ନୂଆଦିଲ୍ଲୀ : ଅର୍ଥ ସମ୍ପର୍କିତ ସଂସଦୀୟ ସ୍ଥାୟୀ କମିଟି ଦ୍ବାରା ଆଦାନି ଗୋଷ୍ଠୀ ଷ୍ଟକ୍ କାରସାଦି ଅଭିଯୋଗର ତଦନ୍ତ ପାଇଁ କଂଗ୍ରେସ ଦାବିକୁ ବିଜେଡି ସମର୍ଥନ କରିଛି। ବିଜେପି ସାଂସଦ ଜୟନ୍ତ ସିହ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିର ବୈଠକ ଗତକାଲି ବସିଥିଲା। ବୈଠକରେ କଂଗ୍ରେସ ସାଂସଦ ମନିଷ ତିୱାରୀ ଏହି ମାମଲାର ତଦନ୍ତ ଅର୍ଥ ସଂପର୍କିତ ଷ୍ଟାଣ୍ଡିଂ କମିଟି କରୁ ବୋଲି ଦାବି କରିଥିଲେ। କଂଗ୍ରେସର ଏହି ଦାବିକୁ ତୃଣମୂଳ କଂଗ୍ରେସ, ବିଜେଡି ଓ ୱାଇଏସ୍ଆର୍ସିପି ସମର୍ଥନ କରିଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି।
ସୂଚନା ଅନୁସାରେ ବୈଠକରେ ବିଜେଡି ଲୋକସଭା ସାଂସଦ ପିନାକୀ ମିଶ୍ର ଓ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ଯୋଗଦେଇଥିଲେ। ସେବି, ଆର୍ବିଆଇ ଓ କେନ୍ଦ୍ର କର୍ପୋରେଟ୍ ମନ୍ତ୍ରାଳୟର ଅଧିକାରୀମାନଙ୍କୁ ଏହି ମାମଲାରେ କମିଟି ନିକଟରେ ହାଜର ପାଇଁ ନିର୍ଦ୍ଦେଶ ଦିଆଯାଉ ବୋଲି ଅଣବିଜେପି ସାଂସଦମାନେ ଦାବି କରିଥିଲେ। ଏହି ମାମଲାରେ ବିଜେପି ସଦସ୍ୟମାନଙ୍କ ଯୁକ୍ତି ଥିଲା, ଯେତେବେଳେ ଏହି ମାମଲାର ତଦନ୍ତ ସୁପ୍ରିମକୋର୍ଟଙ୍କ ଦ୍ବାରା ନିଯୁକ୍ତ କମିଟି କରୁଛି ସେହି ସମୟରେ ଆଉ ଏକ ସମାନ୍ତରାଳ ତଦନ୍ତର ଆବଶ୍ୟକତା ନାହିଁ।
ତେବେ ବିରୋଧୀ ଦଳମାନେ ବିଜେପି ସଦସ୍ୟମାନଙ୍କ ଯୁକ୍ତିକୁ ବିରୋଧ କରିଥିଲେ। ସେମାନଙ୍କ ଯୁକ୍ତିକୁ ସମର୍ଥନ କରି ଅନେକ ଉଦାହରଣ ମଧ୍ୟ ଉପସ୍ଥାପନ କରାଯାଇଥିଲା। କମିଟି ଅଧ୍ୟକ୍ଷ ଏହି ମାମଲାରେ ଆବଶ୍ୟକ ଦସ୍ତାବିଜ ସହ ଲିଖିତ ଅନୁରୋଧ କରିବା ପାଇଁ କହିଥିଲେ। ଏ ସମ୍ପର୍କରେ ବିଜେଡି ଲୋକସଭା ସାଂସଦ ଶ୍ରୀ ମିଶ୍ରଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାଙ୍କର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଉଲ୍ଲେଖଯୋଗ୍ୟ ଯେ ଆଦାନି-ହିଣ୍ଡେନବର୍ଗ ପ୍ରସଙ୍ଗରେ ବର୍ତ୍ତମାନ ସୁଦ୍ଧା ବିଜେଡି ବିରୋଧୀଙ୍କ ଦାବି, ଆନ୍ଦୋଳନରେ ସାମିଲ ହୋଇନାହିଁ। ଏହି ପ୍ରସଙ୍ଗରେ ବିଜେଡି କୌଣସି ପ୍ରତିକ୍ରିୟା ପ୍ରକାଶ କରିନଥିବା ବେଳେ ଷ୍ଟାଣ୍ଡିଂ କମିଟିରେ କଂଗ୍ରେସ ଦାବିକୁ ସମର୍ଥନ ଜଣାଇବା ରାଜନୈତିକ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।