ନୂଆଦିଲ୍ଲୀ: ବୁଧବାର ସଂସଦରେ ହୋଇଥିବା ଅନୁପ୍ରବେଶ ୨୨ ବର୍ଷ ତଳେ, ଅର୍ଥାତ ୨୦୦୧, ଡିସେମ୍ବର ୧୩ରେ ପୁରୁଣା ସଂସଦ ଭବନ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ସ୍ମୃତିକୁ ତାଜା କରିଦେଇଛି । ଆଜି ଦର୍ଶକ ଗ୍ୟାଲେରୀରେ ବସିଥିବା ଦୁଇ ଜଣ ଯୁବକ ଶୂନ୍ୟକାଳରେ ଲୋକସଭା ଗୃହ ଭିତରକୁ ଡେଇଁ ପଡ଼ିଥିଲେ ଏବଂ ଟେବୁଲ ଉପରେ ଧୂଆଁ ସ୍ପ୍ରେ କରିଥିଲେ। ଏହି ଘଟଣାର କିଛି ସମୟ ପୂର୍ବରୁ ସଂସଦ ଭବନ ବାହାରେ ଥିବା ପରିବହନ ଭବନ ସମ୍ମୁଖରେ ଜଣେ ଯୁବକ ଓ ଜଣେ ମହିଳା ସମାନ ପ୍ରକାର ଧୂଆଁ ସ୍ପ୍ରେ କରି ସ୍ଲୋଗାନ୍ ଦେଇଥିଲେ । ସେମାନେ ସମସ୍ତଙ୍କୁ ଗିରଫ କରାଯାଇଛି ।
ତେବେ ଘଟଣାଟି କେତେବେଳେ ଓ କେମିତି ଘଟିଥିଲା ତାହା ସାମ୍ନାକୁ ଆସିଛି। ସାଂସଦମାନଙ୍କ କହିବା ମୁତାବକ...
୧. ବିଜେପି ସାଂସଦ ଖରଗେନ ମୁର୍ମୁ ଶୂନ୍ୟକାଳରେ ନିଜର ବକ୍ତବ୍ୟ ରଖୁଥିବା ବେଳେ ଅନ୍ୟ ସାଂସଦମାନେ ଏହାକୁ ଶୁଣୁଥିଲେ। ଠିକ୍ ଏତିକି ବେଳେ ହଠାତ୍ ଏକ ଶବ୍ଦ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲୁ।
୨. ଦର୍ଶକ ଗ୍ୟାଲେରୀ ଆଡ଼କୁ ଦେଖିବା ବେଳେ ଜଣେ ଯୁବକ ସେଠାରୁ ତଳକୁ ଡେଇଁ ଆମ ଆଡକୁ ଚାଲିଆସିଥିଲେ। ଏହା ପରେ ପରେ ଆଉ ଜଣେ ଯୁବକ ମଧ୍ୟ ସମାନ ଢ଼ଙ୍ଗରେ ଦର୍ଶକ ଗ୍ୟାଲେରୀରୁ ତଳକୁ ଡେଇଁଥିଲେ।
୩. ଏଭଳି ଅଜଣା ବ୍ୟକ୍ତି ଭିତରକୁ ଚାଲିଆସିବା ଦେଖି ଆମେ ସମସ୍ତେ ଭୟଭୀତ ହୋଇଯାଇଥିଲୁ। ହେଲେ ଭୟ ନକରି ଆମେ ସେମାନଙ୍କୁ କାବୁ କରିବାକୁ ଚେଷ୍ଟା କଲୁ। ଧରା ନପଡ଼ିବା ପାଇଁ ଦୁହେଁ ଗୋଟାଏ ବେଞ୍ଚରୁ ଅନ୍ୟ ବେଞ୍ଚକୁ ଡେଇଁ ଡେଇଁ ଯିବାକୁ ଲାଗିଲେ। ଏହା ପରେ ହାତରେ ଧରିଥିବା ହଳଦିଆ ବାଷ୍ପ ସ୍ପ୍ରେ କରିବା ଆରମ୍ଭ କରିଥିଲେ।
୪. ଏହି ସମୟରେ ସଂସଦର ସୁରକ୍ଷାକର୍ମୀ ଭିତରକୁ ଆସି ଦୁହିଁଙ୍କୁ କାବୁ କରିଥିଲେ।
ତେବେ ଦୁଇ ଯୁବକଙ୍କୁ ହଠାତ୍ ଭିତରକୁ ଆସିବା ଦେଖି ଅନ୍ୟ ସାଂସଦ ଡରିଥିବା ବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ନଡ଼ରି ଦମ୍ଭ ହୋଇ ଠିଆ ହୋଇଥିବା ଦାବି କରିଛି କଂଗ୍ରେସ। ଏକ୍ସରେ ରାହୁଲଙ୍କ ଏକ ଫଟୋ ସେୟାର କରି କଂଗ୍ରେସ ସାଂସଦ ସୁପ୍ରିୟ ଶ୍ରୀନାଟେ ଲେଖିଛନ୍ତି, ଅଜଣା ଯୁବକଙ୍କୁ ଦେଖି ଅନ୍ୟମାନେ ଡରରେ ଏତେତେଣେ ଦୌଡ଼ୁଥିବା ବେଳେ ଜନନାୟକ ସାହସର ସହ ଠିଆ ହୋଇଛନ୍ତି।