ସଂସଦୀୟ କମିଟି ଅନ୍‌ଲାଇନ୍‌ ବୈଠକ କରିପାରିବେ ନାହିଁ, ଅନୁରୋଧ ପ୍ରତ୍ୟାଖ୍ୟାନ କଲେ ବାଚସ୍ପତି, ଉପରାଷ୍ଟ୍ରପତି

ନୂଆଦିଲ୍ଲୀ : ଲୋକସଭା ବାଚସ୍ପତି ଏବଂ ଉପରାଷ୍ଟ୍ରପତି ଆଜି ସଂସଦୀୟ କମିଟିଗୁଡ଼ିକୁ ଅନ୍‌ଲାଇନ ବୈଠକ ଆୟୋଜନ ପାଇଁ ଅନୁମତି ଦେବାକୁ ମନା କରିଦେଇଛନ୍ତି। ବିରୋଧୀ ଦଳଗୁଡ଼ିକ ସମେତ ଏନ୍‌ଡିଏର କେତେକ ଦଳ ମଧ୍ୟ ବାଚସ୍ପତି ଏବଂ ଉପରାଷ୍ଟ୍ରପତିଙ୍କୁ ଭର୍ଚୁଆଲ ବୈଠକ ପାଇଁ ଅନୁମତି ଦେବାକୁ ଅନୁରୋଧ କରିଥିଲେ। କ୍ୟାବିନେଟ୍‌ ଏବଂ ନ୍ୟାୟପାଳିକା ଯେତେବେଳେ ଭର୍ଚୁଆଲ ବୈଠକ କରିପାରୁଛନ୍ତି, ସେତେବେଳେ ସଂସଦୀୟ କମିଟି ଏଭଳି କାହିକି କରିପାରିବ ନାହିଁ ବୋଲି ବିରୋଧୀ ଦଳମାନେ ପ୍ରଶ୍ନ କରିଛନ୍ତି।

ବୈଷୟକ ସମସ୍ୟା ଏବଂ ଗୋପନୀୟ ପ୍ରାବଧାନ ଦର୍ଶାଇ ଏଭଳି ଅନୁମତି ଦେବାକୁ ମନା କରାଯାଇଛି। ରାଜ୍ୟସଭା ସଚିବାଳୟ ପକ୍ଷରୁ ଏକ ବୟାନରେ କୁହାଯାଇଛି ଯେ ଯେତେବେଳେ ସ୍ଥିତି ସ୍ବାଭାବିକ ହେବ, ସେତେବେଳେ ସଦସ୍ୟମାନେ ଏଭଳି ବୈଠକରେ ଭାଗ ନେଇପାରିବେ। ଏଥିପାଇ ଏବେ ନିୟମ ପରିବର୍ତ୍ତନ ହୋଇପାରିବ ନାହିଁ ବୋଲି କୁହାଯାଇଛି । କଂଗ୍ରେସ ସାଂସଦ ଜୟରାମ ରମେଶ କହିଛନ୍ତି ଯେ ବର୍ଷେ ହେଲା ଏ ବାବଦରେ ବାରମ୍ବାର ଅନୁରୋଧ ସତ୍ତ୍ବେ କମିଟିଗୁଡ଼ିକର ଭର୍ଚୁଆଲ ବୈଠକ ପାଇଁ ଅନୁମତି ମିଳୁନାହିଁ।

ସମ୍ବନ୍ଧିତ ଖବର