ଆସିଲା ମେଡିକାଲ୍ ରିପୋର୍ଟ; ଠିକ୍ ଅଛନ୍ତି ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟର୍ଜୀ, ୧୪ ଦିନିଆ ରିମାଣ୍ଡ ଆବେଦନ କଲା ଇଡି

ଭୁବନେଶ୍ବର : ପଶ୍ଚମବଙ୍ଗର ମନ୍ତ୍ରୀ ପାର୍ଥ ଚାଟର୍ଜୀ କୋଲକାତାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଗିରଫ ହେବା ପରେ ହାଇକୋର୍ଟ ନିର୍ଦ୍ଦେଶ ମ‌ତେ ଭୁବନେଶ୍ବରସ୍ଥିତ  ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (ଏମ୍ସ)କୁ ସ୍ବାସ୍ଥ୍ୟ ପରୀକ୍ଷା ଲାଗି ଆଜି ସକାଳେ ଏୟାର ଆମ୍ବୁଲାନ୍ସରେ ଆସିଥିଲେ। ଏଠାରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା ପରେ ଏମ୍ସ ପକ୍ଷରୁ କୁହାଯାଇଛି କି ପଶ୍ଚିମବଙ୍ଗ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ରହିଛି କିନ୍ତୁ ଡାକ୍ତରଖାନାରେ ଭର୍ତ୍ତି ହେବା ଭଳି ଜରୁରୀ ଆବଶ୍ୟକତା ନାହିଁ । ତାଙ୍କର କିଛି ପୁରୁଣା ରୋଗ ଅଛି, କିନ୍ତୁ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯିବାର ଆବଶ୍ୟକତା ନାହିଁ। ଏମ୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡା. ଆଶୁତୋଷ ବିଶ୍ବାସ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

ଶ୍ରୀ ଚାଟର୍ଜୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା ରିପୋର୍ଟକୁ କାଲକାଟା ହାଇକୋର୍ଟଙ୍କ ନିକଟକୁ ପଠାଇ ଦିଆଯାଇଥିଲା। ଏହାପରେ ଭର୍ଚୁଆଲ୍ ମାଧ୍ୟମରେ ଉକ୍ତ ଉକ୍ତ ମାମଲାର ଶୁଣାଣି ହୋଇଥିଲା। ଇଡି ପକ୍ଷରୁ ୧୪ ଦିନିଆ ରିମାଣ୍ଡ ଆବେଦନ କରାଯାଇଥିବା ବେଳେ ମାମଲାକୁ ନେଇ ଅଦାଲତ ରାୟ ସଂରକ୍ଷିତ ରଖିଥିବା‌ ଜଣାପଡ଼ିଛି। ତେବେ ଆଜି ବିଲମ୍ବିତ ରାତିରେ ଚାଟର୍ଜୀଙ୍କୁ କୋଲକାତା ଫେରାଇ ନିଆଯିବ ବୋଲି ଜଣାପଡ଼ିଛି।

ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଗତ ଶନିବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ବାରା ଗିରଫ ହୋଇଥିବା ପଶ୍ଚିମବଙ୍ଗର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା ଲାଗି ଆଜି ଏୟାର ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ବର ଏମ୍ସକୁ ଅଣାଯାଇଛି। କଲିକତା ହାଇକୋର୍ଟ ରବିବାର ଦିନ ଏହି ନିର୍ଦ୍ଦେଶ ଦେବାପରେ ଇଡି ପକ୍ଷରୁ ତାଙ୍କୁ ଏୟାର ଆମ୍ବୁଲାନ୍ସରେ ଭୁବନେଶ୍ବର ଅଣାଯାଇଥିଲା।

ତୃଣମୂଳ କଂଗ୍ରେସ ଏହି ମାମଲାରେ କହିଛି ଯେ, ଯଦି ତାଙ୍କ ଦଳର ନେତା ଭୁଲ କରିଛନ୍ତି ତାହେଲେ ପାର୍ଟି ଏଥିରେ ହସ୍ତକ୍ଷେପ କରିବ ନାହିଁ । ମିଳିଥିବା ସୂଚନା ଅନୁସାରେ ଏହି ଦୁର୍ନୀତି ମାମଲାରୁ ନିଜକୁ ଦୂରେଇ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଶାସକ ଦଳ ଟିଏମସି । ଗତ ଶନିବାର ଦିନ ଟିଏମସି ପକ୍ଷରୁ କୁହାଯାଇଥିଲା ଯେ ଜବତ ଟଙ୍କା ସହିତ ତାଙ୍କର କୌଣସି ସଂପର୍କ ନାହିଁ ।

ସୂଚନାନୁସାରେ, ଜୁଲାଇ ୨୨ ତାରିଖରେ ପଶ୍ଚିମବଙ୍ଗରେ ଶିକ୍ଷକ ନିଯୁକ୍ତି ସ୍କାମ ସହ ଜଡିତ ମନି ଲଣ୍ଡରିଂ ଯାଞ୍ଚ ସମୟରେ ଇଡି ରାଜ୍ୟର ବିଭିନ୍ନ ସ୍ଥାନରେ କରିଥିଲା । ​​ପାର୍ଥ ଚାଟାର୍ଜୀଙ୍କ ଘନିଷ୍ଠ ସହଯୋଗୀ ଅର୍ପିତା ଚାଟାର୍ଜୀଙ୍କ ବାସଭବନରୁ ୨୦ କୋଟି ନଗଦ ଟଙ୍କା ଏବଂ ଅନ୍ୟାନ୍ୟ ଜିନିଷ ଜବତ କରିଥିଲା ଇଡି ।

ସମ୍ବନ୍ଧିତ ଖବର