କୋଲକାତା: ୬୩୦୦ରୁ କୋଟି କୋଟି ଟଙ୍କାର ମାଲିକ; ଏଠି ଆମେ ଯାହାଙ୍କ କଥା କହୁଛି ସେ ହେଉଛନ୍ତି ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦ୍ବାରା ଗିରଫ ହୋଇଥିବା ପାର୍ଥ ଚାଟାର୍ଜୀ। ଏବେ ତାଙ୍କ ଘରୁ କୋଟି କୋଟି ଟଙ୍କାର ନଗଦ ଅର୍ଥ ଜବତ କରାଯାଇଥିବା ବେଳେ ଦିନେ ତାଙ୍କ ପାଖରେ ସର୍ବମୋଟ ୬୩୦୦ଟଙ୍କା ଥିଲା ବୋଲି ଜଣାପଡ଼ିଛି। ୧୦ବର୍ଷ ମଧ୍ୟରେ ପାର୍ଥଙ୍କ ସମ୍ପତ୍ତି ବଢ଼ିବା ସହ ସେ କୋଟିପତି ବନିଥିଲେ।
୨୦୧୧ରେ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ତାଙ୍କ ଦ୍ବାରା ଦାଖଲ ହୋଇଥିବା ଆଫିଡେଭିଟ୍ ଅନୁଯାୟୀ ପାର୍ଥ ଚାଟାର୍ଜୀଙ୍କ ପାଖରେ ମାତ୍ର ୬୩୦୦ ଟଙ୍କା ଥିଲା। ୨୦୨୧ସୁଦ୍ଧା ତାଙ୍କ ପାଖରେ ଥିବା ନଗଦ ରାଶି ୨୩ଗୁଣ ବୃଦ୍ଧି ପାଇଥିଲା ବୋଲି ଜଣାପଡ଼ିଛି। ୨୦୨୧ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ ପାର୍ଥ ଚାଟାର୍ଜୀଙ୍କ ଦ୍ବାରା ଦାଖଲ ହୋଇଥିବା ଆଫିଡେଭିଟ୍ ଅନୁଯାୟୀ ତାଙ୍କ ପାଖରେ ୧,୪୮,୬୭୬ ଟଙ୍କା ଥିଲା। ଏହାର ବର୍ଷକ ପରେ ଅର୍ଥାତ୍ ୨୦୨୨ରେ ତାଙ୍କ ପାଖରୁ କୋଟି କୋଟି ଟଙ୍କା ଜବତ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ନିଜ ରାଜନୈତିକ କ୍ୟାରିୟରରେ ସେ କିଭଳି ଅର୍ଥ ଆୟ କରିଥିବେ, ତାହା ତାଙ୍କ ପାଖରୁ ଜବତ ହୋଇଥିବା ଟଙ୍କାକୁ ଦେଖି ସ୍ପଷ୍ଟ ଜଣାପଡ଼ୁଛି।
ଉଲ୍ଲେଖଯୋଗ୍ୟ, ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗତ ଶନିବାର ଦିନ ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ଗିରଫ କରିଥିଲା। ଇଡିର ଏକ ୮ ଜଣିଆ ଟିମ୍ ଗତ ଶୁକ୍ରବାର ସକାଳ ପ୍ରାୟ ୭ଟା ୩୦ରେ ପାର୍ଥ ଚାଟାର୍ଜୀଙ୍କ ଦକ୍ଷିଣ କୋଲକାତା ସ୍ଥିତ ବାସଭବନରେ ପହଞ୍ଚି ଚଢ଼ଉ ଆରମ୍ଭ କରିଥିଲା। ଇଡି ଅଧିକାରୀମାନେ ଦୀର୍ଘ ୨୬ ଘଣ୍ଟାରୁ ଊର୍ଦ୍ଧ୍ବ ସମୟ ଧରି ପାର୍ଥଙ୍କୁ ମାରାଥନ ଜେରା କରିବାପରେ ଶନିବାର ତାଙ୍କୁ ଗିରଫ କରାଯାଇଥିଲା। ସେହି ଦିନ ତାଙ୍କର ଘନିଷ୍ଠ ସହଯୋଗୀ ଅର୍ପିତାଙ୍କୁ ମଧ୍ୟ ଗିରଫ କରିଥିଲା ଇଡି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/b249ea6d-342b-4da9-9ff7-91707d3dce1f.jpg)