ଡାକ୍ତରଙ୍କୁ ଆହତ କଲା ଶୁଆ; ଶୁଆ ମାଲିକଙ୍କୁ ହେଲା ୨ ମାସ ଜେଲ୍‌ ଓ ୭୪ ଲକ୍ଷ ଟଙ୍କା ଜରିମାନା

ନୂଆଦିଲ୍ଲୀ: ତାଇୱାନ୍‌ରେ ଗୋଟାଏ ପୋଷା ଶୁଆ ଜଣେ ଡାକ୍ତରଙ୍କୁ ଆହତ କରିବାରୁ ତା’ର ମାଲିକଙ୍କୁ ୨ ମାସ ଜେଲ୍‌ ଦଣ୍ଡ ଓ ୭୪ ଲକ୍ଷ ଟଙ୍କାର ଜରିମାନା କରାଯାଇଥିବା କଥା ‘ବିବିସି’ ରିପୋର୍ଟ କରିଛି।

ତାଇୱାନ୍‌ର ‘ସେଣ୍ଟ୍ରାଲ୍‌ ନିଉଜ୍‌ ଏଜେନ୍‌ସି’ ରିପୋର୍ଟ ଅନୁସାରେ, ଡେଣା ଫଡ଼ଫଡ଼ କରି ଉକ୍ତ ‘ମାକଅ’ଟି (ରଙ୍ଗିନ ଶୁଆ) କାନ୍ଧ ଉପରେ ବସି ପଡ଼ିବାରୁ ଡାକ୍ତରଜଣକ ଚମକି ପଡ଼ି ତଳେ ପଡ଼ି ଯିବାରୁ ତାଙ୍କର କଟୀହାଡ଼ ଭାଙ୍ଗିବା ସହିତ ହାଡ଼ ଖଞ୍ଜାରୁ ଖସି ଯାଇଛି।

ପ୍ରାପ୍ତ ସୂଚନା ଅନୁସାରେ ଡାକ୍ତର ଲିନ୍‌ ଦୌଡୁଥିବା ଜାଗା ନିକଟକୁ ପକ୍ଷୀ ମାଲିକ ହୁଆଙ୍ଗ୍‌ ଅନ୍ୟ ଗୋଟାଏ ପକ୍ଷୀ ସହିତ ଉକ୍ତ ‘ମାକଅ’ଟିକୁ ଆଣିଥିଲେ। ଏଥିପାଇଁ ଡାକ୍ତର ଲିନ୍‌ ହୁଆଙ୍ଗ୍‌ ବିରୋଧରେ ମାମଲା ରୁଜୁ କରିଥିଲେ। ଅଦାଲତରେ ସେ କହିଥିଲେ ଯେ, ଆଘାତ ଯୋଗୁଁ ତାଙ୍କୁ ଡାକ୍ତରଖାନାରେ ସପ୍ତାହେ ରହିବାକୁ ପଡ଼ିଲା। ୩ ମାସ ପାଇଁ ବିଶେଷ ତତ୍ତ୍ବାବଧାନରେ ରଖିବା ଏବଂ ସମ୍ପୂର୍ଣ୍ଣ ଆରୋଗ୍ୟ ହେବା ପାଇଁ ୬ ମାସ ଲାଗିବାରୁ ସେ କାମ ନ କରି ବସିଥିଲେ।

ସୂଚନାଯୋଗ୍ୟ, ଶୁଆ ଯୋଗୁଁ ଆହତ ହୋଇଥିବା ଡାକ୍ତରଜଣକ ହେଉଛନ୍ତି ଜଣେ ପ୍ଲାଷ୍ଟିକ୍‌ ସର୍ଜନ୍‌ ହୋଇଥିବାରୁ ଅସ୍ତ୍ରୋପଚାର ନିମନ୍ତେ ତାଙ୍କୁ ଦୀର୍ଘ ସମୟ ଠିଆ ହୋଇ କାମ କରିବାକୁ ପଡ଼େ। ତେଣୁ, କଟୀ ଭାଙ୍ଗିଯିବା ଯୋଗୁଁ ତାଙ୍କର ବିପୁଳ ଆର୍ଥିକ କ୍ଷତି ହେଲା ବୋଲି ତାଙ୍କ ଓକିଲ ଅଦାଲତଙ୍କୁ କହିଥିଲେ।

ହୁଆଙ୍ଗ୍‌ଙ୍କ ଦାୟିତ୍ବହୀନତା ଯୋଗୁଁ ଡାକ୍ତର ଲି’ ପଡ଼ିଗଲେ ବୋଲି ଅଦାଲତ କହିଥିବା କଥା ‘ବିବିସି’ ରିପୋର୍ଟ କରିଛନ୍ତି। ବିଚାରପତି କହିଲେ ଯେ, ମାକଅଟି ୪୦ ସେଣ୍ଟିମିଟର୍‌ ଲମ୍ବା ଓ ତା’ର ଡେଣା ଦୁଇଟି ୬୦ ସେଣ୍ଟିମିଟର୍‌ ଓସାର। ଏତେ ବଡ଼ ଜୀବଟିଏ ସାଙ୍ଗରେ ଆଣୁଥିବାରୁ ହୁଆଙ୍ଗ୍‌ଙ୍କୁ ସୁରକ୍ଷାତ୍ମକ ବ୍ୟବସ୍ଥା କରିବାର ଥିଲା।

ହୁଆଙ୍ଗ୍‌ ଅଦାଲତଙ୍କ ରାୟ ସ୍ବୀକାର କରିଥିଲେ ମଧ୍ୟ କହିଛନ୍ତି ଯେ, ମାକଅ ହିଂସ୍ର ପକ୍ଷୀ ନୁହେଁ। ତା’ଛଡ଼ା ଜରିମାନା ଅର୍ଥ ଖୁବ୍‌ ଅଧିକ ହୋଇଯାଉଛି।

ସମ୍ବନ୍ଧିତ ଖବର