ଗିରଫ ହେବା ବେଳୁ ୪ ଥର ଫୋନ୍‌ କଲେଣି ପାର୍ଥ ଚାଟାର୍ଜୀ; ଫୋନ୍‌ ରିସିଭ୍‌ କରୁନାହାନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

କୋଲ୍‌କାତା: ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟଦ୍ବାରା ଗିରଫ ହୋଇଥିବା ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିକଟକୁ ୪ଥର ଫୋନ୍‌ କଲେଣି, କିନ୍ତୁ ସେ ଫୋନ୍‌ କଲ୍‌ ଗ୍ରହଣ କରୁନାହାନ୍ତି  ବୋଲି ଚାଟାର୍ଜୀ କହିଛନ୍ତି।

ନିୟମ ଅନୁସାରେ, ଗିରଫ କରାଯାଉଥିବା ବ୍ୟକ୍ତିଙ୍କୁ ତାଙ୍କ ପରିବାର ସଦସ୍ୟ ଅଥବା ଆତ୍ମୀୟ ଅଥବା ବନ୍ଧୁମାନଙ୍କ ମଧ୍ୟରୁ ଜଣକ ନିକଟକୁ ଫୋନ୍‌ କରି ଗିରଫଦାରୀ କଥା ଜଣାଇବାକୁ ସୁଯୋଗ ଦିଆଯାଏ।

ଗିରଫ ହେବା ବେଳେ ପାର୍ଥ ଚାଟାର୍ଜୀ ପ୍ରବର୍ତ୍ତନ ନିର୍ଦେଶାଳୟ ଅଧିକାରୀମାନଙ୍କୁ କହିଲେ ଯେ, ଗିରଫଦାରୀ ବିଷୟରେ ସେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଜଣାଇବାକୁ ଇଚ୍ଛୁକ। ଏହାପରେ ସେ ମମତା ବାନାର୍ଜୀଙ୍କ ନିକଟକୁ (୪ ଥର୦ ରାତି ୨.୩୧, ୨.୩୩, ୩.୩୭ ଏବଂ ସକାଳ ୭.୩୫ରେ ଫୋନ୍‌ କରିଥିଲେ, କିନ୍ତୁ, ତାଙ୍କ ଫୋନ୍‌ କଲ୍‌ର କୌଣସି ଉତ୍ତର ମିଳି ନ ଥିଲା।

ପ୍ରବର୍ତ୍ତନ ନିର୍ଦେଶାଳୟସୂତ୍ରରୁ ଜଣାପଡ଼ିଛି ଯେ, କାହାକୁ ହାଜତକୁ ନେବା ସମୟରେ ପ୍ରବର୍ତ୍ତନ ନିର୍ଦେଶାଳୟର ଗୁଇନ୍ଦାମାନେ ‘ଆରେଷ୍ଟ୍‌ ମେମୋ’ ଜାରି କରନ୍ତି। ହାଜତରେ ରହିବା ସମୟରେ ଗିରଫ ବ୍ୟକ୍ତି କାହା ନିକଟକୁ ଫୋନ୍‌ କରିବାକୁ ଚାହାଁନ୍ତି ତାଙ୍କର ଫୋନ୍‌ ନମ୍ବର କେତେ, ସେସବୁ ଉକ୍ତ ‘ଆରେଷ୍ଟ୍‌ ମେମୋ’ରେ ଲେଖାଯାଇଥାଏ। ଏହି ମାମଲାରେ ରାଜ୍ୟ ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ଥିବା ପାର୍ଥ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଫୋନ୍‌ ନମ୍ବର କହିବାରୁ ତାହାକୁ ‘ମେମୋ’ରେ ଅନ୍ତର୍ଭୁକ୍ତ କରାଯାଇଛି।

Image Courtesy of Times of India

ଶନିବାର ଅପରାହ୍ଣରେ ପ୍ରବର୍ତ୍ତନ ନିର୍ଦେଶାଳୟର ଗୁଇନ୍ଦାମାନେ ପାର୍ଥଙ୍କୁ ‘ମେଡିକାଲ୍‌ ଚେକ୍‌-ଅପ୍‌’ ନିମନ୍ତେ ନେଉଥିବା ବେଳେ ସେ କହିଥିଲେ, ଜାଣେନି, ସେମାନେ ମୋତେ କୁଆଡ଼େ ନେଇଯାଉଛନ୍ତି। ମୁଁ ଚେଷ୍ଟା କରିଥିଲି, କିନ୍ତୁ ଏପର୍ଯ୍ୟନ୍ତ ମୋର ‘ସୁପ୍ରିମ୍‌ ଲିଡର୍‌’ ମମତା ବାନାର୍ଜୀଙ୍କ ସହିତ ଯୋଗାଯୋଗ କରିବା‌କୁ ଅସମର୍ଥ ହୋଇଛି।

ମାତ୍ର, ପାର୍ଥଙ୍କ କଥାକୁ ‘ତୃଣମୂଳ କଂଗ୍ରେସ’ ନେତୃତ୍ବ ସହଜରେ ଗ୍ରହଣ କରୁନାହାନ୍ତି। ସାମ୍ବାଦିକ ସମ୍ମିଳନୀରେ ପରିବହନ ମନ୍ତ୍ରୀ ତଥା କୋଲ୍‌କାତା ମେୟର୍‌ ଫିର୍‌ହଦ୍‌ ହକିମ୍‌ ଚାଟାର୍ଜୀଙ୍କ କଥା ଉପରେ ସନ୍ଦେହ ପ୍ରକଟ କରି କହିଛନ୍ତି, ଗିରଫ କରାଯିବା ମାତ୍ରେ, ଏଜେନ୍‌ସିର ଗୁଇନ୍ଦାମାନେ ଫୋନ୍‌ ଜବତ କରନ୍ତି। ତେଣୁ, ପାର୍ଥ ଚାଟାର୍ଜୀ ମୁଖ୍ୟମନ୍ତ୍ରୀଙ୍କ ସହିତ ଯୋଗାଯୋଗ କରିବା ଲାଗି ଚେଷ୍ଟା କଲେ କିପରି?

ଦଳର ନେତୃତ୍ବ ମଧ୍ୟ ସ୍ପଷ୍ଟ କରି କହିଛି ଯେ, ତଦନ୍ତ ଶେଷରେ ଯଦି ପାର୍ଥ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି ଦଳ କୁଣ୍ଠାବୋଧ କରିବ ନାହିଁ।

ସମ୍ବନ୍ଧିତ ଖବର