‘ସଂସଦ ଅଭିଯାନ’ ସ୍ଥଗିତ ଘୋଷଣା କଲା ଏସ୍‌କେଏମ୍‌: ୪ ଡିସେମ୍ବରରେ ପରବର୍ତ୍ତୀ ନିଷ୍ପତ୍ତି

ନୂଆଦିଲ୍ଲୀ: ତିନି କୃଷି ଆଇନ ଉଚ୍ଛେଦ ଓ ଏମ୍‌ଏସ୍‌ପି ଗ୍ୟାରେଣ୍ଟି ଆଇନ ଦାବିରେ ଆଗାମୀ ୨୯ ତାରିଖରେ ସଂସଦ ଅଭିଯାନ ତଥା ଟ୍ରାକ୍ଟର ରୢାଲି ପାଇଁ ଚାଷୀ ସଂଗଠନମାନଙ୍କ ପକ୍ଷରୁ ଯେଉଁ ଡାକରା ଦିଆଯାଇଥିଲା ତାହାକୁ ସ୍ଥଗିତ ରଖାଯାଇଛି । ଚାଷୀ ନେତା ଦର୍ଶନପାଲ ସିଂହ ସଂଯୁକ୍ତ କିଷାନ ମୋର୍ଚା (ଏସ୍‌କେଏମ୍‌)ପକ୍ଷରୁ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଏ ବାବଦରେ ଆମେ ୪ ଡିସେମ୍ବରରେ ପରବର୍ତ୍ତୀ ନିଷ୍ପତ୍ତି ନେବୁ। ସରକାର ୨୯ ନଭେମ୍ବରରେ ବିବାଦୀୟ କୃଷି ଆଇନକୁ ରଦ୍ଦ କରିବା ପାଇଁ ଆମକୁ ପ୍ରତିଶ୍ରୁତି ଦେଇଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି ବୋଲି ଦର୍ଶନପାଲ କହିଛନ୍ତି। ଏହା ସହିତ ଚାଷୀ ଆନ୍ଦୋଳନ ସମୟରେ ପ୍ରାଣ ହରାଇଥିବା ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ, ଏମ୍‌ଏସ୍‌ପି ଗ୍ୟାରେଣ୍ଟି ଆଇନ, ଚାଷୀମାନଙ୍କ ବିରୋଧରେ ରୁଜୁ ହୋଇଥିବା ସମସ୍ତ ମାମଲା ପ୍ରତ୍ୟାହାର ଏବଂ ନଡ଼ାପାଳ ଜାଳିବା ସଂକ୍ରାନ୍ତ କଟକଣା ଆଦି ହଟାଇବା ଉପରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି ବୋଲି ସେ କହିଛନ୍ତି। ସରକାର ଏ ଦିଗରେ ତତ୍ପରତାର ସହ ପଦକ୍ଷେପ ନେବାକୁ ଦାବି ହୋଇଛି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ସୋମବାରଠାରୁ ଆରମ୍ଭ ହେବାକୁ ଯାଉଥିବା ଶୀତ ଅଧିବେଶନର ପ୍ରଥମ ଦିବସରେ ସରକାର କୃଷି ଆଇନ ପ୍ରତ୍ୟାହାର ପାଇଁ ବିଲ୍‌ ଆଗତ କରିବେ। ଏଥିପାଇଁ ବିଜେପି ‌ଏହାର ଲୋକସଭା ସଦସ୍ୟମାନଙ୍କୁ ସେହିଦିନ ସଂସଦରେ ଉପସ୍ଥିତ ରହିବା ପାଇଁ ହ୍ବିପ୍ ଜାରି କରିଛି। ପୂର୍ବରୁ ଦଳପକ୍ଷରୁ ରାଜ୍ୟସଭା ସାଂସଦମାନଙ୍କ ପାଇଁ ହ୍ବିପ୍ ଜାରି କରାଯାଇ ସାରିଛି।

ସମ୍ବନ୍ଧିତ ଖବର