେଟ୍ ଅଧିବେଶନକୁ ମଧ୍ୟ ହ୍ରାସ କରାଯାଇଥିଲା। ନିୟମ ଅନୁଯାୟୀ, ଗୋଟିଏ ବର୍ଷରେ ସଂସଦର ତିନିଟି ଅଧିବେଶନ ଅନୁଷ୍ଠିତ ହୁଏ। ଦୁଇଟି ଅଧିବେଶନ ମଧ୍ୟରେ ଛଅ ମାସ କିମ୍ବା ତା’ଠାରୁ ଅଧିକ ବ୍ୟବଧାନ ରହିବା ଉଚିତ୍ ନୁହେଁ ବୋଲି ସମ୍ବିଧାନର ନିର୍ଦ୍ଦେଶ ରହିଛି।
ସଂସଦର ମୌସୁମୀ ଅଧିବେଶନ କାଳରେ ପ୍ରାୟ ୪୦ ଜଣ ସାଂସଦ କରୋନା ପଜିଟିଭ୍ ଥିବା ପରୀକ୍ଷାରୁ ଜଣପଡ଼ି ଥିବାବେଳେ ଉଭୟ ଲୋକସଭା ଏବଂ ରାଜ୍ୟସଭାର ୪୦୦ରୁ ଅଧିକ କର୍ମଚାରୀ ମଧ୍ୟ କରୋନା ସଂକ୍ରମିତ ହୋଇଥିଲେ। ସେଥିପାଇଁ ଅଧିବେଶନର ନିର୍ଦ୍ଧାରିତ ସମୟ ନିର୍ଘଣ୍ଟରୁ ଆଠ ଦିନ କଟାଯାଇ ସେପ୍ଟେଟର ୨୪ରେ ମୌସୁମୀ ଅଧିବେଶନକୁ ଶେଷ କରା ଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/parliament.jpg)
