ନୂଆଦିଲ୍ଲୀ: ସଂସଦ ଅଚଳ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବିରୋଧୀଙ୍କ ଉପରେ ପୁଣିଥରେ ବର୍ଷିଛନ୍ତି। ତେବେ ନିଜ ଦଳର ସାଂସଦମାନେ ଅଧିକ ସଂଖ୍ୟାରେ ଉପସ୍ଥିତ ରହି ଗୃହକାର୍ଯ୍ୟ ଚଳାଇବା ପାଇଁ ମୋଦୀ ପରାମର୍ଶ ଦେଇଛନ୍ତି। ବିଜେପି ସଂସଦୀୟ ଦଳ ବୈଠକରେ ଉଦ୍‌ବୋଧନ ଦେଇ ବିରୋଧୀ ଦଳର କିଛି ନେତା ବିଲ୍‌ ଗୃହୀତ ପ୍ରସଙ୍ଗରେ ଯେଉଁଭଳି ଭାଷା ବ୍ୟବହାର କରିଛନ୍ତି ପ୍ରଧାନମନ୍ତ୍ରୀ ତାହାର କଡ଼ା ନିନ୍ଦା କରିଛନ୍ତି। ଏହା କେବଳ ସଂସଦକୁ ନୁହେଁ ଦେଶର ଗଣତନ୍ତ୍ର ଏବଂ ଜନସାଧାରଣଙ୍କ ପ୍ରତି ମଧ୍ୟ ଅପମାନ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Advertisment

ଲୋକଙ୍କ ପାଇଁ ତାଙ୍କ ଦଳ ଅଙ୍ଗୀକାରବଦ୍ଧ। ଏଥିପାଇଁ ସଂସଦୀୟ କାର୍ଯ୍ୟ ସଂପାଦନ ‌ବେ‌ଳେ ଗୃହରେ ଅଧିକ ସଂଖ୍ୟକ ଦଳୀୟ ସାଂସଦ ଉପସ୍ଥିତ ରହିବା ପାଇଁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଗତମାସ ୧୯ ତାରିଖରେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। କିନ୍ତୁ ପ୍ରଥମ ଦୁଇ ସପ୍ତାହର ସମ୍ଭାବ୍ୟ ୧୦୭ ଘଣ୍ଟା ମଧ୍ୟରୁ ମାତ୍ର ୧୮ ଘଣ୍ଟା ସଂସଦ ଚାଲିଛି। ଏଥିପାଇଁ ଟିକସଦାତାଙ୍କର ୧୩୩ କୋଟି ଟଙ୍କା ନଷ୍ଟ ହୋଇଛି ବୋଲି ଆକଳନ କରାଯାଇଛି। ତେ‌ଣୁ ସଂସଦର ଅଚଳାବସ୍ଥା ପାଇଁ ପ୍ରଧାନମନ୍ତ୍ରୀ ଆଜି ଚିନ୍ତାବ୍ୟକ୍ତ କରିଛନ୍ତି। ବିଜେପି ବୈଠକରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉଦ୍‌ବୋଧନ ଦେଇଥିଲେ। ଅର୍ଥନୀତି ଟ୍ରାକକୁ ଫେରୁଛି ଏବଂ ରେକର୍ଡ ପରିମାଣର ଜିଏସଟି ସଂଗ୍ରହ ହୋଇଛି। ଦଳୀୟ ସାଂସଦଙ୍କ ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଭି ମୁରଲୀଧରନ ସାମ୍ବାଦିକମାନଙ୍କୁ ସୂଚନା ଦେଇଥିଲେ। ସେ କହିଥିଲେ ଜୁଲାଇ ମାସ ଦେଶ ପାଇଁ ଆଣିଥିବା ଖୁସି ଖବର ସଂପର୍କରେ ପ୍ରଧାନମନ୍ତ୍ରୀ ତାଙ୍କ ଭାଷଣରେ ଉଲ୍ଲେଖ କରିଥିଲେ। ଜୁଲାଇରେ ଦେଶରେ ୧.୧୬ ଲକ୍ଷ କୋଟି ଟଙ୍କାର ଜିଏସଟି ଆଦାୟ ହୋଇଛି। ଏଥିସହିତ ଟୋକିଓ ଅଲିମ୍ପିକ୍ସରୁ ମଧ୍ୟ ଭଲ ଖବର ମିଳିଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏଥିସହିତ ଗତକାଲି ଆରମ୍ଭ ହୋଇଥିବା ନୂଆ ଡିଜିଟାଲ ପେମେଣ୍ଟ୍ ବ୍ୟବସ୍ଥା ଇ-ରୁପି ସଂପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଥିଲେ। ଚଳିତ ମୌସୁମୀ ଅଧିବେଶନ ବେଳେ ବିଜେପି ଆଜି ତୃତୀୟ ଥର ପାଇଁ ସଂସଦୀୟ ‌ଦଳ ବୈଠକ କରିଛି।