ଦେଶରେ ସାଇବର ଅପରାଧ ବୃଦ୍ଧି ନେଇ ସଂସଦୀୟ କମିଟିର ଉଦ୍‌ବେଗ

ନୂଆଦିଲ୍ଲୀ : ଡାର୍କ ୱେବ୍, ଭଏସ୍ ଓଭର ଇଣ୍ଟର୍‌ନେଟ୍ ପ୍ରୋଟୋକଲ ସହିତ ଜଟିଳ ସାଇବର ଅପରାଧର ଶୈଳୀ ଯୋଗୁଁ ସୁରକ୍ଷା ଏଜେନ୍ସିଗୁଡ଼ିକର ଚିନ୍ତା ବଢ଼ିବାରେ ଲାଗିଛି। ସାଇବର ଠକେଇ ମାମଲାର ତଦନ୍ତ କରିବା ସୁରକ୍ଷା ଓ ଯାଂଚ ଏଜେନ୍ସିଗୁଡ଼ିକ ପାଇଁ ଆହ୍ବାନପୂର୍ଣ୍ଣ ହୋଇଛି। ନିକଟରେ ସ୍ବରାଷ୍ଟ୍ର ବ୍ୟାପାର ସଂସଦୀୟ କମିଟି ପୁଲିସକୁ ପର୍ଯ୍ୟାପ୍ତ ପ୍ରଶିକ୍ଷଣ ଓ ସୁବିଧାସୁଯୋଗ ଯୋଗାଇଦେବା ଉପରେ ଗୁରୁତ୍ବାରୋପ କରିଛି। ପୁଲିସ ଓ ଏଜେନ୍ସିଗୁଡିକୁ ନୂଆ ଟେକ୍‌ନିକ୍‌ ଆପଣାଇବା ସହିତ କାଉଣ୍ଟର ରଣନୀତି ପ୍ରସ୍ତୁତ କରିବାକୁ ପଡ଼ିବ ବୋଲି କମିଟି ପକ୍ଷରୁ କୁହାଯାଇଛି।

ସୂଚନା ଅନୁସାରେ, ୨୦୨୦ରେ ଦେଶରେ ସାଇବର ଅପରାଧର ୫୦,୦୩୫ ମାମଲା ପଂଜୀକୃତ ହୋଇଥିବା ବେଳେ ୨୦୧୯ରେ ତାହା ୪୪,୭୩୫ ଥିଲା। ରାଜ୍ୟଗୁଡ଼ିକର ପୁଲିସ ଏକାଡେମି ସହିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଜାତୀୟ ପୁଲିସ ଏକାଡେମି ଏବଂ ପୂର୍ବୋତ୍ତର ପୁଲିସ ଏକାଡେମିର ‌ସମନ୍ବୟ ରକ୍ଷାକରି ରାଜ୍ୟର ପୁଲିସ ଅଧିକାରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ ଲାଗି କମିଟି ସୁପାରିସ କରିଛି। ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳଗୁଡ଼ିକର ପୁଲିସ ଗୋଟିଏ ଲେଖାଁ ସାଇବର କ୍ରାଇମ୍ ହେଲ୍ପଡେସ୍କ ସ୍ଥାପନ କରିବା ଉଚିତ, ଯାହାଦ୍ବାରା ସାଇବର ଅପରାଧଗୁଡିକର ତ୍ବରିତ ଅନୁସନ୍ଧାନ ହୋଇପାରିବ। ରାଜ୍ୟମାନଙ୍କରେ ସାଇବର ଟ୍ରେନିଂ ପ୍ରୟୋଗଶାଳା ପ୍ରତିଷ୍ଠା ପାଇଁ କେନ୍ଦ୍ର ପାଣ୍ଠି ଯୋଗାଇଦେବା ଦରକାର। ସାଇବର ଟ୍ରେନିଂ କେନ୍ଦ୍ରଗୁଡିକର ସୁଦୃଢୀକରଣ ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି। ରାଜ୍ୟମାନଙ୍କର ସାଇବର ସେଲ୍‌ଗୁଡିକର ଅପ୍‌ଗ୍ରେଡେସନ କରିବାକୁ କମିଟି କହିଛି। ବର୍ତ୍ତମାନ ସୁଦ୍ଧା ଆମ ରାଜ୍ୟରେ ୪ଟି ସାଇବର ଥାନା ରହିଛି ଏବଂ ଏହାର ସଂଖ୍ୟା ଓ ଦକ୍ଷତା ବୃଦ୍ଧି କରାଯିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର