ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନ ଆରମ୍ଭରୁ ଅଚଳ ହୋଇଛି। ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁ ଉଭୟ ରାଜ୍ୟସଭା ଓ ଲୋକସଭା କାର୍ଯ୍ୟ ଦିନକ ପାଇଁ ମୁଲତବୀ ରଖାଯାଇଛି।  ଆଦାନୀ ଗ୍ରୁପ୍ ବିରୋଧରେ ଆସିଥିବା ଲାଞ୍ଚ ଅଭିଯୋଗ ସଂପର୍କରେ ଆଲୋଚନା ପାଇଁ ବିରୋଧୀ ସାଂସଦମାନେ ଦାବି କରିବା ପରେ ରାଜ୍ୟସଭାକୁ ପ୍ରଥମେ ୧୧ଟା ୪୫ ପର୍ଯ୍ୟନ୍ତ ଏବଂ ପରେ ଦିନକ ପାଇଁ ମୁଲତବୀ ରଖାଯାଇଥିଲା। ସେହିଭଳି ଲୋକସଭାର ଦିବଂଗତ ସଦସ୍ୟ ଓ ପୂର୍ବତନମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବା ପରେ ଗୃହକୁ ବାଚସ୍ପତି ଓମ୍‌ ବିର୍ଲା ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ମୁଲତବୀ କରିଥିଲେ। ଏହାର କିଛି ସମୟ ପରେ ବିରୋଧୀ ସାଂସଦମାନେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଦାବି କରିବାରୁ ଗୃହକୁ ଦିନକ ପାଇଁ ମୁଲତବୀ ରଖାଯାଇଛି। ନଭେମ୍ବର ୨୬ରେ ସମ୍ବିଧାନ ଦିବସ ପାଳନ ପାଇଁ ଲୋକସଭା ଓ ରାଜ୍ୟସଭାର କୌଣସି ଅଧିବେଶନ ବସିବ ନାହିଁ। ବୁଧବାର ପୁଣି ଗୃହର ବୈଠକ ବସିବ। 

Advertisment

ଆଜି ସଂସଦର ଅଧିବେଶନ ଆରମ୍ଭ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାଷଣ ରଖିଥିଲେ। ଏଥିରେ ସେ ବିରୋଧୀ ଦଳଗୁଡ଼ିକୁ ତୀବ୍ର ସମାଲୋଚନା କରିଥିଲେ। ଗୁଣ୍ଡାଗର୍ଦ୍ଦି କରି ବିରୋଧୀ ଦଳ ସଂସଦକୁ ନିୟନ୍ତ୍ରଣରେ ରଖିବାକୁ ପ୍ରୟାସ କରୁଛନ୍ତି। ଲୋକଙ୍କ ଦ୍ବାରା ୮୦ରୁ ୯୦ ଥର ପ୍ରତ୍ୟାଖ୍ୟାତ ହେବା ପରେ ମଧ୍ୟ ନିଜର ରାଜନୈତିକ ସ୍ବାର୍ଥ ପାଇଁ ସଂସଦକୁ ଅଚଳ କରିବା ଲାଗି ବିରୋଧୀ ଉଦ୍ୟମ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସଂସଦର ଅଧିବେଶନ ପାଇଁ ରଣନୀତି ପ୍ରସ୍ତୁତ କରିବା ଲାଗି ବିରୋଧୀ ଇଣ୍ଡିଆ ମେଣ୍ଟର ନେତାମାନେ ରାଜ୍ୟସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ କାର୍ଯ୍ୟାଳୟରେ ଏକାଠି ହୋଇଥିଲେ। ଆଦାନୀ ବିରୋଧରେ ଆମେରିକାରେ ଉଠିଥିବା ଲାଞ୍ଚ ମାମଲା, ମଣିପୁର ହିଂସା ଓ ଅନ୍ୟାନ୍ୟ ପ୍ରସଙ୍ଗକୁ ବିରୋଧୀ ଅସ୍ତ୍ର କରିଛନ୍ତି। ୱକଫ ସଂଶୋଧନ ବିଲ୍‌ ପ୍ରସଙ୍ଗରେ ଜେପିସିର ବିରୋଧୀ ସଦସ୍ୟମାନେ ବାଚସ୍ପତି ଓମ୍‌ ବିର୍ଲାଙ୍କୁ ଭେଟି ଅଧ୍ୟକ୍ଷ ଜଗଦମ୍ବିକା ପାଲ୍‌ଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ସଂସଦ ପକ୍ଷରୁ ସମ୍ବିଧାନର ୭୫ତମ ବାର୍ଷିକୀ ମଙ୍ଗଳବାର (ନଭେମ୍ବର ୨୬)ରେ ପାଳନ ପୁରୁଣା ସଂସଦ (ସମ୍ବିଧାନ ଭବନ)ରେ ପାଳନ ହେବ। ଏଥିରେ ରା‌ଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗ ଦେବେ। ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆଜି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କୁ କେନ୍ଦ୍ର ସଂସଦୀୟ ଓ ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରେନ୍‌ ରିଜିଜୁ, ବାଣିଜ୍ୟ ଓ ଶିଳ୍ପମନ୍ତ୍ରୀ ପୀୟୂଷ ଗୋୟଲ ଏବଂ ଖାଉଟି ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଭେଟି ନିମନ୍ତ୍ରଣ କରିଛନ୍ତି।

