କିପରି ହୁଏ ପାର୍ସି ଅନ୍ତିମ ସଂସ୍କାର ?

ମୁମ୍ବାଇ : ଶିଳ୍ପପତି ସାଇରସ୍ ମିସ୍ତ୍ରୀଙ୍କ ଅନ୍ତିମ ସଂସ୍କାର ମଙ୍ଗଳବାରଦିନ ମୁମ୍ବାଇଠାରେ ଅନୁଷ୍ଠିତ ହୋଇଯାଇଛି । ମୁମ୍ବାଇର ଓ୍ବର୍ଲିଠାରେ ଥିବା ପାର୍ସି ଉପାସନା ଗୃହରେ ଥିବା ବିଦ୍ୟୁତ୍ ଚୁଲାରେ ତାଙ୍କର ଦାହ ସଂସ୍କାର ହୋଇଛି ।

ତେବେ ପାର୍ସି ପରମ୍ପରା ଅନୁସାରେ ମୃତ ବ୍ୟକ୍ତିର ଦାହ ସଂସ୍କାର ହୁଏ ନାହିଁ । ଗତ କିଛି ବର୍ଷ ହେଲା ଏପରି ପଦ୍ଧତି ଗ୍ରହଣ କରାଯାଉଛି ।

ପାର୍ସୀ  ଜୋରାଷ୍ଟ୍ରୀୟ ପରମ୍ପରା ଅନୁସାରେ ମୃତ ବ୍ୟକ୍ତିଙ୍କ ଶରୀରକୁ କବର ଦିଆଯାଏ ନାହିଁ, ଦାହ ସଂସ୍କାର କିମ୍ବା ପାଣିରେ ଭସାଯାଏ ନାହିଁ । ଏହା ଦ୍ବାରା ଭୂମି ଓ ଜଳ ଅପବିତ୍ର ହେବ । ତାଙ୍କ ଧର୍ମରେ ଅଗ୍ନି, ଭୂମି ଓ ଜଳକୁ ପବିତ୍ର ମନେକରାଯାଏ । ଏହା ବଦଳରେ ପାର୍ସୀ ଧର୍ମରେ ଶବକୁ ନଷ୍ଟ କରିବାକୁ ଏକ ଭିନ୍ନ ପ୍ରକାରର ପଦ୍ଧତି ଗ୍ରହଣ କରାଯାଏ । ତାହା ହେଉଛି ସ୍କାଏ ବୁରିଆଲ, ଯାହାର ଓଡ଼ିଆ ଅନୁବାଦ ହେବ ଆକାଶ କବର ।

ଏହି ପଦ୍ଧତିରେ ଶବକୁ ଖାଇବାକୁ ଶାଗୁଣାମାନଙ୍କୁ ଆମନ୍ତ୍ରଣ କରାଯାଏ । ଶାଗୁଣାମାନେ ମାଂସ ଖାଇବା ପରେ କଙ୍କାଳକୁ ମାଟିରେ ମିଶାଇଦିଆଯାଏ । ଯେଉଁ ସ୍ଥାନରେ ମୃତଦେହକୁ ରଖାଯାଏ ତାହାକୁ କୁହାଯାଏ ଦଖମା ବା ଟାଓ୍ବାର ଅଫ ସାଇଲେନ୍ସ ।

ପାର୍ସୀ ସଂପ୍ରଦାୟ ଦ୍ବାରା ୧୯୩୧ରେ ମୁମ୍ବାଇଠାରେ ଏକ ଦଖମା ନିର୍ମାଣ କରାଯାଇଥିଲା । ସେଠାରେ ପୁରୁଷ, ମହିଳା ଓ ଶିଶୁମାନଙ୍କ ମୃତଦେହ ଝୁଲାଇବାକୁ ଅଲଗା ଅଲଗା ସ୍ଥାନ ରହିଥିଲା । କିନ୍ତୁ ଧୀରେ ଧୀରେ ଶାଗୁଣା ବଂଶ ଲୋକପାଇବା ଦ୍ବାରା ପ୍ରାୟ ୩୦୦୦ ବର୍ଷ ପୁରୁଣା ଏହି ପରମ୍ପରାକୁ ବଞ୍ଚାଇବା କଷ୍ଟକର ହୋଇପଡ଼ିଲା । ଏହି ପ୍ରସଙ୍ଗକୁ ନେଇ ପାର୍ସି ସଂପ୍ରଦାୟ ମଧ୍ୟରେ ଏକ ଲମ୍ବା ବିତର୍କ ପରେ ଶେଷରେ ବିଦ୍ୟୁତ ଚୁଲା ମାଧ୍ୟମରେ ଶବକୁ ଜଳାଇବାକୁ ନିଷ୍ପତ୍ତି ନିଆଗଲା । ଫଳରେ ୨୦୧୫ରେ ମୁମ୍ବାଇର ଓ୍ବର୍ଲିଠାରେ ଥିବା ପାର୍ସି ଉପାସନାଗୃହ ନିକଟରେ ଏକ ବିଦ୍ୟୁତ ଶବଦାହ ଚୁଲା ସ୍ଥାପନ କରାଗଲା ।

 

ସମ୍ବନ୍ଧିତ ଖବର