ନୂଆଦିଲ୍ଲୀ : ପ୍ରବଳ ହଙ୍ଗାମା ମଧ୍ୟରେ ବିବାଦୀୟ କୃଷକ ବିଲ୍ ଆଜି ରାଜ୍ୟସଭାରେ ଗୃହୀତ ହୋଇଯାଇଛି। ବିଲ୍‌କୁ ବିରୋଧ କରି ବିରୋଧୀ ଦଳର ସଭ୍ୟମାନେ ଗୃହ ମଧ୍ୟଭାଗ‌ରେ ହଙ୍ଗାମା କରିବା ସହିତ ଉପାଧ୍ୟକ୍ଷଙ୍କ ମାଇକ୍ ଭାଙ୍ଗିଛନ୍ତି। ‌କେବଳ ଏତିକି ନୁହେଁ କେତେକ ସଭ୍ୟ ଉପାଧ୍ୟକ୍ଷଙ୍କ ଟେବୁଲରୁ କାଗଜପତ୍ର ମଧ୍ୟ ଭିଡ଼ି ଆଣି ଚିରି ପକାଇଛନ୍ତି। ଉପାଧ୍ୟକ୍ଷ ପାତରଅନ୍ତର କରୁଛନ୍ତି ବୋଲି ଅଭିଯୋଗ କରି ବିରୋଧୀ ଦଳର ସଭ୍ୟମାନେ ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି। ତେବେ ସଭ୍ୟମାନଙ୍କ ଏଭଳି ବିଶୃଙ୍ଖଳ ଆଚରଣରେ କ୍ଷୁବ୍ଧ ହୋହାଇଛନ୍ତି ଅଧ୍ୟକ୍ଷ ଭେଙ୍କିୟା ନାଇଡ଼ୁ। ଏହି ସଭ୍ୟମାନଙ୍କ ବିରୋଧ‌ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ସେ ଚିନ୍ତା କରୁଥିବା ଜଣାପଡ଼ିଛି।

Advertisment

ଏହି ବିଲ୍ କୃଷକବିରୋଧୀ ହୋଇଥିବାରୁ ଏହାକୁ ବିଚାର ପାଇଁ ସିଲେକ୍ଟ କମିଟିକୁ ପଠାଇବା ଲାଗି ବିରୋଧୀ ଦଳ ଦାବି କରିଥିଲେ। କିନ୍ତୁ ସରକାର ଏହା ସପକ୍ଷରେ ନଥିଲେ। ତେବେ ଏହି ବିଲ୍ ଉପରେ‌ ଆଲୋଚନା ଏବଂ ଅନୁ‌ମୋଦନ ପାଇଁ ଉପାଧ୍ୟକ୍ଷ ହରିବଂଶ ଗୃହ ‌ବୈଠକକୁ ଗୋଟାଏ ପରେ ବଢ଼ାଇବା ଲାଗି ମତାମତ ଲୋଡ଼ିବା କ୍ଷଣି ହଙ୍ଗାମା ଆରମ୍ଭ ହୋଇଥିଲା। କିନ୍ତୁ ବିରୋଧୀ ସଭ୍ୟମାନେ ଏହାକୁ ବିରୋଧ କରି କହିଥିଲେ ଯେ ପୂର୍ବନିର୍ଧାରିତ ସମୟରେ ହିଁ ଗୃହ ମୁଲତବୀ କରାଯାଉ। ହେଲେ ଉପାଧ୍ୟକ୍ଷ ଗୃହ କାର୍ଯ୍ୟ ଜାରି ରଖିବା ସହିତ ବିତର୍କ ଉପରେ ଉତ୍ତର ଦେବାଲାଗି କୃଷି ମନ୍ତ୍ରୀଙ୍କୁ କହିଥିଲେ। ବିନା ସହମତିରେ ଗୃହ କାର୍ଯ୍ୟ ଚଳାଇବା ଲାଗି ଉପାଧ୍ୟକ୍ଷଙ୍କ ‘ଏକତରଫା’ ନିଷ୍ପତ୍ତିର ପ୍ରତିବାଦ କରିବାକୁ ଆରମ୍ଭ କରିଥିଲେ ବିରୋଧୀ ଦଳ। କଂଗ୍ରେସ ନେତା ଗୁଲାମ ନବୀ ଆଜାଦ କହିଥିଲେ ଯେ ସହମତି ଅନୁଯାୟୀ ଗୃହକାର୍ଯ୍ୟ ସମୟ ସଂପ୍ରସାରିତ ହେଉ। ଗୃହକୁ ଆଜି ମୁଲତବୀ କରାଯାଉ ଏବଂ ବିଲକୁ କାଲି ପାସ୍ କରାଯାଉ ବୋଲି ସେ ଦାବି କରିଥିଲେ।

