ଭୁବନେଶ୍ବର ଏମ୍ସ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇ କୋଲକାତା ଫେରିଗଲେ ପାର୍ଥ ଚାଟାର୍ଜୀ

କୋଲକାତା: ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଗତ ଶନିବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ବାରା ଗିରଫ ହୋଇଥିବା ପଶ୍ଚିମବଙ୍ଗର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା ଲାଗି ଗତକାଲି ଏୟାର ଆମ୍ବୁଲାନ୍ସ ଯୋଗେ ଭୁବନେଶ୍ବର ଏମ୍ସକୁ ଅଣାଯାଇଥିଲା। ଆଜି ତାଙ୍କର ଚିକିତ୍ସା ଶେଷ ହୋଇ ଯାଇଥିବା ବେଳେ ସେ କୋଲକାତା ଫେରି ଯାଇଛନ୍ତି। ତା‌ଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରି ରଖିବା ଜରୁରୀ ନୁ‌ହେଁ ବୋଲି ତାଙ୍କର ଚିକିତ୍ସା କରୁଥିବା ଡାକ୍ତର ମତ ରଖିଛନ୍ତି। ‌ସେ ସକାଳୁ କୋଲକାତା ବିମାନବନ୍ଦରରେ ପହଞ୍ଚି ସାରିଛନ୍ତି। ତାଙ୍କୁ ପରବର୍ତ୍ତୀ ଜେରା ପାଇଁ ଇଡି ଅଫିସ୍‌କୁ ନିଆଯିବ ବୋଲି ସୂଚନା ରହିଛି। କଲିକତା ହାଇକୋର୍ଟ ରବିବାର ଦିନ ଏହି ନିର୍ଦ୍ଦେଶ ଦେବାପରେ ଇଡି ପକ୍ଷରୁ ତାଙ୍କୁ ଏୟାର ଆମ୍ବୁଲାନ୍ସରେ ଭୁବନେଶ୍ବର ଅଣାଯାଇଥିଲା।

ସୂଚନାଯୋଗ୍ୟ, ଇଡି ଦ୍ବାରା ଗିରଫ ହେବା ପରେ ଅସୁସ୍ଥ ଅନୁଭବ କରିବାରୁ ପାର୍ଥଙ୍କୁ ରାଜ୍ୟ ସରକାରଙ୍କ ଏସଏସକେଏମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ତାଙ୍କୁ ରାଜ୍ୟ ସରକାରଙ୍କ ହସ୍ପିଟାଲରେ ଭର୍ତ୍ତିକୁ ବିରୋଧ କରିଥିଲା ଇଡି। ଏସଏସକେଏମ୍ ହସ୍ପିଟାଲ ପରିବର୍ତ୍ତେ ତାଙ୍କୁ ସେନା ହସ୍ପିଟାଲକୁ ସ୍ଥାନାନ୍ତର କରିବା ଲାଗି ଇଡି ହାଇକୋର୍ଟରେ ଆବେଦନ କରିଥିଲା। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ପାର୍ଥଙ୍କୁ ଭୁବନେଶ୍ବର ଏମ୍ସକୁ ସୋମବାର ସକାଳେ ସ୍ଥାନାନ୍ତର କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଅଦାଲତ କହିଥିଲେ ଯେ ଏସଏସକେଏମ୍ ହସ୍ପିଟାଲରୁ ତାଙ୍କୁ ଏକ ଆମ୍ବୁଲାନ୍ସ ଜରିଆରେ କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରକୁ ନିଆଯିବ। ସେଠାରୁ ସେ ଭୁବନେଶ୍ବର ଏମ୍ସକୁ ଯିବେ।

ଉଲ୍ଲେଖଯୋଗ୍ୟ ଯେ ପାର୍ଥଙ୍କୁ ଇଡି ୨୬ ଘଣ୍ଟା ପଚରାଉଚରା କରିବା ପରେ ଶନିବାର ସକାଳେ ଗିରଫ କରିଥିଲା। ଏହା ପରେ ତାଙ୍କୁ ଇଡି କାର୍ଯ୍ୟାଳୟ ସଲ୍ଟ ଲେକ୍ସ୍ଥିତ ସିଜିଓ କମ୍ପ୍ଲେକ୍ସକୁ ନେଇଥିଲା। ଅଦାଲତରେ ହାଜର ବେଳ ତାଙ୍କୁ ଦୁଇ ଦିନ ପାଇଁ ରିମାଣ୍ଡରେ ନେବାଲାଗି ଇଡିକୁ ଅନୁମତି ମିଳିଥିଲା।

 

ସମ୍ବନ୍ଧିତ ଖବର