କୋଲକାତା: ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହ ଇଡି ଜାଲରେ ଫସିଥିବା ତାଙ୍କ ଘନିଷ୍ଠ ସହଯୋଗୀ ଅଭିନେତ୍ରୀ ଅର୍ପିତା ମୁଖାର୍ଜୀ ସେମାନଙ୍କ ନାମରେ ଶାନ୍ତିନିକେତନରେ ୨୦ ଲକ୍ଷ ଟଙ୍କାର ଏକ ଫାର୍ମହାଉସ୍ କିଣିଥିବା ସୂଚନା ରହିଛି। ସେ ଦୁହେଁ ଉକ୍ତ ସମ୍ପତ୍ତିର ମିଳିତ ଭାବେ ମାଲିକ ଅଟନ୍ତି।
ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଚଳ କରିଥିବା ଅର୍ପିତାଙ୍କ ୩ଟି ବ୍ୟାଙ୍କ୍ ଆକାଉଣ୍ଟ୍ରେ ୨ କୋଟି ଟଙ୍କା ଥିବା ସୂଚନା ରହିଛି। ସେହି ବ୍ୟାଙ୍କ୍ ଆକାଉଣ୍ଟ୍ଗୁଡ଼ିକ ବିଭିନ୍ନ ସେଲ୍ସ କମ୍ପାନିର ବୋଲି ସୂଚନା ରହିଛି। ଅପିର୍ତାଙ୍କର ଆଉ କେଉଁଠି ଆକାଉଣ୍ଟ୍ ଅଛି କି ନାହିଁ ତାହାର ତଦନ୍ତ ଇଡି ଜାରି ରଖିଛି। କେବଳ ଅର୍ପିତା ନୁହେଁ, ପାର୍ଥ ଚାଟାର୍ଜୀଙ୍କ ବ୍ୟାଙ୍କ୍ ଆକାଉଣ୍ଟ୍ ବି ଯାଞ୍ଚ୍ ଚାଲିଛି। ଆପଣ ଜାଣିଥିବେ ନିଶ୍ଚୟ ଯେ ଆଜି ସକାଳୁ ଉଭୟ ଚାଟାର୍ଜୀ ଓ ମୁଖାର୍ଜୀଙ୍କୁ ଇଡି ଜେରା କରୁଛି।
ଇଡିର ଏକାଧିକ ଚଢ଼ାଉ ପରେ ଅର୍ପିତାଙ୍କ ୨ଟି ବାସଭବନରୁ ସମୁଦାୟ ୫୧ କୋଟି ଟଙ୍କା ଜବତ ହୋଇ ସାରିବା ପରେ ତାଙ୍କୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ହେପାଜତରେ ନିଆଯାଇଛି। ଏପଟେ ପାର୍ଥଙ୍କୁ ବି ତାଙ୍କ ମନ୍ତ୍ରୀପଦ ଓ ଦଳୀୟ ପଦବୀରୁ ବାଦ୍ ଦିଆଯାଇଛି।
‘ଏସ୍ଏସ୍ସି ସ୍କାମ୍’ (ଶିକ୍ଷକ ନିଯୁକ୍ତି ଦୁର୍ନୀତି) ମାମଲାରେ ସପ୍ତାହେ ତଳେ କୋଲ୍କାତା ବାସଭବନରୁ ପଶ୍ଚିମବଙ୍ଗର ପୂର୍ବତନ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ ଗିରଫ କରିଥିଲା। ତା ପୂର୍ବଦିନ ନଗଦ ୨୦ କୋଟି ଟଙ୍କା ଜବତ ହୋଇଥିବା ପାର୍ଥଙ୍କ ଘନିଷ୍ଠ ସହଯୋଗୀ ତଥା ଚଳଚ୍ଚିତ୍ର ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କୁ ମଧ୍ୟ ପ୍ରବର୍ତ୍ତନ ନିର୍ଦେଶାଳୟ ଅଧିକାରୀମାନେ ଧରି ନେଇ ଅଟକ ରଖିଥିଲେ। ତା’ପରେ ଛାନ୍ଭିନ୍ନ ଆରମ୍ଭ ହେବାରୁ ଏବେ ପର୍ଯ୍ୟନ୍ତ ଇଡି ଜାଲରେ ଦୁହେଁ ଛନ୍ଦି ହୋଇ ରହିଛନ୍ତି।