ଏହି ଦାବିକୁ ଉପାଧ୍ୟକ୍ଷ ଗ୍ରହଣ ନକରିବାରୁ କେତେକ ବିରୋଧୀ ସଭ୍ୟ ଗୃହ ମଧ୍ୟଭାଗକୁ ଆସି ହଙ୍ଗାମା କରିଥିଲେ। ସେମାନେ ଉପାଧ୍ୟକ୍ଷଙ୍କ ଟେବୁଲରୁ କାଗଜ ଟାଣି ଆଣି ଚିରି ପକାଇଥିଲେ। ମାଇକ୍ ମଧ୍ୟ ଭାଙ୍ଗି ପକାଇଥିଲେ। ଫଳରେ ଗୃହ କାର୍ଯ୍ୟ ଠିକ୍ ଭାବେ ଚାଲି ପାରିନଥିଲା ଏବଂ ୧୫ ମିନିଟ୍ ପାଇଁ ମୁଲତବୀ ହୋଇଥିଲା। ବୈଠକ ଆରମ୍ଭ ହେବା ମାତ୍ରେ ବିରୋଧୀ ସଭ୍ୟ ପୁଣି ମଧ୍ୟଭାଗକୁ ଆସି ସ୍ଲୋଗାନ ଦେଇଥିଲେ। ଏଭଳି ପରିସ୍ଥିତି ମଧ୍ୟରେ ବିବାଦୀୟ ବିଲ୍ ବାଚନିକ ଭୋଟରେ ଅନୁ‌ମୋଦନ ଲାଭ କରିଥିଲା।

ବିରୋଧୀ ଦଳ ଅଭିଯୋଗ କରିଥିଲେ ଯେ ସରକାରଙ୍କ ପାଖରେ ଆବଶ୍ୟକ ସଂଖ୍ୟା ନଥିବାରୁ ଅଗଣତାନ୍ତ୍ରିକ ଢଙ୍ଗରେ ବିଲ୍ ପାସ କରାଇଛନ୍ତି। ଅନ୍ୟପକ୍ଷରେ ସରକ‌ାରୀ ଦଳ କହିଛନ୍ତି ଯେ ବିରୋଧୀଙ୍କ ପାଖରେ ଆବଶ୍ୟକ ସଂଖ୍ୟା ନାହିଁ ଏବଂ ଏଇଥିପାଇଁ ଏଭଳି ହଙ୍ଗାମା କରିଛନ୍ତି।

ସୂଚନାଯୋଗ୍ୟ ଯେ ଆଜି ଯେଉଁ ଦୁଇଟି ବିଲ୍ ପାସ୍ ହୋଇଛି ସେଥିମଧ୍ୟରୁ ଗୋଟିଏ ହେଉଛି ଚାଷୀ ଉତ୍ପାଦର ବାଣିଜ୍ୟ କାରବାର(ପ୍ରୋତ୍ସାହନ ଓ ସୁଗମୀକରଣ) ବିଲ୍‌-୨୦୨୦ ଏବଂ ଅନ୍ୟଟି ଉତ୍ପାଦ ଦର ସ୍ବୀକୃତି ଉପରେ କୃଷକ(ସଶକ୍ତୀକରଣ ଓ ସୁରକ୍ଷା)ର ରାଜିନାମା ଓ କୃଷି ସେବା ବିଲ୍‌-୨୦୨୦। ଗତ ଜୁନ୍‌ ୫ ତାରିଖରେ ଜାରି ହୋଇଥିବା ଅଧ୍ୟାଦେଶକୁ ବଦଳାଇବା ପାଇଁ ଉଦ୍ଦିଷ୍ଟ ଏହି ଦୁଇଟି ଯାକ ବିଲ୍‌ ଗତ ଗୁରୁବାର ଦିନ ଲୋକସଭାରେ ପାରିତ ହୋଇ ସାରିଛି।