ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନରେ ୧୪୬ ସାଂସଦଙ୍କୁ ନିଲମ୍ବନ ମାମଲା ନେଇ ସରଗରମ ସ୍ଥିତି ଲାଗି ରହିଛି। ବିରୋଧୀ ଦଳମାନେ ଏହି ପ୍ରସଙ୍ଗରେ କେନ୍ଦ୍ରକୁ ଘେରିଥିବା ବେଳେ ଆଜି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି ଯେ ସଂସଦକୁ ଅଚଳ କରିବା ପାଇଁ କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳମାନେ ସବୁ ପ୍ରୟାସ କରିଥିଲେ।
ଗୁରୁତ୍ବପୂର୍ଣ୍ଣ ବିଲ୍ଗୁଡ଼ିକ ଉପରେ ଚର୍ଚ୍ଚାରେ ସାମିଲ ନହେବା ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧି ବିରୋଧ ପ୍ରଦର୍ଶନର ନୀତି ଆପଣାଇଥିଲେ ଏବଂ ତାଙ୍କର ଇଙ୍ଗିତରେ ବିରୋଧୀ ଦଳମାନେ ହଟ୍ଟଗୋଳ ଜାରି ରଖିଥିଲେ। ଗୃହରେ ପ୍ଲାକାର୍ଡ ଧରି ସ୍ଲୋଗାନ ଦେବା ଏବଂ ସବୁକିଛି ଅଚଳ କରିଦେବା ପାଇଁ ପ୍ରୟାସ କରି ସାଂସଦମାନେ ନିଲମ୍ବିତ ହୋଇଥିଲେ ବୋଲି ସେ କହିଛନ୍ତି। ବିଧାନସଭା ନିର୍ବାଚନରେ ପରାଜୟକୁ ନେଇ ହତାଶରେ ଥିବା ବିରୋଧୀ ଦଳ ଏହାର ପ୍ରତିଶୋଧ ନେବାକୁ ସଂସଦ ଅଚଳକୁ ମୁଖ୍ୟ ଅସ୍ତ୍ର କରିଥିଲେ ବୋଲି ଯୋଶୀ କହିଛନ୍ତି।