ନୂଆଦିଲ୍ଲୀ: ଏକ ସଂସଦୀୟ କମିଟି ବ୍ୟଭିଚାର ଆଇନକୁ ପୂର୍ବସ୍ଥିତିକୁ ଫେରାଇ ବ୍ୟଭିଚାରକୁ ଦଣ୍ଡନୀୟ ଅପରାଧ ଭାବେ ଆଇନଗତ ମାନ୍ୟତା ଦେବା ଏବଂ ପୁରୁଷ, ମହିଳା ଏବଂ/କିମ୍ବା ତୃତୀୟ ଲିଙ୍ଗୀ ସଦସ୍ୟଙ୍କ ମଧ୍ୟରେ ସହମତି ବିହୀନ ଯୌନ ସମ୍ପର୍କକୁ ଅପରାଧୀକ କାର୍ଯ୍ୟକଳାପ ଘୋଷଣା କରିବାକୁ ସୁପାରିସ କରିପାରେ। ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି), କ୍ରିମିନାଲ ପ୍ରୋସିଡିଓର କୋଡ୍ (ସିଆରପିସି) ଏବଂ ଇଣ୍ଡିଆନ୍ ଏଭିଡେନ୍ସ ଆକ୍ଟ ( ଭାରତୀୟ ପ୍ରମାଣ ଆଇନ )କୁ ଯଥାକ୍ରମେ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ ଭାରତୀୟ ସାକ୍ଷୀ ସଂହିତାକୁ ବଦଳାଇବା ପାଇଁ ଏହି କମିଟି ତିନିଟି ବିଲ୍ ଉପରେ ସଂପ୍ରତି ଅଧ୍ୟୟନ କରୁଛି।
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଦ୍ୱାରା ଉପସ୍ଥାପିତ ଏହି ବିଲ୍ଗୁଡ଼ିକୁ ବିଜେପି ସାଂସଦ ବ୍ରିଜ ଲାଲଙ୍କ ଅଧ୍ୟକ୍ଷତାରେ ଗଠିତ ଗୃହ ବ୍ୟାପାର ସ୍ଥାୟୀ କମିଟିକୁ ଅଗଷ୍ଟ ମାସରେ ତିନି ମାସର ସମୟ ସୀମା ସହିତ ଅଧିକ ଯାଞ୍ଚ ପାଇଁ ପଠାଯାଇଥିଲା।
ଶୁକ୍ରବାର କମିଟି ବୈଠକ ବସିଥିଲେ ମଧ୍ୟ ବିଲ୍ ଉପରେ ଚିଠା ପ୍ରସ୍ତାବ ଗ୍ରହଣ ହୋଇ ନଥିବାରୁ ବିରୋଧୀ ସଦସ୍ୟମାନେ ୩ ମାସର ସମୟ ଅବଧି ବଢ଼ାଇବାକୁ ଦାବି କରିଥିଲେ। କମିଟିର ପରବର୍ତ୍ତୀ ବୈଠକ ନଭେମ୍ବର ୬ରେ ଅନୁଷ୍ଠିତ ହେବ।
ବ୍ୟଭିଚାର ଉପରେ ୨୦୧୮ରେ ଦେଶର ଶୀର୍ଷ ଅଦାଲତ ସୁପ୍ରିମ୍କୋର୍ଟଙ୍କ ଦ୍ୱାରା ରଦ୍ଦ ହୋଇଥିବା ଆଇନକୁ ପୁନଃପ୍ରବର୍ତ୍ତନ କରି କିମ୍ବା ଏକ ନୂତନ ଆଇନ ପାରିତ କରି ବ୍ୟଭିଚାରକୁ ପୁନର୍ବାର ଅପରାଧର ଆଇନଗତ ମାନ୍ୟତା ଦେବାକୁ ଚିଠା ପ୍ରସ୍ତାବରେ ସୁପାରିସ କରାଯିବ ବୋଲି ଆଶା କରାଯାଉଛି।
ଉଲ୍ଲେଖଯୋଗ୍ୟ, ୨୦୧୮ରେ ଦେଶର ଶୀର୍ଷ ଅଦାଲତ ସୁପ୍ରିମ୍କୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ‘ବ୍ୟଭିଚାର ଅପରାଧ ରୂପେ ପରିଗଣିତ ହୋଇପାରିବ ନାହିଁ ଏବଂ ହେବା ମଧ୍ୟ ଉଚିତ ନୁହେଁ’ ବୋଲି ରାୟ ଦେଇଥିଲେ। ଏହା ଛାଡ଼ପତ୍ର ପାଇଁ ଏକ ଦେୱାନି ମାମଲାର ଆଧାର ହୋଇପାରେ’ ବୋଲି ତତ୍କାଳୀନ ପ୍ରଧାନ ବିଚାରପତି ଦୀପକ ମିଶ୍ର କହିଥିଲେ। ଏଥିସହ ତତ୍କାଳୀନ ପ୍ରଧାନ ବିଚାରପତି ଜଷ୍ଟିସ ମିଶ୍ର ମନ୍ତବ୍ୟ ଦେଦଇଥିଲେ ଯେ ଏହା ୧୬୩ ବର୍ଷ ପୁରୁଣା, ଔପନିବେଶିକ ଆଇନ ‘ସ୍ୱାମୀ ହିଁ ସ୍ତ୍ରୀର ମାଲିକ’ ଭଳି ଅବୈଧ ଧାରଣାକୁ ଅନୁସରଣ କରୁଛି।
ଏହାପରେ ସଂପୃକ୍ତ ଆଇନରେ କୁହାଯାଇଥଲା ଯେ ଯେଉଁ ପୁରୁଷ କୌଣସି ବିବାହିତ ମହିଳାଙ୍କ ସହ ସ୍ୱାମୀଙ୍କ ବିନା ଅନୁମତିରେ ଶାରୀରିକ ସମ୍ପର୍କ ରଖିଥିବେ ଏବଂ ଦୋଷୀ ସାବ୍ୟସ୍ତ ହେବେ ତେବେ ତାଙ୍କୁ ୫ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡିପାରେ। ମାତ୍ର ଏ ମାମଲାରେ ମହିଳାଙ୍କୁ ଦଣ୍ଡ ମିଳିବ ନାହିଁ।
ଏହି ପରିପ୍ରେକ୍ଷୀରେ ସରକାରଙ୍କୁ ସୁପାରିସ୍ ହେବାକୁ ଥିବା ଚିଠା ପ୍ରସ୍ତାବରେ ବ୍ୟଭିଚାର ଉପରେ ଲାଗୁ ହୋଇଥିବା ବ୍ୟବସ୍ଥାକୁ ଲିଙ୍ଗ ନିରପେକ୍ଷ କରାଯାଇପାରେ, ଅର୍ଥାତ୍ ଉଭୟ ପୁରୁଷ ଓ ମହିଳାଙ୍କୁ ଦଣ୍ଡ ଭୋଗିବାକୁ ପଡ଼ିପାରେ। ଅପ୍ରକାଶିତ ଏହି ଡ୍ରାଫ୍ଟ ରିପୋର୍ଟରେ କୁହାଯାଇଛି; ବିବାହ ଅନୁଷ୍ଠାନର ସୁରକ୍ଷା ପାଇଁ ଆଇପିସିର ଧାରା (୪୯୭)କୁ ଲିଙ୍ଗ ନିରପେକ୍ଷ କରି ଭାରତୀୟ ଦଣ୍ଡବିଧି ସଂହିତା (ଆଇପିସି)ରେ ବଜାୟ ରଖାଯିବା ଉଚିତ।