ନୂଆଦିଲ୍ଲୀ: ଅସମୟରେ ସରକାର ସଂଦସ ଅଧିବେଶନ ଡକାଇବା ଉଦ୍ଦେଶ୍ୟ ଉପରେ ବିରୋଧୀ ‘ଇଣ୍ଡିଆ’ ମେଣ୍ଟର ନେତାମାନେ ସନ୍ଦେହ ପ୍ରକାଶ କରିଛନ୍ତି ବୋଲି ବିଭିନ୍ନ ଗଣମାଧ୍ୟମ ରିପୋର୍ଟ କରିଛନ୍ତି।
‘ରାଷ୍ଟ୍ରୀୟ ଜନତା ଦଳ’ (ଆର୍ଜେଡି) ରାଜ୍ୟସଭା ସାଂସଦ ମନୋଜ ଝା ଗୁରୁତ୍ବାରୋପ କରି କହିଛନ୍ତି ଯେ, ପୂର୍ବରୁ ଯେମତି ଦାବି କରାଯାଉଥିଲା ଏହି ବିଶେଷ ଅଧିବେଶନ ସେତେ ଗୁରୁତ୍ବପୂର୍ଣ୍ଣ ନୁହେଁ। ଏଥିରେ ସରକାର ସାଧାରଣ ‘ବିଲ୍’ ବା ଚିଠା ଆଗତ କରିବେ। ଏଥିପାଇଁ ଶୀତ ଅଧିବେଶନ ପର୍ଯ୍ୟନ୍ତ ଅପେକ୍ଷା କରାଯାଇ ପାରିଥାଆନ୍ତା।
ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍ଆଇ’କୁ ସେ କହିଛନ୍ତି, ଏଇଟା ଆଦୌ ବିଶେଷ ଅଧିବେଶନ ନୁହେଁ। କୌଣସି ଜ୍ୟୋତିଷି ନିଶ୍ଚୟ କିଛି କହିଥିବେ। କାରଣ ପ୍ରଧାନମନ୍ତ୍ରୀ ସେ ସବୁ କଥାରେ ବିଶ୍ବାସ କରନ୍ତି। ‘ଆଜେଣ୍ଡା’ ନାହିଁ ବୋଲି କହୁନାହିଁ। ‘ଆଜେଣ୍ଡା’ ସୁସ୍ପଷ୍ଟ। କିନ୍ତୁ, ଅନ୍ୟ ‘ଆଜେଣ୍ଡା’ ସବୁ କ’ଣ ତାହା ଜାଣିବାକୁ ଚାହୁଁଛୁ। କିନ୍ତୁ, ଏସବୁରେ କିଛି ବିଶେଷତ୍ବ ନାହିଁ।
ଲୋକସଭାରେ କଂଗ୍ରେସ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ସରକାରଙ୍କ ଏହି କାର୍ଯ୍ୟକୁ ଅବାନ୍ତର ବୋଲି କହିଛନ୍ତି। ସେ କହିଛନ୍ତି ଯେ, ବିଶେଷ ଅଧିବେଶନରେ ସରକାର ଏତେଗୁଡ଼ିଏ ‘ବିଲ୍’ ପାସ୍ କରିବା ଲାଗି କାହିଁକି ସ୍ଥିର କଲେ। ତାହାର ସ୍ପଷ୍ଟୀକରଣ ଆବଶ୍ୟକ। କେବଳ ବିଶେଷ ‘ଆଜେଣ୍ଡା’ ଆଲୋଚନା ପାଇଁ ସାଧାରଣତଃ ବିଶେଷ ଅଧିବେଶନ ଡକାଯାଇ ଥାଏ। ଆମେ ସରକାରଙ୍କ ପ୍ରକୃତ ଉଦ୍ଦେଶ୍ୟ ବିଷୟରେ ଖୁବ୍ ଚିନ୍ତିତ।
‘ଟିଏମ୍ସି’ ସାଂସଦ ଡେରେକ୍ ଓ’ବ୍ରିଏନ୍ କହିଛନ୍ତି, ଏଇଟା ସ୍ବାଭାବିକ ଅଧିବେଶନ କି, ବିଶେଷ ଅଧିବେଶନ ସରକାର ଜାଣି ପାରୁନାହାନ୍ତି। ବୋଧହୁଏ ଫଟୋ ଅଧିବେଶନ।