ଆଜି ସଂସଦର ଶୀତକାଳୀନ ଅଧିବେଶନରେ ଯୋଗ ଦେଇଥିବା ଲୋକସଭା ସଦସ୍ୟମାନେ ଇଲେକ୍ଟ୍ରୋନିକ୍ ଟ୍ୟାବ୍‌ରେ ଡିଜିଟାଲ୍ ପେନ୍ ବ୍ୟବହାର କରି ସେମାନଙ୍କ ଉପସ୍ଥିତି ଚିହ୍ନିତ କରିଥିଲେ। ସଂସଦକୁ କାଗଜଶୂନ୍ୟ (ପେପରଲେସ୍) କରିବା ପାଇଁ ବାଚସ୍ପତି ଓମ୍ ବିର୍ଲାଙ୍କ ପଦକ୍ଷେପର ଅଂଶସ୍ୱରୂପ ଲୋକସଭା ଚାମ୍ବର ଲବିରେ ୪ଟି କାଉଣ୍ଟରରେ ଇଲେକ୍ଟ୍ରୋନିକ୍ ଟ୍ୟାବ୍ ରଖାଯାଇଥିଲା। କାଉଣ୍ଟରରେ ଫିଜିକାଲ ଉପସ୍ଥାନ ରେଜିଷ୍ଟର ବି ରଖାଯାଇଥିଲା। ତେବେ ସଦସ୍ୟମାନଙ୍କୁ ଟ୍ୟାବ୍‌କୁ ପସନ୍ଦ କରିବା ସହ ସଂସଦକୁ କାଗଜବିହୀନ କରିବାରେ ସାହାଯ୍ୟ କରିବାକୁ ପରାମର୍ଶ ଦିଆଯାଇଥିଲା। ରାଜ୍ୟସଭା ସାଂସଦ ଜନ୍ ବ୍ରିଟାସ୍ ଡେମାନ୍ସ ଶୂନ୍ୟକାଳ ନୋଟିସ୍ ଦେଇ କେରଳର ୱାୟନାଡ ଭୂସ୍ଖଳନ ପୀଡ଼ିତଙ୍କ ପାଇଁ କେନ୍ଦ୍ର ସରକାରଙ୍କଠାରୁ ସ୍ୱତନ୍ତ୍ର ଆର୍ଥିକ ସହାୟତା ଦାବି କରିଛନ୍ତି। କଂଗ୍ରେସ ସାଂସଦ ରଂଜିତ ରଞ୍ଜନ ରାଜ୍ୟସଭା ମହାସଚିବଙ୍କୁ ଚିଠି ଲେଖି ବଢୁଥିବା ବାୟୁ ପ୍ରଦୂଷଣ, ବିଶେଷ କରି ଦିଲ୍ଲୀର ପ୍ରଦୂଷଣ ଉପରେ ଅଳ୍ପ ସମୟ ଆଲୋଚନା କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଡିସେମ୍ବର ୨୦ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଶୀତକାଳୀନ ଅଧିବେଶନରେ ସରକାର ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ବିଲ୍ ଆଗତ କରିବାର ସମ୍ଭାବନା ରହିଛି।