ନୌସେନାର ଶକ୍ତି ବୃଦ୍ଧି ପାଇଁ ବିଶାଳ ଯୋଜନା: ୬ଟି ପରମାଣୁ ବୁଡ଼ାଜାହାଜ ସାମିଲ ହେବ

ନୂଆଦିଲ୍ଲୀ: ଭାରତୀୟ ନୌସେନା ନିଜର ଶକ୍ତି ବୃଦ୍ଧି କରିବା ପାଇଁ ବିଶାଳ ଯୋଜନା ହାତକୁ ନେଇଛି। ୧୮ଟି ପାରମ୍ପରିକ ଏବଂ ୬ଟି ପରମାଣୁ ଆକ୍ରମଣ କ୍ଷମତା ସଂପନ୍ନ ବୁଡ଼ା ଜାହାଜ ନିର୍ମାଣ କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ଭାରତ ପାଖରେ ଏବେ ୨ଟି ପରମାଣୁ ବୁଡ଼ାଜାହାଜ ଆଇଏନ୍‌ଏସ୍‌ ଚକ୍ର ଏବଂ ଆଇଏନ୍‌ଏସ୍‌ ଅରିହନ୍ତ ରହିଛି। ଚୀନ୍‌ ଭାରତଠାରୁ ଏ କ୍ଷେତ୍ରରେ ଯଥେଷ୍ଟ ଆଗରେ ଥିବାରୁ ଭାରତ ଚୀନ୍‌କୁ ଟକ୍କର ଦେବା ଲକ୍ଷ୍ୟରେ ଏହି ବଡ଼ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛି ।

ଭାରତୀୟ ନୌସେନା ଯେଉଁ ୬ଟି ପରମାଣୁ ଆକ୍ରମଣକାରୀ ବୁଡ଼ା ଜାହାଜ ନିର୍ମାଣ କରିବା ପାଇଁ ଯୋଜନା କରିଛି ସେଥିରେ ସର୍ବାଧୁନିକ ଜ୍ଞାନକୌଶଳର ଭରପୂର ଉପଯୋଗ ହେବ। ଭାରତର ଅରିହନ୍ତ ଶ୍ରେଣୀ ବୁଡ଼ାଜାହାଜରେ ପରମାଣୁ କ୍ଷେପଣାସ୍ତ୍ର ସଂଯୋଗ କରାଯାଇଛି। ଏବେ ଯେଉଁ ପରମାଣୁ ବୁଡ଼ା ଜାହାଜଗୁଡ଼ିକ ନିର୍ମାଣ ହେବ ତାହା ଭାରତରେ ହିଁ କରାଯିବାକୁ ଯୋଜନା ହୋଇଛି । ସରକାରୀ ଏବଂ ଘରୋଇ ଉଦ୍ୟୋଗର ମିଳିତ ଭାଗିଦାରିତାରେ ଏହି ଯୋଜନା କାର୍ଯ୍ୟକାରୀ ହେବ। ବିଗତ ୧୫ ବର୍ଷ ମଧ୍ୟରେ ଚୀନ୍‌ ଅନେକ ଶକ୍ତିଶାଳୀ ବୁଡ଼ାଜାହାଜକୁ ସାମିଲ କରିଥିବା ବେଳେ ଭାରତ କେବଳ ୨ଟି ବୁଡ଼ା ଜାହାଜ ସାମିଲ କରିଛି। ଏହି ଦୁଇଟି ହେଲା ଆଇଏନ୍‌ଏସ୍‌ କଳବରୀ ଏବଂ ଆଇଏନ୍‌ଏସ୍‌ ଖଣ୍ଡେରୀ। ଏବେ ନୌସେନା ବ୍ୟବହାର କରୁଥିବା ବୁଡ଼ା ଜାହାଜ ମଧ୍ୟରୁ ୧୩ଟି ହେଉଛି ୧୭ରୁ ୩୧ ବର୍ଷ ପୁରୁଣା। ଦେଶରେ ବୁଡ଼ାଜାହାଜ ନିର୍ମାଣ କରିବା ଯୋଜନା ୧୯୯୯ରେ ପ୍ରସ୍ତୁତ କରାଯାଇଥିଲା। ସେତେବେଳେ ୩୦ ବର୍ଷ ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା ଏବଂ ଏଥିରେ ୨୦୨୯ ସୁଦ୍ଧା ୨୪ଟି ବୁଡ଼ା ଜାହାଜ ନିର୍ମାଣ ନିମନ୍ତେ ଯୋଜନା ହୋଇଥିଲା। ଏହାର ପ୍ରକଳ୍ପ ପି-୭୫ରେ ସ୍କର୍ପିନ୍‌ ଶ୍ରେଣୀର ବୁଡ଼ାଜାହାଜ ନିର୍ମାଣ କରାଯାଉଛି । ପ୍ରାୟ ୨୩ ହଜାର କୋଟି ଟଙ୍କାର ଏହି ପ୍ରକଳ୍ପରେ ୪ ବର୍ଷ ବିଳମ୍ବ ହୋଇସାରିଲାଣି।

ସମ୍ବନ୍ଧିତ ଖବର